ଜୁନ୍‌ ପ୍ରଥମ ସପ୍ତାହରେ ଓଜେଇଇ ରେଜଲ୍ଟ

Spread the love

ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ବି. ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଶୁକ୍ରବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏହି ପ୍ରବେଶିକା ପରୀକ୍ଷା ପେନ୍‌ ଆଣ୍ଡ ପେପର ବେସ୍‌ଡ ବା ଅଫ୍‌ଲାଇନ୍‌ରେ କରାଯିବ। ପରୀକ୍ଷା ଲାଗି ରାଜ୍ୟର 20ଟି ସହରରେ 53ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ବରରେ ସର୍ବାଧିକ 13ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ କଟକ, ବାଲେଶ୍ବରରେ 4ଟି ଲେଖାଏ ହୋଇଛି। ଏଥିସହ ରାୟଗଡ଼ା, ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ରାଉରକେଲା, ବ୍ରହ୍ମପୁର ଆଦି ସହରରେ 29ହଜାର 900 ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜୁନ୍‌ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ।

ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂରେ ସକାଳ ୯ରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଦ୍ବିତୀୟ ସିଟିଂ ଅପରାହ୍ନ 2ଟାରୁ 4ଟା ଯାଏ ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ଲାଗି ଗତକାଲିଠାରୁ ସୁପରଭାଇଜରମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଯାଇ ସରିଛି। ସୁପରିଚାଳନା ଲାଗି ସୁପରଭାଇଜରଙ୍କ ସମେତ ଅବଜରଭରମାନଙ୍କୁ ନିଯୁକ୍ତି ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ କହିଛନ୍ତି। ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ହେବାକୁ ଥିବା କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ପାଇଁ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ।

Tags:

Leave a Reply

Your email address will not be published. Required fields are marked *