latest

ମୁଁ ରାବଣ କହୁଛି…

Spread the love

ମୁଁ ରାବଣ। ….. ବନ୍ଦ ହେଊ ରାବଣପୋଡି ଫାର୍ସ: ଅସଲି ରାବଣମାନେ ନକଲିକୁ ପୋଡୁଛନ୍ତି, ଏ ଦୃଶ୍ୟ ଦେଖିବାକୁ ଯାଇ ନିରୀହ ଲୋକଙ୍କ ଜୀବନ ଯାଉଛି।

ହଁ , ମୁଁ ସେଇ ରାବଣ ଯିଏ ସୁନାର ଲଙ୍କା ତିଆରି କରିଥିଲା। ଅସ୍ବୀକାର କରି ପାରିବ କି ମୋ ଲଙ୍କା ସୁନାର ଲଙ୍କା ନଥିଲା ବୋଲି? ମୋ ପ୍ରଜା ଦୁନିଆର ସବୁଠାରୁ ଖୁସିରେ ବଂଚି ନଥିଲେ ବୋଲି? ମୁଁ ରାଜା ଥିଲି, ଦଲାଲ ନୁହେଁ।

ହଁ , ମୁଁ ରାବଣ

ସେଇ ବିଶ୍ରବାନନ୍ଦନ ରାବଣ। ମୁଁ ଜାଣିଥିଲି, ସେତୁବନ୍ଧ ବାନ୍ଧି ତମେ ମୋ ସହ ଯୁଦ୍ଧ କରିବାକୁ ଆସିବ। ତଥାପି ମୁଁ ତୁମ ନିମନ୍ତ୍ରଣ ସ୍ୱୀକାର କଲି, ଗଲି, ପ୍ରତିଷ୍ଠା କଲି ରାମସେତୁ, ଆଉ ଆଶୀର୍ବାଦ ବି ଦେଲି ଯଜମାନର ମନୋସ୍କାମନା ପୂର୍ଣ ହେଉ ବୋଲି। କାରଣ, ସେତେବେଳେ ମୁଁ ତୁମ ଶତୃ ନୁହେଁ, ଥିଲି ଜଣେ ବ୍ରାହ୍ମଣ। ଜଣେ ବ୍ରାହ୍ମଣ ହିସାବରେ ନିଜ କର୍ତ୍ତବ୍ୟ କଲି, ନିଜର ସବୁଠାରୁ ବଡ଼ ଶତ୍ରୁ ପାଇଁ ବି।

ଛଳ ହେଉ କି ଯୁଦ୍ଧ, ଜିତିଲ ତୁମେ।

ମୃତ୍ୟୁ ଶଯ୍ୟାରେ ବି 14 ବର୍ଷ ଧରି ବଣରେ ବୁଲିଥିବା, ରାଜନୀତିର ‘ର’ ଅକ୍ଷର ଜାଣିନଥିବା ଲୋକକୁ ମୁଁ ଶିଖେଇଲି ରାଜନୀତିର ବୀଜମନ୍ତ୍ର। କାରଣ, ମୁଁ ଯୋଦ୍ଧା। ସମ୍ମାନର ସହ ଲଢ଼ି କରି ମରିବାକୁ ଯାଉଥିଲି। ଆଉ ମୋ ପାଇଁ ସଂକୀର୍ଣ୍ଣ ସ୍ୱାର୍ଥ ଠାରୁ ବଡ଼ ଥିଲା ବିଶ୍ୱର ଭବିଷ୍ୟତ।

ପ୍ରଥମେ ତୁମେ ମୋ ଭଉଣୀର ନାକ କାଟିଲ। ତାପରେ ହିଁ ଯାଇ ମୁଁ ତୁମ ସ୍ତ୍ରୀକୁ ଅପହରଣ କଲି। ହେଲେ ରଖିଛି ତାଙ୍କୁ ସସମ୍ମାନେ, ଦେଇଛି ମା ଓ ଜ୍ୟେଷ୍ଠ ଭଗିନୀର ସମ୍ମାନ। ତାଙ୍କ ପାଇଁ ମୋ ମନରେ କେବେ ବି ରତିଏ କଳୁଷ ନଥିଲା।

କାଲି ମୋ ପ୍ରତିମା ଜଳେଇବ ତ ଜଳାଅ। ଅନୁତାପ କରିବା ଛଡ଼ା ମୋ ପାଖେ ଆଉ କିଛି ନାହିଁ।

କାହିଁକି???

କାରଣ

କଣ ପାଇଁ ମୁଁ ମରିବା ପୂର୍ବରୁ ତୁମ ଦୁଇ ଭାଇଙ୍କୁ ଶିଖାଉଥିଲି ଯେ ରାମରାଜ୍ୟର ସୂତ୍ର??? ମୃତ୍ୟୁଶଯ୍ୟାର ମୋ ଶିକ୍ଷାକୁ ନେଇ ତୁମ ନାଁରେ ରାମରାଜ୍ୟର ରାଜନୀତି ଆଉ ସେଠି ଅସୁର ମୁଁ???

ମୋ ଭିକ୍ଷାରେ ଗଢ଼ା ତୁମ ରାମରାଜ୍ୟ ଓ ତୁମ ମର୍ଯ୍ୟଦା, ପ୍ରତିଷ୍ଠା ପାଇଁ ଜଳିବି ମୁଁ?

ବେଳେ ବେଳେ ଭାବେ ମୁଁ କେମିତି ନିଜ ପାଦରେ ଏମିତି ନିଜେ କୁରାଢ଼ି ମାରି ପାରିଲି….

ବୋଧ ହୁଏ ଏଇଥିପାଇଁ ଯେ, କାରଣ ମୁଁ ‘ବ୍ରାହ୍ମଣ ଥିଲି’

Tags: