ଇମ୍ରାନ ଖାନଙ୍କ ବିରୋଧରେ ପୂର୍ବତନ ପତ୍ନୀଙ୍କ ସଙ୍ଗୀନ ଅଭିଯୋଗ,ମୋଦିଙ୍କ ସହ ଡିଲ୍

Spread the love
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଘଟଣାରେ ପାକିସ୍ତାନର ସ୍ଥିତି ପ୍ରତିଦିନ ଅଶାନ୍ତ ହେବାରେ ଲାଗିଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିରେ ପାକିସ୍ତାନ ଏକ ପ୍ରକାର ଭୟଭୀତ ହୋଇପଡିଛି।ଏହାକୁ ଅନ୍ତଃର୍ଜାତୀୟ ସ୍ତରରେ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଛି ପାକିସ୍ତାନ। କିନ୍ତୁ ଏହା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ଜମ୍ମୁ-କଶ୍ମୀରକୁ ନେଇ ତାଙ୍କ ପୂର୍ବତନ ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ, ଯାହାକି ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ବଡ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ରେହମ ଖାନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ତଥା ତାଙ୍କର ପୂର୍ବତନ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ଇମ୍ରାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୋପନୀୟ ଚୁକ୍ତି କରିଛନ୍ତି। ଏହି ଡିଲ୍ ଭାରତର ପ୍ରଧାନମନ୍ତ୍ରୀ ଖୁସି କରିବା ଅନୁସାରେ ଚେଷ୍ଟା କରାଯାଇଛି। ଏଭଳି ଡିଲ୍ କରି ଇମ୍ରାନ କଶ୍ମୀରକୁ ବିକ୍ରି କରିଦେଇଛନ୍ତି, ତେଣୁ ଇମ୍ରାନ ଏହି ପ୍ରସଙ୍ଗ ଉପରେ କୌଣସି କଡା ପଦକ୍ଷେପ ନେଉ ନାହାନ୍ତି।
ଏକ ରିପୋର୍ଟ ଅନୁସାରେ, ରେହମ କହିଛନ୍ତି, ଆମକୁ ଆରମ୍ଭରୁ ଶିଖାଯାଇଥିଲା ‘କଶ୍ମୀର ପାକିସ୍ତାନର ହେବ’। ମୁଁ କହିବି କଶ୍ମୀରକୁ ବିକ୍ରି କରିଦିଆଯାଇଛି। ୫ ଅଗଷ୍ଟରେ ଭାରତର ନିଷ୍ପତ୍ତି ପରେ ମୋତେ ମୋର ଟିମ୍ ମେମ୍ବରଙ୍କ ଫୋନ୍ ଆସିଥିଲା ଯେ, ମ୍ୟାଡାମ ଆପଣ ଯାହା କହୁଥିଲେ ତାହା ଏବେ ସତ ହେଉଛି। ଏହାପରେ ମୁଁ ଜବାବ୍ ଦେଇଥିଲି ଦୟାକରି ପ୍ରାର୍ଥନା କରନ୍ତୁ ଏଭଳି ନହେଉ। ରେହମ କହିଛନ୍ତି ମୁଁ ଏଭଳି ଗତ ଅଗଷ୍ଟରେ କହିଥିଲି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯାହା କରିବାର ଥିଲା ତାହା ସେ କରିଦେଲେ, ଧାରା ୩୭୦ ଉଚ୍ଛେଦ କଲେ। ସେ ତାହା କଲେ ଯେଉଁଥିପାଇଁ ଦେଶବାସୀ ତାଙ୍କୁ କ୍ଷମତାକୁ ଆଣିଥିଲେ।
ଏହାପରେ ରେହମ କହିଛନ୍ତି, ଆମ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ଯେଉଁ ଦିନ କଶ୍ମୀରକୁ ନେଇ ପଲିସି ଷ୍ଟେଟମେଣ୍ଟ  ଦେବାର ଥିଲା ସେ ଦିନ ସେ କହିଥିଲେ ମୋତେ ଜଣାଥିଲା ମୋଦି ଏଭଳି କରିବେ। ଏହା ମୋତେ ସେବେଠାରୁ ଜଣାଥିଲା ଯେବେ ମୁଁ ତାଙ୍କୁ ବିଷ୍ମକେକରେ ସାକ୍ଷାତ କରିଥିଲି ଓ ମୋ ପ୍ରତି ଯେଉଁଭଳି ରୁକ୍ଷ ଆଚରଣ ଦେଖାଇଥିଲେ। ମୁଁ ସେବେଠାରୁ ଜାଣିଥିଲି, ଯେବେ ପୁଲଓ୍ବାମା ଆକ୍ରମଣ ହୋଇଥିଲା। ରେହମ କହିଛନ୍ତି, ଯେତେବେଳେ ତାଙ୍କୁ ଜଣାପଡିଥିଲା ଏଭଳି କିଛି ହେବାର ଅଛି, ତେବେ ସେ ମୋଦିଙ୍କ ସହିତ ବନ୍ଧୁତ୍ବର ହାତ କାହିଁକି ବଢାଉଥିଲେ ଏବଂ ମିସ୍ କଲ୍ କରୁଥିଲେ। ଏଥିରୁ ସ୍ପଷ୍ଟ ଯେ, ଇମ୍ରାନ ଦୁର୍ବଳ ଏବଂ କିଛି କରିବାକୁ ଅସମର୍ଥ ।
ଉଲ୍ଲେଖନୀୟ ଯେ, ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହମ ତାଙ୍କ ବିରୋଧରେ ବହୁ ଗମ୍ଭୀର ଅଭିଯୋଗ କରିସାରିଛନ୍ତି। ଗତ ବର୍ଷ ପାକିସ୍ତାନରେ ହୋଇଥିବା ନିର୍ବାଚନ ସମୟରେ ରେହମ ଏକ ବହି ଉନ୍ମୋଚନ କରିଥିଲେ, ଯେଉଁଥିରେ ସେ ଇମ୍ରାନ ଜଣେ ସମଲିଙ୍ଗୀ ବୋଲି ଖୁଲାସା କରିଥିଲେ। ରେହମ ହେଉଛନ୍ତି ଇମ୍ରାନଙ୍କ ଦ୍ବିତୀୟ ପତ୍ନୀ। ରେହେମ ମଧ୍ୟ ଇମ୍ରାନଙ୍କୁ ଦ୍ବିତୀୟ ଥର ପାଇଁ ବିବାହ କରିଥିଲେ, ପ୍ରଥମ ସ୍ବାମୀଙ୍କ ପକ୍ଷରୁ ତାଙ୍କର ୩ଟି ସନ୍ତାନ ରହିଛନ୍ତି। ରେହମ ପ୍ରଥମ ବିବାହ ଏଜାଜୁର ରହମାନଙ୍କୁ ୧୯୯୨ରେ କରିଥିଲେ, ଯାହାକି ୨୦୦୬ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ୬ ଜାନୁଆରୀ ୨୦୧୫ରେ ସେ ଇମ୍ରାନ ଖାନଙ୍କୁ ଦ୍ବିତୀୟ ବିବାହ କରିଥିଲେ, ତେବେ ୧୦ ମାସ ପରେ ଦୁହିଁଙ୍କ ଭିତରେ ତଲାକ୍ ହୋଇଯାଇଥିଲା। ରେହମ ଜଣେ ବ୍ରିଟିସ ସାମ୍ବାଦିକ, ଲେଖକ ଓ ଫିଲ୍ମ ନିର୍ମାତା ମଧ୍ୟ।