କେତେ ହାନିକାରକ କଣିକା ତତ୍ତ୍ୱ?

Spread the love

ବାୟୁ ପ୍ରଦୂଷଣର ଅନେକ କାରକ ମଧ୍ୟରୁ ପ୍ରମୁଖ ଓ ଅତ୍ୟଧିକ ହାନିକାରକ ହେଉଛି ପାର୍ଟିକୁଲେଟ ମ୍ୟାଟର ବା କଣିକା ତତ୍ତ୍ୱ। କଣିକା ତତ୍ତ୍ୱ ହେଉଛି ଧୂଳି ଧୂଆଁ ଆଦି ଅନେକ ଅନେକ ସୂକ୍ଷ୍ମାତିସୁକ୍ଷ୍ମ କଣିକାର ସମାହାର। ଏହା ଉଭୟ କଠିନ ଓ ତରଳ ପଦାର୍ଥର ସମାହାର। ସାରା ବିଶ୍ୱରେ କେବଳ କଣିକା ତତ୍ତ୍ୱ ପ୍ରଦୂଷଣ ଦ୍ୱାରା ପ୍ରତିବର୍ଷ ପାଖାପାଖି ପଚାଶ ଲକ୍ଷ ଲୋକ ମୃତ୍ୟୁବରଣ କରିଥାନ୍ତି।

କଣିକା ତତ୍ତ୍ୱ ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷର ହୃତପିଣ୍ଡ ଓ ଫୁସଫୁସ ଆକ୍ରାନ୍ତ ହୋଇଥାଏ। ଅନେକ ବୈଜ୍ଞାନିକ ଓ ଭେଷଜ ଗବେଷଣା ଏହାକୁ ପୁଷ୍ଟି କରିଛନ୍ତି। ହୃତପିଣ୍ଡ କିମ୍ବା ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ ବରଣ କରୁଥିବା ଅନେକ ରୋଗୀଙ୍କ ମୃତ୍ୟୁର କାରଣ ହେଉଛି କଣିକା ତତ୍ୱ। ଏହି ସୂକ୍ଷ୍ମ କଣିକା ଗୁଡିକ ମଣିଷର ଶ୍ୱାସ ଯନ୍ତ୍ରର ଭିତର ପର୍ଯ୍ୟନ୍ତ ପ୍ରବେଶ କରି ଫୁସଫୁସର କାର୍ଯ୍ୟ ବାଧାପ୍ରାପ୍ତ କରାଇବା ସହ ଅନେକ ସମୟରେ ଫୁସଫୁସ କର୍କଟର କାରଣ ମଧ୍ୟ ହୋଇଥାନ୍ତି। ହୃଦଘାତ, ଅନିୟମିତ ହୃଦକ୍ରିୟା, ଶ୍ଵାସ ରୋଗ ବଢ଼ିଯିବା, ଫୁସଫୁସର କାର୍ଯ୍ୟ ଦକ୍ଷତା ହ୍ରାସ ପାଇବା, କଫ, ନିଶ୍ୱାସ ନେବାରେ କଷ୍ଟ ହେବା ଆଦି ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ କଣିକାତତ୍ତ୍ୱ ଦ୍ୱାରା ହୋଇଥାଏ। ଯେଉଁମାନଙ୍କର ପୂର୍ବରୁ ହୃଦରୋଗ କିମ୍ବା ଫୁସଫୁସ ଜନିତ ସମସ୍ୟା ଅଛି, ସେମାନେ ଏହି ପ୍ରଦୁଷକ ସଂସ୍ପର୍ଶରେ ନିୟମିତ ଭାବେ ଆସିଲେ ଅସୁସ୍ଥତା ଦୃତ ଗତିରେ ବୃଦ୍ଧି ପାଇଥାଏ।

ନିକଟରେ କରାଯାଇଥିବା ଏକ ଭେଷଜ ଗବେଷଣା ଏହି ତଥ୍ୟ ପ୍ରଦାନ କରିଛି ଯେ କ୍ରମାଗତ ଭାବେ କଣିକା ତତ୍ତ୍ୱ ସଂସ୍ପର୍ଶରେ ଆସିବା ଦ୍ୱାରା ଶିଶୁମାନଙ୍କର ମାନସିକ ବିକାଶ ବାଧାପ୍ରାପ୍ତ ହୁଏ। ସେହିପରି ଗର୍ଭବତୀ ମହିଳାମାନେ ଯଦି କଣିକା ତତ୍ତ୍ୱ ସଂସ୍ପର୍ଶରେ ନିରନ୍ତର ଭାବେ ଆସନ୍ତି ତାହାଲେ ସମୟ ପୂର୍ବରୁ ପ୍ରସବର ଆଶଙ୍କା ବହୁ ଗୁଣରେ ବଢିଯାଏ। ଏହା ଗର୍ଭସ୍ଥ ଶିଶୁ ଦେହରେ ଅନେକ ପ୍ରକାର ଜନ୍ମଗତ ଵିଲକ୍ଷଣର କାରଣ ମଧ୍ୟ ହେଇଥାଏ।

କେବଳ ମଣିଷ ନୁହେଁ, ଜୀବ ଜଗତ ଓ ଆମ ଚାରି ପାର୍ଶ୍ଵର ପ୍ରକୃତି ମଧ୍ୟ କଣିକା ତତ୍ତ୍ୱ ଦ୍ୱାରା ପ୍ରଭାବିତ ହୋଇଥାଏ। ଏହି ପ୍ରଦୁଷକ ଗୁଡିକ ଗଛ ଲତାମାନଙ୍କର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ମନ୍ଥର କରି ଦିଅନ୍ତି। ମୃତ୍ତିକାର ପୋଷକ ତତ୍ତ୍ୱ ହ୍ରାସ କରି କୃଷିକ୍ଷେତ୍ରରୁ ହେଉଥିବା ଉତ୍ପାଦନ ହ୍ରାସ କରାଇ ଥାନ୍ତି। ଏହା ଦ୍ୱାରା ଜୈବ ବିବିଧତା ମଧ୍ୟ ପ୍ରଭାବିତ ହୁଏ। ନଈ ନାଳର ପାଣିକୁ ଅମ୍ଳଯୁକ୍ତ କରିବା ସହ ଅମ୍ଲବୃଷ୍ଟିର ଏକ ପ୍ରମୁଖ କାରଣ ହେଇଛି ଏହି ସୂକ୍ଷ୍ମ ପ୍ରଦୁଷକ। କିଛି ବିଶେଷଜ୍ଞଙ୍କ ମତ ଅନୁସାରେ ଅଷ୍ଟ୍ରେଲିଆରେ ବୃଷ୍ଟିପାତ ହ୍ରାସ ପାଇବା ପଛରେ ଏହି ପ୍ରଦୁଷକ ଗୁଡିକର ପ୍ରଭାବ ରହିଛି। ଏହା ସହ ବିଭିନ୍ନ କିର୍ତ୍ତୀରାଜି, ଷ୍ଟାଚ୍ୟୁ ଗୁଡିକ ଉପରେ ମଧ୍ୟ କଣିକା ତତ୍ତ୍ୱ କୁପ୍ରଭାବ ପକାଇ ଥାଏ। ତାଜ ମହଲର ସୌନ୍ଦର୍ଯ୍ୟ ହାନି କ୍ଷେତ୍ରରେ କଣିକା ତତ୍ୱର ନକରାତ୍ମକ ଭୂମିକା ରହିଛି।

ଓଡ଼ିଶାର ଛଅ ଗୋଟି ସହରର ବାୟୁରେ ଏବେ କଣିକା ତତ୍ତ୍ୱର ଉପସ୍ଥିତି ଏବେ ଉଦବେଗଜନକ ସ୍ଥିତିରେ ପହଂଚିଛି। ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ଏହି ସହର ଗୁଡିକ ହେଲା, ଭୁବନେଶ୍ୱର, କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର ଓ ରାଉରକେଲା। ଜାତୀୟ ସବୁଜ ପ୍ରାଧିକରଣର ତଥ୍ୟ ଅନୁସାରେ ଓଡ଼ିଶାରେ ବାୟୁ ମଣ୍ଡଳରେ କଣିକାତତ୍ତ୍ୱ ବୃଦ୍ଧି ପାଇବାର ପ୍ରମୁଖ କାରଣ ହେଉଛି ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ ଧୂଳି ଧୂଆଁ, ଯାନବାହାନ ଜନିତ ପ୍ରଦୂଷଣ ଏବଂ ନିର୍ମାଣ କିମ୍ବା ଭଙ୍ଗାରୁଜା ସମୟରେ ସୃଷ୍ଟି ହେଉଥିବା ଧୂଳି।

ଓଡ଼ିଶାରେ ପ୍ରାୟ ୧୩୦ଟି ଶିଳ୍ପାନୁଷ୍ଠାନ ଏପରି ରହିଛି ଯେଉଁଥିରୁ ଅଧିକ ପରିମାଣରେ କଣିକା ତତ୍ତ୍ୱ ନିର୍ଗତ ହୋଇଥାଏ। ଏହି ଶିଳ୍ପାନୁଷ୍ଠାନ ଗୁଡିକ ସାଧାରଣତଃ ଅନୁଗୁଳ, ତାଳଚେର, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ରାଉରକେଲା, କଳିଙ୍ଗନଗର ଆଦି ଶିଳ୍ପାଞ୍ଚଳରେ ଅବସ୍ଥିତ। ଏହା ଛଡା କେନ୍ଦୁଝର ଓ ଅନ୍ୟାନ୍ୟ ଖଣି ଅଂଚଳ ଗୁଡିକରେ ଖଣିଜ ଦ୍ରବ୍ୟ ଉତ୍ତୋଳନ, ସେମାନଙ୍କ ପରିବହନ ସମୟରେ ଅନେକ ମାତ୍ରାରେ କଣିକା ତତ୍ତ୍ୱ ନିର୍ଗମନ ହୋଇଥାଏ। ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ କଣିକା ତତ୍ତ୍ୱର ନିୟନ୍ତ୍ରଣ ପାଇଁ ଓଡିଶା ସରକାର ଗତ ବର୍ଷ ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଏକ ତଥ୍ୟ ସାର୍ବଜନୀକାରଣ କାର୍ଯ୍ୟକ୍ରମ ଓ ଏହା ମାଧ୍ୟମରେ ଉଭୟ ଶିଳ୍ପାନୁଷ୍ଠାନ ଓ ଜନସାଧାରଣ ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ ପ୍ରଦୂଷଣ ତଥ୍ୟ ସମ୍ପର୍କରେ ଅବଗତ ହୋଇଥାନ୍ତି। ଏହି ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ ହେଉଥିବା କଣିକା ତତ୍ତ୍ୱକୁ ଏକ ନିୟନ୍ତ୍ରିତ ସୀମା ଭିତରେ ରଖିବା ପାଇଁ ଶିଳ୍ପାନୁଷ୍ଠାନମାନଙ୍କ ଉପରେ ଚାପ ପକାଇବାରେ ଅନେକାଂଶରେ ସକ୍ଷମ ହୋଇ ପାରିବ।

ଯାନବାହାନ ଜନିତ କଣିକା ତତ୍ତ୍ୱ ପ୍ରଦୂଷଣକୁ ରୋକିବା ପାଇଁ ସର୍ବସାଧାରଣ ପରିବହନ ବ୍ୟବସ୍ଥାର ଅଧିକ ଉପଯୋଗ କରିବା ଦିଗରେ ଜନସାଧାରଣଙ୍କୁ ଅଧିକ ମାତ୍ରାରେ ଉତ୍ସାହିତ କରିବା ଆବଶ୍ୟକ। ବିଶେଷ କରି କଟକ ଭୁବନେଶ୍ୱରରେ ଏହାକୁ ବ୍ୟାପକ କରାଯିବା ଓ ବୈଦ୍ୟୁତିକ ଯାନର ବ୍ୟବହାର ଉପରେ ମଧ୍ୟ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ରହିଛି । ଏହା ସହ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହର ଗୁଡିକରେ ମଧ୍ୟ ସର୍ବସାଧାରଣ ପରିବହନ ବ୍ୟବସ୍ଥାର ଉନ୍ନତି କରାଯାଇ ବ୍ୟକ୍ତିଗତ ବାହାନ ବ୍ୟବହାରକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ। ନିର୍ମାଣ ଓ ଭଙ୍ଗାରୁଜା ସମୟରେ ଯେପରି ସର୍ବନିମ୍ନ ପରିମାଣର କଣିକା ତତ୍ତ୍ୱ ଜନିତ ପ୍ରଦୂଷଣ ସର୍ବନିମ୍ନ ହେବ ସେଥି ପ୍ରତି ଉଚିତ ଧ୍ୟାନ ଦିଆଯିବା ଆବଶ୍ୟକ।

ସର୍ବୋପରି, କଣିକା ତତ୍ୱର କାରଣ, କୁପ୍ରଭାବ ଓ ନିରାକରଣ ସମ୍ପର୍କରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସଚେତନତା ହିଁ ଏହାକୁ ରୋକିବା ଦିଗରେ ପ୍ରମୁଖ ଆୟୁଧ ହେବ।

Tags: