127ନଂ ବୁଥ୍‌ରେ ରବିବାର ପୁନଃମତଦାନ

Spread the love

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର 127 ନମ୍ବର ବୁଥ୍‌ରେ ରବିବାର ପୁଣି ମତଦାନ ହେବ। ସହିଦନଗର ହାଇସ୍କୁଲରେ ହୋଇଥିବା ଏହି ମତଦାନ କେନ୍ଦ୍ରରେ ଏପ୍ରିଲ 23ତାରିଖରେ ମତଦାନ ହୋଇଥିଲେ ହେଁ ଇଭିଏମ୍‌ ମେସିନ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ପୁଣି ଥରେ ଏଠାରେ ମତଦାନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ‌ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରିଥିଲେ। ଏହାପରେ ଆସନ୍ତା 19ତାରିଖରେ ଏହି ବୁଥ୍‌ରେ ପୁନଃ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଥିବା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଅରୁଣ କୁମାର ବେହେରା ସୂଚନା ଦେଇଛନ୍ତି। ରବିବାର ସକାଳ 7ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ହେବ। ଏଠାରେ ସହିଦନଗରର କିଛି ଅଂଶ ଏବଂ ସହିଦନଗର ହାଇସ୍କୁଲ ଅଞ୍ଚଳ ଯାଉଛି। ଏହି ବୁଥ୍‌ରେ 844ଜଣ ମତଦାତା ଥିବା‌ବେଳେ 495ଜଣ ପୁରୁଷ ଏବଂ 349ଜଣ ମହିଳା ମତଦାତା ଅଛନ୍ତି।
19ତାରିଖରେ ଏଠାରେ ପୁନଃ ମତଦାନ ହେବାକୁ ଥିବାରୁ ବିଜେପି ଓ ବିଜେଡି ପ୍ରାର୍ଥୀମାନେ ପୁଣି ପ୍ରଚାର ଚଳାଇଛନ୍ତି। ଏବେ ‌ଖୁଲମଖୁଲା ପ୍ରଚାର ହେଉନଥିଲେ ହେଁ ବାତ୍ୟା ସହାୟତା ଦେବା ଆଳରେ ପ୍ରାର୍ଥୀମାନେ ମତଦାତାଙ୍କ ନିକଟରେ ପହଞ୍ଚୁଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ଲଢ଼େଇ ଜୋରଦାର ହେଉଥିବାରୁ ଏହି ବୁଥ୍‌ରେ ପୁନଃମତଦାନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।

Tags:

Leave a Reply

Your email address will not be published. Required fields are marked *