latest

ବିରାଟ ରିଷଭଙ୍କ ଦମଦାର ଅର୍ଦ୍ଧଶତକ, ଟି-୨୦ ସିରିଜକୁ କ୍ଲିନ ସ୍ୱିପ କଲା ଟିମ୍ ଇଣ୍ଡିଆ

Spread the love

ଆଇସିସି କ୍ରିକେଟ ବିଶ୍ୱକପ ପରେ ପ୍ରଥମ ସିରିଜକୁ କ୍ଲିନ ସ୍ୱିପ କରିବାରେ ସଫଳ ହୋଇଛି ଭାରତୀୟ କ୍ରିକେଟ ଟିମ୍ । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜକୁ ୩-୦ରେ ଜିତିଛି ବିରାଟ ବାହିନୀ । ୱେଷ୍ଟଇଣ୍ଡିଜର ଗୁୟାନା ଠାରେ ଖେଳାଯାଇଥିବା ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ୱିକେଟ ରକ୍ଷକ ରିଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ ଏବଂ ଦୀପକ ଚହରଙ୍କ ଘୋତକ ବୋଲିଂ ସହାୟତାରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି । ଅନ୍ତିମ ଟି-୨୦ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିତିବା ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୪୬ ରନ କରିଥିଲା । ୱେଷ୍ଟଇଣ୍ଡିଜ ପାଇଁ ଦମଦାର ଇନିଂସ ଖେଳିଥିଲେ କିରନ ପୋଲାର୍ଡ ଓ ରୋମନ ପାୱେଲ । ପୋଲାର୍ଡ ୪୫ଟି ବଲରୁ ଗୋଟିଏ ଚୌକା ଓ ୬ଟି ଛକା ସହାୟତାରେ ୫୮ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ମାତ୍ର ୨୦ଟି ବଲରୁ ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ବିସ୍ଫୋରକ ୩୨ ରନ କରିଥିଲେ । ଅ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ । ନିଜ କ୍ୟାରିୟରର ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା ଭାରତୀୟ ବୋଲର ଘାତକ ବୋଲିଂ ପ୍ରଦର୍ଶନ କରି ୩ ଓଭରରେ ମାତ୍ର ୪ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ । ତାଙ୍କ ବ୍ୟତୀତ ନଭଦୀପ ସାଇନିଙ୍କୁ ୨ଟି ଓ ରାହୁଲ ଚହରଙ୍କୁ ଗୋଟିଏ ୱିକେଟ ମିଳିଥିଲା । ୧୪୭ ରନର ପିଛା କରି ଭାରତୀୟ ଦଳ ମାତ୍ର ୧୦ ରନର ଦଳଗତ ସ୍କୋରରେ ଶିଖର ଧାୱନଙ୍କ ୱିକେଟ ହରାଇଥିଲା ।

ଶିଖର ଧାୱନ ମାତ୍ର ୩ ରନ କରି ଆଉଟ ହେବା ପରେ କେଏଲ୍ ରାହୁଲ ମଧ୍ୟ ୨୦ ରନ କରି ପାଭିଲିୟନକୁ ଫେରିଥିଲେ । ରାହୁଲହ୍କ ୱିକେଟ ପରେ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା ଭାରତୀୟ ଅଧିନାୟକ ବିରାଟ ଓ ୱିକେଟ ରକ୍ଷକ ରିଷଭଙ୍କ ବ୍ୟାଟରୁ, ଦୁହେଁ ତୃତୀୟ ୱିକେଟ ପାଇଁ ୧୦୬ ରନର ପାର୍ଟନରସିପ କରିଥିଲେ । ବିରାଟ ୪୫ଟି ବଲରୁ ୬ଟି ଚୌକା ସହାୟତାରେ ୫୯ ରନ କରି ଆଉଟ ହୋଇଥିବା ବେଳେ ରିଷଭ ପନ୍ତ ଅପରାଜିତ ରହି ପାଭିଲିୟନକୁ ଫେରିଥିଲେ । ଆଉଟ ଅଫ୍ ଫର୍ମ ରହିଥିବା ରିଷଭ ପନ୍ତ ଦମଦାର ପ୍ରତ୍ୟାବର୍ତ୍ତନ କରିବା ସହିତ ୪୨ଟି ବଲରୁ ୪ଟି ଚୌକା ଓ ୪ଟି ଛକା ସହାୟତାରେ ୬୫ ରନ କରିଥିଲେ ଏବଂ ଭାରତୀୟ ଦଳ ୧୯.୧ ଓଭରରେ ବିଜୟ ହାସଲ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଓଶେନ୍ ଥୋମାସ୍ ୪ ଓଭରରେ ୨୯ ରନ ଦେଇ ସର୍ବାଧିକ ୨ଟି ୱିକେଟ ହାସଲ କରିଥିବା ବେଳେ ଫାବିଆନ୍ ଆଲେନଙ୍କୁ ଗୋଟିଏ ୱିକେଟ ମିଳିଥିଲା ।  ୩ ମ୍ୟାଚ ବିଶିଷ୍ଟ ସିରିଜର ତିନୋଟ ଯାକ ମ୍ୟାଚରେ ଭାରତୀୟ ଦଳ ବାଜିମାତ୍ କରିଛି । ପ୍ରଥମ ମ୍ୟାଚକୁ ଚାରି ୱିକେଟରେ ପରାସ୍ତ କରିବା ସହିତ ଦ୍ୱିତୀୟ ମ୍ୟାଚକୁ ଡିଏଲ ମେଠଡ ଅନୁଯାୟୀ ୨୨ ରନରେ ଜିତିଥିଲା ଭାରତୀୟ ଦଳ । ଶେଷ ମ୍ୟାଚରେ ୭ ୱିକେଟରେ ବିଜୟ ହାସଲ କରି ସିରିଜ କ୍ଲିନ ସ୍ୱିପ କରିଛି ଟିମ୍ ଇଣ୍ଡିଆ । ଦମଦାର ବୋଲିଂ ପାଇଁ ଦୀପକ ଚହରଙ୍କୁ ମ୍ୟାନ  ଅଫ୍ ଦି ମ୍ୟାଚ ପୁରସ୍କାର ଦିଆଯାଇଥିବା ବେଳେ କୃନାଲ ପାଣ୍ଡ୍ୟା ପ୍ଲେୟାର ଅଫ ଦି ସିରିଜ ହୋଇଛନ୍ତି । କୃନାଲ ପାଣ୍ଡ୍ୟା ତିନୋଟ ମ୍ୟାଚରେ ମୋଟ ୩ଟି ୱିକେଟ ନେଇଥିବା ବେଳେ ୩୨ ରନ ମଧ୍ୟ କରିଥିଲେ । 

Tags: