latest

ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗାତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବ ଓଡିଶା ଷ୍ଟାର ରେଟିଙ୍ଗ

Spread the love
 ଓଡ଼ିଶାର  ଭୁବନେଶ୍ୱର, କଟକ, ଅନୁଗୁଳ , ତାଳଚେର, ରାଉରକେଲା ଓ ବାଲେଶ୍ୱର ସହରରେ ବାୟୁପ୍ରଦ୍ୟୁଷଣ ସାଂଘାତିକ  ଭାବରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।  ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ) ଅନୁସାରେ ଓଡ଼ିଶାରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଲା କଳ କାରଖାନାରୁ ବାହାରୁଥିବା ଧୂଆଁ, ଯାନବାହାନ ଜନିତ ପ୍ରଦୁଷଣ ଏବଂ ନିର୍ମାଣ ଓ ଭଙ୍ଗାଭଙ୍ଗି ସମୟରେ ହେଉଥିବା ପ୍ରଦୂଷଣ । ଶିଳ୍ପାନୁଷ୍ଠାନମାନଙ୍କ ଦ୍ୱାରା ହେଉଥିବା ପ୍ରଦୂଷଣ ରୋକିବା ଓ ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ବୃଦ୍ଧି କରିବା ପାଇଁ ଓଡିଶା ସରକାର ୨୦୧୮ ମସିହା ସେପ୍ଟେମ୍ବର ମାସରେ ଓଡିଶା ଷ୍ଟାର ରେଟିଙ୍ଗ ନାମରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ସେଣ୍ଟର ଫର ଡେଭଲପମେଣ୍ଟର ବିଶେଷଜ୍ଞମାନଙ୍କ  ସହାୟତାରେ ପ୍ରସ୍ତୁତ ହେଇଥିବା ଓଡିଶା ଷ୍ଟାର ରେଟିଙ୍ଗ ହେଉଛି ଏକ ତଥ୍ୟ ସାର୍ଵଜନୀକରଣ ବା ଇନଫରମେସନ ଡ଼ିସକ୍ଲୋଜର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉଭୟ ଶିଳ୍ପାନୁଷ୍ଠାନ ଓ ଜନସାଧାରଣଙ୍କ ପାଇଁ ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ, ଓଡିଶା ତରଫରୁ ସଚେତନତା କର୍ମଶାଳାମାନ ବିଭିନ୍ନ ଶିଳ୍ପାଞ୍ଚଳମାନଙ୍କରେ ଆୟୋଜନ କରାଯାଉଛି । ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଓ ଟାଟା ସେଣ୍ଟର ଫର ଡେଭଲପମେଣ୍ଟର ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମ ପାଇଁ ବୈଷୟିକ ସହଯୋଗ ପ୍ରଦାନ କରିଛନ୍ତି । ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିରନ୍ତର ନିର୍ଗମନ ଯାଞ୍ଚ ବ୍ୟବସ୍ଥା ପାଇଁ ଶିଳ୍ପାନୁଷ୍ଠାନମାନଙ୍କର ପରିଦର୍ଶନ ଏବଂ ନିର୍ଗମନ ଯାଞ୍ଚ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ବିଭିନ୍ନ ଅଭିଯାନ ଚଳାଇଛି ।
ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସତର ପ୍ରକାରର ଶିଳ୍ପାନୁଷ୍ଠାନକୁ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଭାବେ ଚିହ୍ନଟ କରିଛି । ସେମାନଙ୍କ ଭିତରୁ ଓଡ଼ିଶାରେ ସିମେଣ୍ଟ, ତାପଜ ବିଦ୍ୟୁତ କେନ୍ଦ୍ର, ଇସ୍ପାତ, କାଗଜ଼ କଳ, ସ୍ପଞ୍ଜ ଆଇରନ, ସାର କାରଖାନା ଓ ଆଲୁମିନିୟମ ଏବଂ ସ୍ମେଲଟର ଆଦି ଶିଳ୍ପାନୁଷ୍ଠାନ ରହିଛି ।  ଏହି ଶିଳ୍ପାନୁଷ୍ଠାନ ଗୁଡ଼ିକରୁ କ୍ଷତିକାରକ ପାର୍ଟିକୁଲେଟ ମ୍ୟାଟର ବା କଣିକାତତ୍ତ୍ୱ, ସଲଫର ଡାଇଅକ୍ସସାଇଡ଼, ନାଇଟ୍ରସ ଅକ୍ସାଇଡ୍ ,କାର୍ବନ ମନୋକସାଇଡ଼  ଏବଂ ମରକ୍ୟୁରୀ ନିର୍ଗତ ହୋଇଥାଏ । ଓଡ଼ିଶାରେ ଏହି ସବୁ କ୍ଷେତ୍ରର ଶିଳ୍ପାନୁଷ୍ଠାନମାନଙ୍କ ସଂଖ୍ୟା ୧୨୦ରୁ ଅଧିକ| ବର୍ତ୍ତମାନ ପ୍ରାଥମିକ ସ୍ତରରେ ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ଏହି ଶିଳ୍ପାନୁଷ୍ଠାନ ଗୁଡ଼ିକରୁ ନିର୍ଗତ ହେଉଥିବା କଣିକାତତ୍ତ୍ୱ ଉପରେ ଗୁରୁତ୍ୱ ଦେଉଛି ।  ପରବର୍ତ୍ତୀ ସମୟରେ ଅନ୍ୟ କ୍ଷତିକାରକ ପ୍ରଦୁଷକ ଗୁଡିକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାର ଯୋଜନା ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ କଣିକାତତ୍ତ୍ୱ ଅନେକ ପ୍ରକାର ଶ୍ୱାସକ୍ରିୟା ସମ୍ପର୍କିତ ରୋଗ ଏବଂ ହୃଦଘାତର କାରଣ । ଏହାର ସର୍ବାଧିକ ପ୍ରଭାବ ବୟସ୍କ, ମହିଳା ଏବଂ ଶିଶୁମାନଙ୍କ ଉପରେ ପଡିଥାଏ ।  ଏହା ଗଛମାନଙ୍କର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ ।
ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ କଣିକାତତ୍ୱର ମାତ୍ରା ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ଦୁଇଟି କାରକକୁ  ହିସାବକୁ ନେଇ ଷ୍ଟାର ରେଟିଂ ଗଣତି କରିଥାଏ । ସେଗୁଡିକ ହେଲା ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ନିର୍ଦ୍ଧାରିତ ମାତ୍ରା ଠାରୁ କେତେ ମାତ୍ରାରେ ଅଧିକ ପ୍ରଦୁଷକ ନିର୍ଗମ ହୋଇଛି  ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମାବଳୀ ଅନୁସାରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ ପାଇଁ କେତେ ପରିମାଣର ପ୍ରଦୂଷଣ ତଥ୍ୟ ଉପଲବ୍ଧ ଅଛି । ନିରନ୍ତର ଭାବେ ଶିଳ୍ପାନୁଷ୍ଠାନମାନଙ୍କର ପ୍ରଦୂଷଣ ତଥ୍ୟ ପାଇବା ପାଇଁ ଏହି ଶିଳ୍ପାନୁଷ୍ଠାନମାନଙ୍କରେ ନିରନ୍ତର ନିର୍ଗମନ ଯାଞ୍ଚ ବ୍ୟବସ୍ଥା ବା Continuous Emissions Monitoring Systems ସ୍ଥାପିତ କରାଯାଇଛି ଏବଂ  ସେଗୁଡିକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଠାରେ ଥିବା ସର୍ଭର ସହ ସଂଯୁକ୍ତ କରାଯାଇଛି| ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ଭରକୁ ଆସୁଥିବା ମାସିକ ତଥ୍ୟ ଆଧାରରେ ଶିଳ୍ପାନୁଷ୍ଠାନମାନଙ୍କୁ ୧ ରୁ ୫ ପର୍ଯ୍ୟନ୍ତ ଷ୍ଟାର ରେଟିଙ୍ଗ ପ୍ରଦାନ କରାଯାଇଥାଏ । ସବୁଠାରୁ ଅଧିକ ପ୍ରଦୁଷକ ନିର୍ଗମନ କରୁଥିବା ଶିଳ୍ପସଂସ୍ଥାକୁ ୧ ଷ୍ଟାର ଓ ସବୁଠାରୁ କମ ନିର୍ଗମନ କରୁଥିବା ସଂସ୍ଥାକୁ ୫ ଷ୍ଟାର ମିଳିଥାଏ ।
୨୦୧୮ ମସିହା ସେପ୍ଟେମ୍ବର ମାସ ଅଠର ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ”ଏହି କାର୍ଯ୍ୟକ୍ରମର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ” ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ୩ ଟି, ଟିମୱାର୍କ , ଟ୍ରାନ୍ସପରେନ୍ସି(ସ୍ୱଛତା) ଓ ଟେକ୍ନୋଲୋଜି(ଜ୍ଞାନ କୌଶଳ) ଏକ ସଠିକ ସମିଶ୍ରଣ । ସାରା ଭାରତରେ ଏପରି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ହାତକୁ ନିଆ ଯାଇଛି ଏବଂ ଏହା ଜନସାଧାରଣଙ୍କୁ ସେମାନଙ୍କ ଅଂଚଳରେ ଥିବା ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ସମ୍ପର୍କରେ ଅବଗତ କରାଇବ । ” ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଶିଳ୍ପାଂଚଳରେ ଥିବା 106ଟି ଶିଳ୍ପାନୁଷ୍ଠାନ ଏହି କାର୍ଯ୍ୟକ୍ରମ ସହ ସାମିଲ ହୋଇଛନ୍ତି ।
ବାୟୁ ପ୍ରଦୂଷଣ ରୋକିବା ପାଇଁ ବିଶ୍ଵର ଭିନ୍ନ ଭିନ୍ନ ଅଂଚଳରେ ତଥ୍ୟର ସାର୍ଵଜନୀକରଣ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି ଏହି କାର୍ଯ୍ୟକ୍ରମ ଗୁଡିକ ସଫଳତା ମଧ୍ୟ ହାସଲ କରିଛନ୍ତି ।  ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ପ୍ରୟାସ ଭାରତରେ ନିଆଯାଉଥିବା ଅଳ୍ପ କିଛି ପ୍ରାଥମିକ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ।  ଶିଳ୍ପାନୁଷ୍ଠାନ ଓ  ସାଧାରଣ ଜନତାଙ୍କୁ  ସଚେତନ କରାଇବା ସହ  ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜନସଧାରଣ, ନାଗରିକ ପରିଷଦ ସଂଗଠନ ଓ ଗଣମାଧ୍ୟମର ସହାୟତାରେ ପାରଦର୍ଶୀ ନିର୍ଗମନ ନିୟମାବଳୀକୁ କାର୍ଯ୍ୟକ୍ଷମ କରାଇ  ଦାୟିତ୍ୱବଦ୍ଧ ଓ ସୁସ୍ଥ ପ୍ରତିଦ୍ଵନ୍ଦିତାମୂଳକ ଶିଳ୍ପ ପରିବେଶ ସୃଷ୍ଟି କରିବା ଦିଗରେ ଲକ୍ଷ୍ୟ ରଖିଅଛି ।
Tags: