latest

୬୨୪୮ ବିଦ୍ୟାଳୟ ପାଇବେ ଗରିମା ତାମ୍ର ପୁରସ୍କାର

Spread the love

 ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୬୨୪୮ ସରକାରୀ ବିଦ୍ୟାଳୟକୁ ପ୍ରମାଣପତ୍ର ସହ ଗରିମା ତାମ୍ର ପୁରସ୍କାର ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ନୂତନ ଭାବେ ପ୍ରଚଳନ କରାଯାଇଥିବା ସାର୍ଟିଫିକେଟ୍‌ ପୋଗ୍ରାମ ଅନୁଯାୟୀ ଗରିମା ତାମ୍ର, ରୌପ୍ୟ ଓ ସ୍ବର୍ଣ୍ଣ ପୁରସ୍କାର ପର୍ଯ୍ୟାୟ କ୍ରମେ ଦିଆଯିବ। ଗତ ଅଗଷ୍ଟ ମାସରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୩ ହଜାର ୫୦୦ ସରକାରୀ ବିଦ୍ୟାଳୟ ପକ୍ଷରୁ ଏହି ପୁରସ୍କାର ଲାଗି ପ୍ରସ୍ତାବ ଆସିଥିଲା। ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ମାନଙ୍କ ନେତୃତ୍ବରେ ଗଠିତ ଏକ ଦଳ ବିଦ୍ୟାଳୟଗୁଡ଼ିକୁ ଯାଞ୍ଚ କରିବା ପରେ ସମ୍ପୃକ୍ତ ଜିଲ୍ଲାର ଡାଏଟ୍‌ କର୍ତୃପକ୍ଷ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରିଥିଲେ। ବ୍ଲକ୍‌ସ୍ତରରେ ପ୍ରାଥମିକ ପର୍ଯ୍ୟାୟରେ ପଞ୍ଜୀକୃତ ୧୮ ହଜାର ୩୫୩ ବିଦ୍ୟାଳୟ ମଧ୍ୟରୁ ୬୨୪୮ ବିଦ୍ୟାଳୟକୁ ଗରିମା ତାମ୍ର ପୁରସ୍କାର ଦେବା ପାଇଁ ସୁପାରିସ୍‌ କରାଯାଇଥିଲା। ପ୍ରଥମେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ତାମ୍ର ପୁରସ୍କାର ଦିଆଯାଉଛି। ଆଗାମୀ ଦିନରେ ପାଠ୍ୟସ୍ତର ଅନୁଯାୟୀ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ସ୍ବର୍ଣ୍ଣ ପୁରସ୍କାର ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲାସ୍ତରରେ ଅନୁଷ୍ଠିତ ‘ସୁରଭି-୨୦୧୯’ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଜିଲ୍ଲାପାଳମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ।

Tags: