latest

ନନ୍ଦନକାନନରେ ହାରପିସ୍ ଭୂତାଣୁ ସଂକ୍ରମଣ, 4 ହାତୀ ମୃତ

Spread the love

ନନ୍ଦନକାନନ ଚିଡିଆଖାନାରେ ହାରପିସ୍ ଭୂତାଣୁ ସଂକ୍ରମଣ ଯୋଗୁଁ ହାତୀଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରୁଛି। ଏବେ ଜୀବନ ସହ ସଂଘର୍ଷ କରୁଛି ଛୁଆ ହାତୀ ମାମା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏବେ ମାମାର ଚିକିତ୍ସା ଦାୟିତ୍ୱରେ ରହି 24 ଘଣ୍ଟିଆ ନଜର ରଖିଛନ୍ତି । ମାମାକୁ କିପରି ଭୂତାଣୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ ସେ ନେଇ ଜାରି ରହିଛି ଉଦ୍ୟମ । ତେବେ ଏହା ମଧ୍ୟରେ ଗତକାଲି ନନ୍ଦନକାନନରେ ପ୍ରାଣ ହରାଇଛି ଆଉ ଏକ ଛୁଆ ହାତୀ । ଗୌରୀ ହାତୀ ଭୂତାଣୁ ସଂକ୍ରମଣର ଶିକାର ହୋଇ ଅସୁସ୍ଥ ହେବା ପରେ ଶୁକ୍ରବାର ରାତି 9 ଟା 51 ମିନିଟ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ହାର୍ପିସ୍ ଭୂତାଣୁ ସଂକ୍ରମଣରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହା ହେଉଛି ଚତୁର୍ଥ ହାତୀ ମୃତ୍ୟୁ । ପୂର୍ବରୁ ଏକ ଚିକିତ୍ସକ ଟିମ୍ ଗୌରୀ ହାତୀର ଚିକିତ୍ସା ଉପରେ ନଜର ରଖିଥିଲେ । କିନ୍ତୁ ଏହି ଡାକ୍ତରୀଟିମ୍ ଗୌରୀକୁ ବଂଚାଇ ପାରି ନଥିଲେ । କହିବାକୁ ଗଲେ ଗତ ମାସକ ଭିତରେ ହାତୀ ସଫାରୀକୁ ବିପଦ ମାଡି ଆସିଛି ।

ନନ୍ଦନକାନନ ଚିଡିଆଖାନାରେ ଭୂତାଣୁ ସଂକ୍ରମଣ ନେଇସାରିଲାଣି 4 ଟି ହାତୀଙ୍କ ଜୀବନ । ପ୍ରଥମେ ଅଗଷ୍ଟ 25 ତାରିଖରେ ମାଈ ହାତୀ ଜୁଲି , ସେପ୍ଟେମ୍ୱର15ତାରିଖରେ 10 ବର୍ଷର ପୁରୁଷ ହାତୀ ଚନ୍ଦନ , ସେପ୍ଟେମ୍ୱର 19ତାରିଖରେ 7 ବର୍ଷର ହାତୀ କମଳା ଆଖି ବୁଜିବା ପରେ ଗତକାଲି 3 ବର୍ଷର ଛୁଆ ହାତୀ ଗୌରୀ ଆଖି ବୁଜିଛି । ଏଭଳି ହାତୀ ମୃତ୍ୟୁ ପରେ ବର୍ତମାନ ନନ୍ଦନକାନନରେ 3 ଟି ବୟସ୍କ ହାତୀ ଓ ଗୋଟିଏ ମାଈ ହାତୀ ଛୁଆକୁ ମିଶାଇ 4 ଟି ହାତୀ ରହିଛନ୍ତି । ଏହାକୁ ନେଇ ଚିଡିଆଖାନାରେ ହାତୀଙ୍କ ସୁରକ୍ଷା ନେଇ ବିତର୍କ ଆରମ୍ଭ ହୋଇଛି । ହାରପିସ୍ ଭୂତାଣୁକୁ କିଭଳି ପ୍ରତିହତ କରାଯିବ ସେଥିପାଇଁ କର୍ତୃପକ୍ଷଙ୍କୁ ଚିନ୍ତା ଘାରିଛି । ଏବେ ଏହି ହାତୀ ଗୁଡିକୁ ବଂଚାଇବା ନନ୍ଦନକାନନ ଚିଡିଆଖାନା କର୍ତୃପକ୍ଷଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ ହୋଇଯାଇଛି ।

Tags: