latest

“ଓଁ ପରମାତ୍ମନେ ନମଃ”

Spread the love

ଆମେ ଦେଖୁଛେ ପ୍ରତିଦିନ ସୂର୍ଯ୍ୟ ଉଦୟ ହେଉଛନ୍ତି ଓ ଅସ୍ତ ଯାଉଛନ୍ତି। ପ୍ରତିଦିନ ସକାଳ ହେଉଚି ପୁଣି ସନ୍ଧ୍ୟା ହେଉଛି। ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତ ସହିତ ତାଳ ଦେଇ ମଣିଷର ଆୟୁଷ ମଧ୍ୟ ସରିସରି ଯାଉଛି।ବିଚାର କଲେ ବିସ୍ମୟ ଲାଗେ ଯେ ଦିନ ଓ ରାତି କିପରି କେତେ ତୀବ୍ର ଗତିରେ ଆସୁଛନ୍ତି ଯାଉଛନ୍ତି।ସୁଦୀର୍ଘ ଅତୀତର ଘଟଣା ଗୁଡ଼ିକ କାଲି ଘଟିଥିଲା ଭଳି ଲାଗୁଚି। ନିଜ ଶରୀରକୁ ଦେଖିଲେ ଆମକୁ ଜଣାଯାଏ ନାହିଁ ଯେ କେଉଦିନ ଆମେ ଶିଶୁରୁ ବାଳକ,ବାଳକରୁ କିଶୋର,କିଶୋରରୁ ଯୁବକ ଇତ୍ୟାଦି ହେଇଯାଉଛୁ। ଏହି ଗତି କୌଣସି ଗୋଟିଏ ଦିନରେ ହେଇନାହିଁ। ଏହା ଏବେ ଵି ଚାଲୁଚି। ଭବିଷ୍ୟତରେ ତାର ଅଵଶ୍ୟମ୍ଭାବୀ ପରିଣାମ ଗୁଡ଼ିକ ଆସିବ। 

ପରିବାର ପ୍ରତିପୋଷଣ ପାଇଁ ସବୁବେଳେ ଚିନ୍ତାକରି ଉଦ୍ୟମରତ ହେବା ସହିତ ଟଙ୍କା ଉପାର୍ଜନ କରିବାରେ ସର୍ବଦା ବ୍ୟସ୍ତ ରହୁଥିବା ଲୋକକୁ ଜଣାମଧ୍ୟ ପଡୁନାହିଁ ଯେ କିଭଳି ଦିନକୁ ଦିନ ଆୟୁଷ ସରିସରି ଆସୁଛି। ହଠାତ ଦେଖିଲା ବେଳକୁ ସେମାନଙ୍କର ଶେଷ ସମୟ ଉପସ୍ଥିତ ହେଇ ଯାଉଚି। ସେଇଥିପାଇଁ କବିବର ରାଧାନାଥ ଲେଖିଲେ:–
“ଭଗ୍ନ ଘଟୁ ଆହା ସଲିଳ ଯେସନ,
ସରି ଯାଉଅଛି ଆୟୁ ପ୍ରତିକ୍ଷଣ।
ବଡ଼ କ୍ରୁର କାଳ ବଡ଼ ଅବିଶ୍ଵାସୀ,
ହାବୋଡ଼ି ଯିବ ସେ ଆଚମ୍ବିତେ ଆସି”।

ମନୁଷ୍ୟ ନିତି ନିଜ ଆଖିରେ ଦେଖୁଚି ଯେ ଆଜି ଅମୁକ ବ୍ୟକ୍ତି ଚାଲିଗଲା ସଂସାରରୁ। କାଲି ଯେଉଁ ବ୍ୟକ୍ତି ପୂର୍ଣ୍ଣ ଯୌବନର ଉଦ୍ଦାମ ଗତିରେ ଛାତି ଫୁଲେଇ ଚାଲୁଥିଲା, କେତେ ଧାଁ-ଧପଡ଼ କରୁଥିଲା, ଆଜି ସେ ବୃଦ୍ଧ, ସ୍ଥବିର ହେଇଯାଇଚି, ଛାତି ଆଗକୁ ନୁହେଁ ପଛକୁ ହୋଇଯାଇଛି, ଅଣ୍ଟା ନଇଁ ଯାଇଚି। କାଲି ଯିଏ କେତେ ଜୋରରେ ଗାଡି ଚଲାଉଥିଲା ଆଜି ସେ କେତେ ଧୀରେ ଧୀରେ ବାଡ଼ି ଧରି ଚାଲୁଚି। ଦିନେ ଯିଏ ନିଜ ଯୌବନର ସୁନ୍ଦରତାକୁ ନେଇ ଅଭିମାନ କରୁଥିଲା, ଆଜି ତାର ଯୌବନର ସୁନ୍ଦରତା ଆଉ ନାହିଁ, ଚେହେରା ମଉଳି ଯାଇଚି,ସବୁ ଫିକା ପଡ଼ି ଯାଇଚି। ଯେଉଁ ବ୍ୟକ୍ତି ଦିନେ କୋଟି କୋଟି ଟଙ୍କାରେ ଶୋଉଥିଲା ଆଜି ସେ ଗୋଟେ ଛିଣ୍ଡା ଖଟରେ ଘରର ଗୋଟେ କୋଣରେ ପଡ଼ିଛି।ଅନ୍ୟର ସହାୟତାକୁ ଅପେକ୍ଷା କରୁଛି।

କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ନିତିଦିନ ଜନ୍ମ,ଜରା,ବିପତ୍ତି ଓ ମରଣକୁ ଦେଖି ସୁଦ୍ଧା ମଣିଷ ନିଜେ ସବୁଦିନ ଯୁବକ ଥିବ ବୋଲି ଭାବୁଚି। ଅନ୍ୟକୁ ବିପଦରେ ପଡୁଥିବା ଦେଖି ମଧ୍ୟ ନିଜ ଉପରେ କେଵେଵି ଵିପଦ ପଡ଼ିବ ବୋଲି ଭାବୁନାହିଁ। ” ଅନିତ୍ୟାନି ଶରୀରାଣି” – ନିଜର ବନ୍ଧୁ ବାନ୍ଧବ,ଜ୍ଞାତି କୁଟୁମ୍ବ ସର୍ବସ୍ବ ତ୍ୟାଗ କରି ମୃତ୍ୟୁ ବରଣ କରୁଥିବା ଲୋକକୁ ଦେଖି ମଧ୍ୟ ନିଜେ ଵି ଦିନେ ମରିବ ବୋଲି ବିଶ୍ୱାସ କରୁନାହିଁ। ଏହାର କାରଣ କଣ? ?
ସତେ ଯେମିତି ମଦ ପିଇ ସାରା ସଂସାରଟା ମତୁଆଲା ହେଇଯାଇଚି। ସତ୍ୟକୁ ଜାଣି ପାରୁନାହିଁ।

ସେଇଥିପାଇଁ ଚାଣକ୍ୟ କହିଲେ:– ” ନିତ୍ୟ ସନ୍ନିହିତୋ ମୃତ୍ୟୁ”
ଅର୍ଥ:– ମନୁଷ୍ୟ ମତୁଆଲା ହୋଇ ମୃତ୍ୟୁକୁ ଭୁଲିଗଲେ ସୁଦ୍ଧା ମୃତ୍ୟୁ ତାର କାର୍ଯ୍ୟ ଭୁଲିନାହିଁ। ସେ ଆସୁଛି ନିରନ୍ତର ପାଖକୁ ପାଖକୁ।
ସେଇଥିପାଇଁ କବି ରାଧାନାଥ କହିଲେ:–

“ଆସୁଛି ନିରବେ ସେହୁ ପ୍ରତିକ୍ଷଣେ,
ନିତ୍ୟଗାମି- ରଥ- ଚକ୍ର- ଆଵର୍ତ୍ତନେ। “

ମନୁଷ୍ୟର ସମସ୍ତ ଗର୍ବ,ଅଭିମାନ,ଅହଂକାରକୁ ସେ ସମାପ୍ତ କରିଦେବ। ସମସ୍ତ ଗତିକୁ ସେ ଅଵରୁଦ୍ଧ କରିଦେବ। ସମସ୍ତ କୌଶଳକୁ ସେ ପଣ୍ଡ କରିଦେବ। ତା ପାଖରେ ସବୁ ଫନ୍ଦି ଫିକର ନିଷ୍ଫଳ ହେଇଯିବ। ମୃତ୍ୟୁ ଯେତେଵେଳେ ମଣିଷକୁ ଶବରେ ପରିଣତ କରିଦେବ, ଭାଇ ବନ୍ଧୁ ନେଇ ମଶାଣିରେ ଫୋପାଡ଼ି ଦେଇ ଆସିବେ। ତାପରେ କଣ ହେଵ ସେ ଶରୀରର??
ସେଇଥିପାଇଁ କବି କହନ୍ତି:—
ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି,
ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ରେ।

ଏ ଶରୀରତ ଏଠି ରହିଯିବ, ତାହାହେଲେ ପରଲୋକରେ, ପରଜନ୍ମରେ ସାଥୀ କିଏ ହେଵ? ସେ ସମ୍ବନ୍ଧରେ ମନୁ କହନ୍ତି(ମନୁ.୪:୨୩୯):-

“ନାମୁତ୍ର ହି ସହାୟାର୍ଥଂ ପିତା ମାତା ଚ ତିଷ୍ଠତି।
ନ ପୁତ୍ରଦାରା ନ ଜ୍ଞାତିର୍ଧର୍ମସ୍ତିଷ୍ଠତି କେଵଲଃ”।

ପରଲୋକରେ ସହାୟତା କରିବା ପାଇଁ ମାତା, ପିତା,ପତ୍ନୀ,ପୁତ୍ର, ଜ୍ଞାତି କୁଟୁମ୍ବ କେହି ମଧ୍ୟ ନଥାନ୍ତି, ଅର୍ଥାତ ଏମାନଙ୍କ ମଧ୍ୟରୁ କେହି ମଧ୍ୟ ପରଲୋକରେ ସହାୟତା କରିପାରିବେ ନାହିଁ।

ସ୍ମଶାନରୁ ତ ସମସ୍ତ ପରିଜନ ଫେରି ଆସିବେ। ଦେହ ମଧ୍ୟ ସାଙ୍ଗରେ ଯିବ ନାହିଁ। ତେବେ ସାଙ୍ଗରେ ଯିବ କିଏ? ତାର ଉତ୍ତର ଦେଇ ମହର୍ଷି ମନୁ କହନ୍ତି(ମନୁ.୮:୧୭) :—
“ଏକ ଏବ ସହୃଦ୍ଧର୍ମୋ ନିଧନେପ୍ୟନୁୟାତି ୟଃ,
ଶରୀରେଣ ସମଂ ନାଶଂ ସର୍ବମନ୍ୟଦ୍ଧି ଗଚ୍ଛତି। “

ଅର୍ଥ:- ଏ ସଂସାରରେ ଏକମାତ୍ର “ଧର୍ମ” ହିଁ ମିତ୍ର ଯିଏକି ମୃତ୍ୟୁ ପରେ ମଧ୍ୟ ସାଙ୍ଗରେ ଯାଇଥାଏ। ଅନ୍ୟ ସମସ୍ତ ପଦାର୍ଥ,ସାଙ୍ଗସାଥୀ ଶରୀରର ନାଶ ସହିତ ନାଶପ୍ରାପ୍ତ ହୁଅନ୍ତି ଅର୍ଥାତ ମୃତ୍ୟୁପରେ ସମସ୍ତଙ୍କ ସାଙ୍ଗ ଛାଡ଼ିଯାଏ; କିନ୍ତୁ ଧର୍ମର ସାଙ୍ଗ କେଵେ ମଧ୍ୟ ତୁଟେ ନାହିଁ।
ସେଇଥିପାଇଁ ଚାଣକ୍ୟ କହିଛନ୍ତି “ଧର୍ମ ମିତ୍ରଂ ମୄତସ୍ୟ” ଧର୍ମ ହିଁ ମୃତ ବ୍ୟକ୍ତିର ସଖା ଅଟେ। ଏବଂ ସେ ପରାମର୍ଶ ଦେଇଛନ୍ତି “କର୍ତ୍ତବ୍ୟୋ ଧର୍ମ ସଂଗ୍ରହଃ” ଧର୍ମ ସଂଗ୍ରହ ହିଁ ମନୁଷ୍ୟର ମୁଖ୍ୟ କର୍ତ୍ତବ୍ୟ।
ଧର୍ମ ହିଁ ବାସ୍ତବରେ ମନୁଷ୍ୟର ପରିଚୟ। ଧର୍ମହୀନ ମନୁଷ୍ୟ ବାସ୍ତବରେ ମନୁଷ୍ୟ ପଦବାଚ୍ୟ ହିଁ ନୁହେଁ।

ତେଣୁ ବଡ଼ ସୁନ୍ଦର ଭାବରେ ଟୀକା ଗୋବିନ୍ଦ ଚନ୍ଦ୍ରରେ କବି ଲେଖିଲେ:—

“ପକାଇ ଆସିବେ ମଶାଣି ଭୂଇଁରେ ଦୁଆରେ ଦେବେ ଗୋବର,
ମଲା ମଲା ବୋଲି ଦି’ଘଡି କାନ୍ଦିବେ ଜଣେ ନ ଯିବେ ସଙ୍ଗର।
ଆସିବାର ବେଳେ ଏକାରେ କୁମର ଯିବା ବେଳେ ଯିବୁ ଏକା,
ମଲେ ତୋ ସଙ୍ଗରେ ଜଣେ କେ ନ ଯିବ ଧର୍ମ ଥିଲେ ହେଵ ସଖା।
ଯାହା ଦେବୁ ହସ୍ତ ଟେକିରେ କୁମର ଯାହା ଦେବୁ ହସ୍ତ ତୋଳି,
ଦକ୍ଷିଣ ହସ୍ତରେ ଯେ ଧର୍ମ କରିବୁ ସେ ହେଵ ପଥ ସଙ୍ଖାଳି। “

ଧର୍ମ ଆଚରଣ ଜୀଵନର ଉଦେଶ୍ୟ ନହେଲେ ମନୁଷ୍ୟ କେଵଳ ଶାରୀରିକ ଗଠନ ଦୃଷ୍ଟିରୁ ହିଁ ମନୁଷ୍ୟ,କିନ୍ତୁ ଅନ୍ୟ ଦୃଷ୍ଟିରେ ନୁହେଁ। ସେଇଥିପାଇଁ ନୀତିଶାସ୍ତ୍ରରେ କୁହାଯାଇଛି( ହିତୋପଦେଶ.୧:୨୫):–

“ଆହାର ନିଦ୍ରା ଭୟ ମୈଥୁନଂ ଚ
ସାମାନ୍ୟମେତତ୍ ପଶୁଭିର୍ନରାଣାମ୍,
ଧର୍ମୋ ହି ତେଷାମଧିକୋ ବିଶେଷା,
ଧର୍ମେଣ ହୀନଃ ପଶୁଭି ସମାନା। “

ଅର୍ଥ:– ଭୋଜନ,ଶୟନ, ଭୟ ଓ ସନ୍ତାନ ପ୍ରସବ କରିବା ଏହି ସବୁ କାର୍ଯ୍ୟତ ପଶୁଵି କରିଥାଏ। ତାହାହେଲେ ମନୁଷ୍ୟ ଓ ପଶୁ ମଧ୍ୟରେ ଫରକ ରହିଲା କଣ??
ତାହା ହେଲା ସବୁ ପ୍ରାଣୀ ମାନଙ୍କ ମଧ୍ୟରେ କେଵଳ ମନୁଷ୍ୟ ହିଁ ଚାହିଁଲେ ଧର୍ମ ଆଚରଣ କରିପାରିବ। ଧର୍ମ ଆଚରଣ ନକଲେ ସେ ପଶୁ ସହିତ ସମାନ। ମନୁଷ୍ୟ ଜୀଵନ ହିଁ ଏଥିପାଇଁ ଉଦିଷ୍ଟ।

ସେଇଥିପାଇଁ ସ୍ଵଭାଵ କବି ଗଙ୍ଗାଧର କହିଲେ:–

ଧର୍ମ ମହାତରୁ ପକ୍ଷରେ ମାନବ
ହୃଦୟ କ୍ଷେତ୍ର ଉର୍ବର,
ସୁଶିକ୍ଷା ଲଙ୍ଗଳେ ଚଷି ଧର୍ମ ବୀଜ
ତହିଁରେ ରୋପଣ କର।

ଭକ୍ତ କବି ମଧୁସୂଦନ ମଧ୍ୟ କହିଲେ:–
ବୃଥା ଜୀବନ ଯହିଁ ନାହିଁ ଧରମ,
ପଶୁ ଲୀଳା ସାଧନ ମାତ୍ର କରମ।

ଶେଷରେ ମହର୍ଷି ବ୍ୟାସ ଚେତାବନୀ ଦେଇ କହିଲେ:—
“ନ ଜାତୁ କାମାନ୍ନ ଭୟାନ୍ନ ଲୋଭାଦ୍
ଧର୍ମ ତ୍ୟଜେଜ୍ଜୀଵିତସ୍ୟାପି ହେତୋ।
ନିତ୍ୟ ଧର୍ମଃ ସୁଖଦୁଃଖେ ତ୍ୱନିତ୍ୟେ
ଜୀଵୋ ନିତ୍ୟୋ ହେତୁରସ୍ୟ ତ୍ୱନିତ୍ୟଃ”।

ଅର୍ଥ:– କାମନା ପୁରଣ ପାଇଁ, ଭୟାତୁର ହୋଇ, ଲୋଭରେ ପଡ଼ି କିମ୍ବା ପ୍ରାଣରକ୍ଷା ପାଇଁ ମଧ୍ୟ ଧର୍ମକୁ ଛାଡିବା ଅନୁଚିତ। ଧର୍ମ ହିଁ ସତ୍ୟ ଧର୍ମ ହିଁ ନିତ୍ୟ। ସୁଖଵି ଚାଲିଯିବ ଦୁଃଖଵି ଚାଲିଯିବ । ଏଣୁ ଏଥିରେ କାତର ନହୋଇ ସବୁବେଳେ ଧର୍ମ ଆଚରଣ ହିଁ କରିବା ଉଚିତ୍।

“ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ”

Tags: