ରାଜନୀତି ମୁହାଁ କଳାକାର…

Spread the News

ରାଜନୀତି ମୁହାଁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ। ପୁରୁଣା ଦିନର ଗୌରୀ ନାନୀ ତଥା ମହେଶ୍ୱତା ରାୟ ହୁଅନ୍ତୁ ବା ବର୍ତ୍ତମାନର ୟୁଥ୍‌ ସେନ୍‌ସେସନ୍‌ ଅରିନ୍ଦମ୍‌। ରାଜନୀତିରେ ପାଦଥାପି ଜନସେବା କରିବାକୁ ଆଗେଇ ଆସିଲେଣି ମାଳ ମାଳ ଅଭିନେତ୍ରୀ, ଅଭିନେତା। ଏମାନଙ୍କ ମଧ୍ୟରୁ କେତେଜଣ ସଫଳ ହୋଇଛନ୍ତି ତ କେତେଜଣଙ୍କୁ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଛି। ରାଜନୀତିରେ ସେଲିବ୍ରିଟିମାନଙ୍କ ଯୋଗଦାନ ଟ୍ରେଣ୍ଡ୍‌ ଏଭଳି ହେଲାଣି ଯେ ଆଜିକାଲି କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକମାନେ ବି ବିଭିନ୍ନ ରାଜନୈତିକ ଦଳରେ ସାମିଲ ହେଉଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଅଭିନେତ୍ରୀ, ଅଭିନେତା ମାନେ ରାତାରାତି କୌଣସି ଏକ ଦଳରେ ସାମିଲ ହୋଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏହାମଧ୍ୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଆଗଧାଡ଼ିର କଳାକାର ରାଜନୀତିରେ ସାମିଲ ହୋଇସାରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କାହାକୁ ଟିକେଟ୍‌ ମିଳୁଛି ଆଉ କାହାକୁ ନିରାଶ ହେବାକୁ ପଡ଼ୁଛି ତାହା ଦେଖିବାକୁ ବାକିରହିଛି। 

ଓଡ଼ିଶାରେ ନିର୍ବାଚନର ଇତିହାସକୁ ଦେଖିଲେ ପୂର୍ବରୁ ବହୁ ଅଭିନେତା ନେତା ହେବାର ନଜିର ରହିଛି। ଦକ୍ଷିଣ ଭାରତରେ ଏହି ଧାରା ବହୁ ପୂର୍ବରୁ ଚାଲି ଆସୁଥିବା ବେଳେ ବିଗତ କିଛି ବର୍ଷ ହେଲା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏହି ଟ୍ରେଣ୍ଡ୍‌ ଦେଖିବାକୁ ମିଳୁଛି। ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ, ଅଭିନେତାମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବେ ନିର୍ବାଚିତ ହୋଇ ପାର୍ଲାମେଣ୍ଟରେ ପହଞ୍ଚତ୍ଛନ୍ତି। ତେବେ ଓଡ଼ିଶାରେ ଆଗରୁ ଏହି ଟ୍ରେଣ୍ଡ୍‌ ସେତେଟା ନଥିବା ବେଳେ ଏବେ କିନ୍ତୁ ଅଧିକ ଦେଖିବାକୁ ମିଳୁଛି।

ବହୁସଂଖ୍ୟାରେ କଳାକାର ତଥା କଳାଜଗତ ସହ ସଂଷ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କୁ ରାଜନୀତି ମଇଦାନରେ ଦେଖିବାକୁ ମିଳୁଛି। ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ଭଳି ଅଭିନେତା ପ୍ରତ୍ୟେକ୍ଷ ନିର୍ବାଚନରେ ସାମିଲ ହୋଇ ବିଜୟୀ ହୋଇଛନ୍ତି। ସେହିଭଳି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ବର୍ତ୍ତମାନର ଆଗଧାଡ଼ିର ଅନୁଭବ ମହାନ୍ତି ପରୋକ୍ଷଭାବେ ନିର୍ବାଚିତ ହୋଇ ରାଜ୍ୟସଭା ଏମ୍‌ପି ହୋଇଛନ୍ତି। ଏମାନଙ୍କ ବ୍ୟତୀତ ୨୦୧୪ ସାଧାରଣ ନିର୍ବାଚନରେ ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ପପୁ ପମ୍‌ପମ୍‌ଙ୍କ ଭଳି ଅଭିନେତା, ଅଭିନେତ୍ରୀ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେମାନଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା। ସେହିଭଳି ଆଉକିଛି ଅଭିନେତ୍ରୀ, ଅଭିନେତା ରାଜନୀତିରେ ସାମିଲ ହୋଇଥିଲେ ମଧ୍ୟ ସେମାନଙ୍କୁ ଟିକେଟ୍‌ ମିଳିନଥିଲା।

ଯେଉଁଥିପାଇଁ ପପୁ ପମ୍‌ପମ୍‌ ଏବେ ରାଜନୀତିରୁ ଦୂରେଇ ଯାଇଥିବା ବେଳେ ବିଜୟ ମହାନ୍ତି ଏଥର ନିର୍ବାଚନରେ ଏକପ୍ରକାର ନୀରବ ରହିଛନ୍ତି। କଂଗ୍ରେସ ଛାଡି କିଛିଦିନ ତଳେ ଅପରାଜିତା ଭାଜପାରେ ସାମିଲ ହୋଇଥିବା ବେଳେ ଏଥର ନିର୍ବାଚନରେ ସେ ପୁଣିଥରେ ନିଜର ଭାଗ୍ୟ ପରୀକ୍ଷା କରିବେ ବୋଲି ଚର୍ଚ୍ଚାହେଉଛି। 

ଅନ୍ୟପକ୍ଷରେ ରାଜନୀତିରେ ଭାଗ୍ୟ ପରଖି ରାତାରାତି ନେତା ନେତ୍ରୀ ହେବାକୁ ବର୍ତ୍ତମାନ ପିଢୀର ବହୁ ନୂଆ କଳାକାର ଏବେ ଧାଡି ଲଗାଇଛନ୍ତି। ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ବି କଳାକାରଙ୍କୁ କୋଳେଇ ନେଇ ନିର୍ବାଚନୀ ନଦୀ ପାର୍‌ହେବାକୁ ସହଯ ଭାବୁଛନ୍ତି। ଏହିକ୍ରମରେ ଦେଖିବାକୁ ଗଲେ ଏବେ ବିଜେଡ଼ିରେ ସର୍ବାଧିକ କଳାକାର ରହିଛନ୍ତି।

ପ୍ରଶାନ୍ତ ନନ୍ଦଙ୍କ ଠାରୁ ଆରମ୍ଭକରି ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ଅରିନ୍ଦମ ରୟ, କୁନା ତ୍ରିପାଠି, ମୁନ୍ନା ଖାଁ, ଉତ୍ତମ ମହାନ୍ତି, ଅସିତ ପତି, ସାତ୍ତ୍ୱିକ ମିଶ୍ର, ଏଲିନା ଦାସ, କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ ପରି କଳାକାରମାନେ ବିଜେଡ଼ିରେ ରହିଛନ୍ତି। କିଛିଦିନ ପୂର୍ବରୁ ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସହ କେତେଜଣ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ବି ବିଜେଡ଼ିରେ ସାମିଲ ହୋଇଛନ୍ତି। ସେହିଭଳି ଭାରତୀୟ ଜନତା ପାର୍ଟିରେ ପୂର୍ବରୁ ଶ୍ରୀତମ ଦାସଙ୍କ ସମେତ ପିଣ୍ଟୁ ନନ୍ଦ, ଅଭିନେତ୍ରୀ ପିଙ୍କି ପ୍ରଧାନ, ହରିହର ମହାପାତ୍ର ରହିଥିବା କିଛିମାସ ପୂର୍ବରୁ ଅପରାଜିତା ମହାନ୍ତି, ମହାଶ୍ୱେତାଙ୍କ ସମେତ ଅନୁ ଚୌଧୁରୀ ଦଳରେ ସାମିଲ ହୋଇଛନ୍ତି। ୨୦୧୪ରେ ବିଜେଡ଼ିରେ ମିଶିଥିବା ମିହିର ଦାସ ମଧ୍ୟ ଇତିମଧ୍ୟରେ ବିଜେଡି ଛାଡି ଭାଜପାରେ ମିଶିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସରେ କିନ୍ତୁ ବିଜୟ ମହାନ୍ତିଙ୍କୁ ଛାଡି ସେଭଳି ଆଖିଦୃଶିଆ କଳାକାର ନାହାନ୍ତି। ଆଗକୁ ନିର୍ବାଚନ ଥିବାରୁ ଡିଆଁ ଡେଇଁ ପର୍ବରେ କେତେକ କଳାକାର କଂଗ୍ରେସରେ ସାମିଲ ହେବା ମଧ୍ୟ ଶୁଣିବାକୁ ମିଳୁଛି। ହେଲେ କେଉଁମାନଙ୍କୁ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ମିଳୁଛି ତାହା ଦେଖିବାକୁ ବାକିରହିଛି। ଯେଉଁମାନେ ଏବେ ଏବେ ନେତା ହେବାପାଇଁ ରାଜନୀତିକୁ ଆସିଛନ୍ତି ସେମାନଙ୍କୁ ଟିକେଟ୍‌ ମିଳିବ ନା କେବଳ ପ୍ରଚାରରେ ସାମିଲ କରାଯିବ ତାହାଉପରେ ସମସ୍ତଙ୍କର ନଜର ରହିଛି।  

Tags: ,