ମାଲକାନଗିରି ଗୋବିନ୍ଦପାଲି ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ :ବିଜେପି

Spread the love

ରାଜ୍ୟରେ ମହିଳା ଆଜି ସଂପୂର୍ଣ୍ଣଭାବେ ଅସୁରକ୍ଷିତ । ପ୍ରତିଦିନ ରାଜ୍ୟର
ବିଭିନ୍ନ ସ୍ଥାନରୁ ଗଣଦୁଷ୍କର୍ମ, ନାବାଳିକା ଗର୍ଭବତୀ, ଦୁଷ୍କର୍ମ ସହ ହତ୍ୟା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ଫେଲ୍ ମାରିଛନ୍ତି । ଗତ ୨୦୧୭ ମସିହାରେ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି କଲେଜର ଜଣେ ଛାତ୍ରୀଙ୍କୁ ସେହି କଲେଜର ଅଧ୍ୟାପକ ଅଜୟ ସୁତାର, ସାମ୍ବାଦିକ
ମହେନ୍ଦ୍ର ପାଣିଗ୍ରାହୀ , କୁଆନ ଅଚାରୀ ଏବଂ ଜଣେ ଅଜଣା ବ୍ୟକ୍ତି କଲେଜ ପରିସର ଭିତରେ ଗଣଦୁର୍ଷ୍କମ କରିଥିଲେ । ଏହି ଘଟଣା ପରେ କେବଳ ଅଧ୍ୟାପକଙ୍କ ନାଁରେ ଦୁଷ୍କର୍ମ ଧାରା ଲଗାଇ ଗିରଫ କରାଯାଇଥିଲେ ମଧ୍ୟ ସେ ଏବେ ବେଲରେ ଅଛନ୍ତି ।

ସେହିପରି ଅନ୍ୟ ୨ ଜଣଙ୍କ ନାଁରେ କେବଳ ମାଇନର ଦଫା ଲଗାଇଛି । ଅଜଣା ବ୍ୟକ୍ତିଙ୍କୁ ଏଯାବତ ପୋଲିସ ଧରିପାରିନାହିଁ । ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ବିଜେପିର ଏକ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକ ଭେଟି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି । ପୀଡିତା ପରିବାର ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଲୋକଦେଖାଣିଆ ଭାବେ ପୋଲିସ ଏହି ଗଣଦୁଷ୍କର୍ମରେ ସାମିଲ ଥିବା କିଛି ଅପରାଧୀଙ୍କୁ ଅଟକ ରଖି ପରେ ଛାଡିଦେଇଥିଲା । ଘଟଣାକୁ ଚାପିବା ପାଇଁ ପୋଲିସ ପରିବାର ଲୋକଙ୍କୁ ଧମକ ଦେବା ସହ କେସକୁ ହଟାଇବା ପାଇଁ ବାରମ୍ବାର ଚାପ ପକାଉଛନ୍ତି ବୋଲି ପୀଡିତାର ମାମୁଁ ଅଭିଯୋଗ କରିଛନ୍ତି । ପିଡିତାର ବାପା ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସମ୍ପୃକ୍ତ ଘଟଣାର ଅପରାଧିମାନେ ଖୁଲୁମଖୁଲା ମୋକଦ୍ଦମା ଉଠାଇବା ପାଇଁ ବାରମ୍ବାର ଧମକ ଦେଉଛନ୍ତି । ଅନ୍ୟପଟେ ଭୟରେ ଓ ଲଜ୍ଜ୍ୟାରେ ପିଡିତାଟି ଦୁଇଥର ଆତ୍ମହତ୍ୟା କରି କୋମାରେ ରହି ଏବେ ସଂକଟାପନ୍ନ ପରିସ୍ଥିତିରେ ଏମ୍ସ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି ।
ଏହି ଘଟଣାରେ ସଂପୃକ୍ତ ଥିବା ଅଜଣା ଅପରାଧୀଙ୍କୁ ତୁରନ୍ତ ଧରାଯିବା ସହ ଅନ୍ୟ ୩ ଜଣଙ୍କ ଜାମିନ ଖାରଜ କରାଯାଉ । ପୀଡିତା ପରିବାର ଉପରେ ଚାପ ପକାଉଥିବା ମାଥିଲି ଆଇଆଇସି ବାମଦେବ ନନ୍ଦଙ୍କୁ ତୁରନ୍ତ ନିଲମ୍ବନ
କରାଯାଉ । ପୀଡିତା ପରିବାରକୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇବା ସହ ପୀଡିତାର ଚିକିତ୍ସା ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବାକୁ ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦକ ଜତୀନ ମହାନ୍ତି, ପ୍ରବକ୍ତା ସୁଦୀପ୍ତ ରାୟ ଓ ଉମାକାନ୍ତ ପଟ୍ଟନାୟକ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲାଲା ମନୋଦ ରାୟ, ମୟୁରଭଂଜ ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହପାତ୍ର ପ୍ରମୁଖ ସାମିଲ ଥିଲେ ।

Tags: