latest

ମହାଳୟାରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

Spread the News

ବର୍ଷ ସାରାର ସିନ୍ଦୂରବର୍ଣ୍ଣା ଉଜ୍ଜ୍ବଳ ତେଜକୁ ତ୍ୟାଗ କରି ଦୀପ୍ତିମନ୍ତ ଶ୍ବେତ ବର୍ଣ୍ଣ ଧାରଣ କରିଛନ୍ତି ଜଗତ୍‌ଜନନୀ। ମହାଳୟା ଅବସରରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ସମ୍ବଲପୁରର ଅଧିଷ୍ଠତ୍ରୀ ଦେବୀ ମା’ ସମଲେଶ୍ବରୀ। ଶନିବାର ଶୁଭ୍ର ପ୍ରଲେପରେ ମାଆଙ୍କ ମୁଖମଣ୍ଡଳ ସମ୍ପୂର୍ଣ୍ଣ ଧବଳବର୍ଣ୍ଣା ହୋଇଥିଲାବେଳେ ଶ୍ବେତପଦ୍ମ, ମଲ୍ଲୀ, ଟଗର ଭଳି ଧଳା ଫୁଲ ଲାଗି ହୋଇଥିଲା। ଅତି ପ୍ରଶାନ୍ତ, ସ୍ନିଗ୍‌ଧ, ଶୀତଳ ସେହି ଧବଳ ରୂପ ଦର୍ଶନ କରି ଧନ୍ୟ ହୋଇଥିଲେ ଅଗଣିତ ଭକ୍ତ। ମା’ଙ୍କର ଏହି ବେଶକୁ ଗ˚ଗା ଓ ସରସ୍ବତୀ ବେଶ ବୋଲି ମଧୢ କୁହାଯାଏ। ବର୍ଷରେ ଥରେ ଆସୁଥିବା ମା’ଙ୍କର ଏହି ବିରଳ ରୂପ ଦର୍ଶନର ସୁଯୋଗକୁ ହାତଛଡ଼ା ନ କରିବା ପାଇଁ ଦୂର ଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥିଲା। ସଂଧ୍ୟାରେ ପ୍ରବଳ ବର୍ଷା ସତ୍ତ୍ବେ ଶନିବାର ଭୋର‌୍‌ରୁ ମଧୢରାତ୍ରି ସୁଦ୍ଧା ପ୍ରାୟ ଏକ ଲକ୍ଷ ଭକ୍ତ ମାଆଙ୍କ ଏହି ଶାନ୍ତ, କରୁଣାମୟୀ ରୂପ ଦର୍ଶନ କରି ଗ˚ଗା ଦର୍ଶନର ପୁଣ୍ୟ ଲାଭ କରିଥିଲେ।

ଶୁକ୍ରବାର ମଧୢରାତ୍ରିରୁ ମାଆଙ୍କୁ ଧବଳ ବେଶରେ ସଜ୍ଜିତ କରା ଯାଇଥିଲା। ଶ˚ଖ, ଗୋପୀ ତିଳକ, ଅଗୁର, ଚନ୍ଦନ ସମେତ ବିଭିନ୍ନ ଶ୍ବେତ ଦ୍ରବ୍ୟରେ ପ୍ରସ୍ତୁତ ମିଶ୍ରଣର ପ୍ରଲେପ ଲଗାଇ ଲୋହିତ ବର୍ଣା ମାଆଙ୍କୁ ଶୁଭ୍ର ର˚ଗ ଦିଆ ଯାଇଥିଲା। ପୂଜକମାନେ ମା’ଙ୍କୁ ବେଶ କରିବା ସହ ଏଥି ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବ˚ ବିଧି ପାଳନ କରିଥିଲେ। ଏହାପରେ ଭୋରରୁ ଭକ୍ତଙ୍କ ପାଇଁ ମନ୍ଦିରର ଦ୍ବାର ଖୋଲି ଦିଆ ଯାଇଥିଲା। ମାଆଙ୍କ ଏହି ଦିବ୍ୟରୂପର ପ୍ରଥମ ଦର୍ଶନ ପାଇବା ପାଇଁ ଶନିବାର ଭୋର‌୍‌ରୁ ଭକ୍ତଙ୍କ ଧାଡ଼ି ଲାଗିଥିଲା। ସକାଳ ହେଲା ବେଳକୁ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରବଳ ଭିଡ଼ ହୋଇଥିଲା। ଲମ୍ବା ଧାଡ଼ି ଲାଗି ରହିଥିଲା। ମାଆ ସୋମବାର ମଧୢାହ୍ନ ୨ଟା ପର୍ଯ୍ୟନ୍ତ ଏହି ଧବଳ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥି ପାଇଁ ମନ୍ଦିର ଏବ˚ ଏହାର ଆଖପାଖ ଅଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁନ୍ଦର ର˚ଗିନ ଆଲୋକ ମାଳାରେ ମନ୍ଦିର ଓ ରାସ୍ତା ଝଲସୁଛି। ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପ୍ରବଳ ଜନସମାଗମକୁ ଆଖିରେ ରଖି କଡ଼ା ପୁଲିସ ବ୍ୟବସ୍ଥା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଧବଳମୁଖୀ ସମଲେଶ୍ବରୀଙ୍କ ଏକ ଅପରୂପ ଓ ଅନନ୍ୟ ବେଶ। ଏହା ମହାକାଳୀ, ମହାଲକ୍ଷ୍ମୀ ଏବ˚ ମହାସରସ୍ବତୀଙ୍କ ମିଶ୍ରିତ ରୂପ ବୋଲି କୁହାଯାଏ। ରବିବାରଠାରୁ ସମଲେଶ୍ବରୀ ପୀଠରେ ନବରାତ୍ର ପୂଜା ଆରମ୍ଭ ହେବ। ମହାଳୟା ଅବସରରେ ସମଲେଶ୍ବରୀଙ୍କ ସମେତ ମା’ ପାଟଣେଶ୍ବରୀ, ବାଟମଙ୍ଗଳା, ଭୁବନେଶ୍ବରୀ ଏବ˚ ଅନ୍ୟ ଦେବୀମାନେ ମଧୢ ଧବଳମୁଖୀ ବେଶ ଧାରଣ କରିଛନ୍ତି। ଏହି ମନ୍ଦିର ଗୁଡ଼ିକରେ ମଧୢ ଭକ୍ତଙ୍କ ବେଶ ଭିଡ଼ ଜମିଛି।

 
Tags: