latest

ମୁମ୍ବାଇ ଫୁଟ୍ ଓଭରବ୍ରିଜ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି

Spread the News

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ୍ ଟର୍ମିନସ୍‌ ରେଲୱେ ଷ୍ଟେସନ୍ ନିକଟରେ ଏକ ଫୁଟ୍ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସେଣ୍ଟ ଜର୍ଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ସକାଳେ ଏହି ଫୁଟ୍‌ ଓଭରବ୍ରିଜ୍‌ର ମରାମତି କରାଯାଇଥିବା ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ 7ଟା ବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ଛତ୍ରପତି ଶିବାଜୀ ମହାରାଜ୍ ଟର୍ମିନସ୍‌ ରେଲୱେ ଷ୍ଟେସନ୍‌ରୁ ଟାଇମ୍ସ ଅଫ୍ ଇଣ୍ଡିଆ ବିଲ୍ଡିଂ ନିକଟରେ ଥିବା ବିଟି ଲେନ୍‌କୁ ଏହି ଫୁଟ୍‌ ଓଭରବ୍ରିଜ୍‌ ସଂଯୋଗ କରୁଥିଲା। ବ୍ରିଜ୍‌ଟି 1984 ମସିହାରେ ନିର୍ମାଣ କରାଯାଇଥିଲା।

ଦୈନିକ ଏହା ଉପରେ ହଜାର ହଜାର ଲୋକ ଯିବା ଆସିବା କରୁଥିଲେ। ଗତକାଲି ଏଥିରେ ଏକା ଥରକେ କ୍ଷମତା ଠାରୁ ଅଧିକ ଲୋକ ଚଢ଼ଯିବାରୁ ଏହା ଭୁଶୁଡ଼ି ଯାଇଥିବା କୁହାଯାଉଛି। ଫୁଟ୍‌ ଓଭରବ୍ରିଜ୍ ଭୁଶୁଡ଼ିବା ପରେ ରେଳୱେ ଓ ବିଏମ୍‌ସି ଅଧିକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ବ୍ରିଜ୍‌ର ସ୍ଥାୟୀତ୍ୱ ନେଇ ଏକ ଅଡିଟ୍ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ ବ୍ରିଜ୍‌ଟି ଠିକ୍ ଥିବା ଦର୍ଶାଯାଇଥିଲା। ଏହାର ବି ତଦନ୍ତ କରାଯିବ।

Tags: