ପଦ୍ମ ପୋଖରୀରେ ବୁଡ ପକାଇଲେ ଦାମ

Spread the News

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ  ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ଓ ମୋଦିଙ୍କ ନେତୃତ୍ୱରେ ଆକର୍ଷିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଓଡ଼ିଶା ସଠିକ୍ ଦିଗରେ ଆଗେଇ ପାରିବ।

ମୁଁ ଦଳରେ ଜଣେ କର୍ମୀ ଭାବେ ବିଜେପି ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବି।” ସେ ଆହୁରି କହିଛନ୍ତି, ମୁଁ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଆସିଛି। 20 ବର୍ଷ କାଳ ମୁଁ ବିଜୁ ବାବୁଙ୍କ ସହଯୋଗୀ ରହିଛି।”  ସେ କହିଛନ୍ତି,“ଚାରା ଦୁର୍ନୀତି ନେଇ ନବୀନଙ୍କ ପାଖରେ ଅଭିଯୋଗ କରିଥିଲି। ସେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋତେ କାଢ଼ି ଦେଲେ। ଗଲା ଛଅ ସାତ ମାସ ହେଲାଣି ମୁଁ ସାରା ରାଜ୍ୟରେ ବୁଲି ଲୋକଙ୍କୁ ନବୀନଙ୍କ କଳା ଶାସନ ବିଷୟରେ ଅବଗତ କରାଉଛି। ଯଦି ଲୋକେ ପୁଣି ନବୀନଙ୍କୁ ସମର୍ଥନ କରନ୍ତି, ତା’ହେଲେ ରାଜ୍ୟ ବୁଡ଼ିଯିବ। ବିଜେଡିର 37 ଜଣ ନେତା ସିବିଆଇ ନଜରରେ ଅଛନ୍ତି।”

ଦାମ ବିଜେପିରେ ଯୋଗ ଦେବା ପରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ଦାମ ବାବୁଙ୍କୁ ଆମେ ସମସ୍ତେ ଦଳକୁ ସ୍ୱାଗତ କରୁଛୁ। ସେ ହେଉଛନ୍ତି ବିଜୁ ବାବୁଙ୍କ ଆଦର୍ଶରେ ଚାଲୁଥିବା ନେତା। ସେ ସବୁ ବେଳେ ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ଚାହିଁଛନ୍ତି।” ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ଦାମଙ୍କୁ ବିଜେପିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି,“ବିଜୁ ଅଙ୍କଲଙ୍କ ସହ ଆପଣ କାମ କରିଛନ୍ତି। ବିଜୁ ଅଙ୍କଲ ଓ ତାଙ୍କ ପୁଅଙ୍କ କ୍ୟାବିନେଟ୍‌ରେ ଅନେକ ବର୍ଷ ଥିଲେ। ଶୀର୍ଷସ୍ତରରେ ଦୁର୍ନୀତି ଅଭିଯୋଗ କରିବାରୁ ବିଜେଡିରୁ ବହିଷ୍କୃତ ହେଲେ। ଓଡ଼ିଶାର ପୁନରୁଦ୍ଧାର ପାଇଁ ଆମେ ମିଶି କି କାମ କରିବା।”

 

Tags: