latest

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ: ଶୀର୍ଷ 2 ସ୍ଥାନରେ 5 ଝିଅ

Spread the News

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ମୋଟ 500 ରୁ 499 ନମ୍ବର ରଖି ଦୁଇଟି ଝିଅ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି 3 ଜଣ ଝିଅ 500 ରୁ 498 ନମ୍ବର ଲେଖାଏଁ ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ପରୀକ୍ଷା ଫଳ ବିଭାଗୀୟ ୱେବସାଇଟ୍‍ cbse.nic.inରେ ଉପଲବ୍ଧ ରହିଛି। ଏଥିରେ ଲଗଇନ୍‍ କରି ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଫଳ ଦେଖିପାରିବେ।

ଚଳିତ ବର୍ଷ 12.87 ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। 83.4% ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସର୍ବାଧିକ ତ୍ରିବେନ୍ଦ୍ରମ ଅଞ୍ଚଳର 98.2% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସିବିଏସ୍‍ଇ ପକ୍ଷରୁ କୁହାଯାଇଛି ଯେ ପ୍ରଥମ ଥର ପରୀକ୍ଷା ଶେଷ ହେବାର ମାତ୍ର 28 ଦିନ ପରେ ଫଳ ପ୍ରକାଶ ପାଇଛି। ଶୀର୍ଷ 2ଟି ସ୍ଥାନରେ 5 ଜଣ ଝିଅ ଅଛନ୍ତି। ଗାଜିଆବାଦ ଡିପିଏସ୍‍ ସ୍କୁଲର ହସିଂକା ଶୁକ୍ଳା (499 ନମ୍ବର), ମୁଜାଫରନଗର ଏସ୍‍ଡି ପବ୍ଲିକ୍‍ ସ୍କୁଲର କରିଶ୍ମା ଆରୋଡ଼ା (499 ନମ୍ବର) ରଖି ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ହୃଷିକେଶ ନିର୍ମଳ ଆଶ୍ରମ ସ୍କୁଲର ଗୌରାଙ୍ଗ ଚାୱଲା (498 ନମ୍ବର), ରାୟବରେଲି କେନ୍ଦ୍ରୀୟ ବିଦ୍ୟାଳୟର ଐଶ୍ୱର୍ଯ୍ୟା (498 ନମ୍ବର), ଜିନ୍ଦି ବିଆରଏସକେ ଇଣ୍ଟରନେସନାଲ ପବ୍ଲିକ୍‍ ସ୍କୁଲର ଭବ୍ୟା (498 ନମ୍ବର) ରଖିଛନ୍ତି।

ସିବିଏସଇ ଅଧ୍ୟକ୍ଷା ଅନୀତା କାରୱାଲ କହିଛନ୍ତି ଯେ ବୋର୍ଡ କର୍ମଚାରୀମାନେ ଗତ 15 ଦିନ ହେବ ଫଳ ପ୍ରକାଶ ପାଇଁ କାର୍ଯ୍ୟ କରୁଥିଲେ। ଚଳିତ ଥର ମାତ୍ର 28 ଦିନରେ ଫଳ ପ୍ରକାଶ ପାଇଛି। ଏଥିପାଇଁ କର୍ମଚାରୀମାନେ ଘରକୁ ଯାଇନାହାନ୍ତି। ପ୍ରକାଶ ଯେ ଦ୍ୱାଦଶ ବୋର୍ଡ ପରୀକ୍ଷା ଅପ୍ରେଲ ୪ରେ ଶେଷ ହୋଇଥିଲା। ମଇ 2ରେ ଫଳ ପ୍ରକାଶ ପାଇଛି। ବୋର୍ଡ ଅନୁସାରେ ଅସନ୍ତା ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ 15ରୁ ଆରମ୍ଭ ହେବ। ଫଳ ଏଭଳି ମଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରବେଶ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପ୍ରର୍ଯ୍ୟାପ୍ତ ସମୟ ପାଇବେ।

Tags: