ପିଙ୍କ୍‌ ପେସ୍‌ରେ ବାଂଲା‌ ବିଧ୍ବସ୍ତ

Spread the love

ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଶୁକ୍ରବାର ଭାରତୀୟ କ୍ରିକେଟ୍‌ରେ ଆଉ ଏକ ନୂଆ ଫର୍ଦ ଯୋଡ଼ି ହୋଇଯାଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ ଉଭୟ ଦେଶ ପାଇଁ ପ୍ରଥମ ଦିବାରାତ୍ର ତଥା‌ ଗୋଲାପି ବଲ୍‌ ଟେଷ୍ଟ୍‌ର ସ୍ମୃତି ରଖିଛି। ପଡ଼ିଆ ଭିତରେ ପ୍ରଥମ ଦିନରୁ ହିଁ ପ୍ରାଧାନ୍ୟ ବିସ୍ତାର କରି ଭାରତୀୟ ଦଳ ବଡ଼ ଅଗ୍ରଣୀ ନେବା ପଥ ପରିସ୍କାର କରି‌ଦେଇଛି। ଈଶାନ୍ତ ଶର୍ମାଙ୍କ ନେତୃତ୍ବରେ ଭାରତର ପେସ୍ ବାହିନୀ ଅତିଥି ଦଳର ପ୍ରଥମ ପାଳିକୁ ୧୦୬ ରନ୍‌ରେ ଶେଷ କରି ଦେଇଥିଲା। ଜବାବରେ ଚେତେଶ୍ବର ପୂଜାରା, ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଧଶତକ ବଳରେ ଭାରତ ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୩ ୱିକେଟ୍‌ ବିନିମୟରେ ୧୭୪ ରନ୍ ସଂଗ୍ରହ କରିନେଇଛି। ହାତରେ ୭ ୱିକେଟ୍‌ ଥାଇ ଭାରତ ୬୮ ରନ୍‌ରେ ଆଗୁଆ ହୋଇସାରିଛି।

ମହାନ ଖେଳାଳିଙ୍କ ମେଳି ଭିତରେ ଆ‌‌ୟୋଜିତ ଏହି ଟେଷ୍ଟ୍‌ରେ ବାଂଲାଦେଶ ଟସ୍ ଜିତିଥିଲା। କିନ୍ତୁ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତିକୁ ଭାରତୀୟ ପେସ୍ ବୋଲରମାନେ ଭୁଲ୍ ପ୍ରମାଣିତ କରି ଦେଇଥିଲେ। ପ୍ରଥମ ଘଣ୍ଟାଏ ଖେଳ ଭିତରେ ହିଁ ବାଂଲା ଏହାର ଅଧା‌ ବ୍ୟାଟସମ୍ୟାନଙ୍କୁ ହରାଇ ଦେଇଥିଲା। ଅଧିନାୟକ ମୋମିନୁଲ ହକଙ୍କ ସହିତ ମହମ୍ମଦ ମିଥୁନ, ମୁସଫିକର ରହିମ, ଅବୁ ଜୟଦଙ୍କୁ ଖାତା‌‌‌ ‌‌‌ଖୋଲିବାକୁ ଦେଇନଥିଲେ ଭାରତୀୟ ବୋଲର। ପ୍ରଥମ ଅଧିବେସନରେ ଉମେଶ ଯାଦବ ଘାତକ ବୋଲିଂ କରିଥିଲେ ଅପରାହ୍ନରେ ଅନୁଷ୍ଠିତ ମଧ୍ୟାହ୍ନ ଭୋଜନ ବିରତି ପରେ ଈଶାନ୍ତ ଶର୍ମା ଭୟଙ୍କର ସାବ୍ୟସ୍ତ ହୋଇଥିଲେ। ମହମ୍ମଦ ସାମି ଦୁଇ ଦୁଇ ଜଣଙ୍କୁ ଆହତ କରାଇବା ସହିତ ନିଜ ଘରୋଇ ପଡ଼ିଆ ଦମ୍‌ ଦେଖାଇଥିଲେ। ୱିକେଟ୍‌ ପଛପଟେ ଋଦ୍ଧିମାନ ସାହାଙ୍କ ଶାଣିତ ଦକ୍ଷତା ମଧ୍ୟ ପ୍ରଶଂସକଙ୍କୁ ବି‌ମୋହିତ କରିଥିଲା। ଗୋଲାପିମୟ ଇଡେନ୍ ଗାର୍ଡେନ୍ସର ପ୍ରାୟ ୪୧ ହଜାର ଦର୍ଶକଙ୍କ ସମ୍ମୁଖରେ ଈଶାନ୍ତ ଶର୍ମା ନିଜ ୫ ୱିକେଟ୍‌ ସଫଳତାକୁ ଗୋଲାପି ବଲ୍ ‌ଦେଖାଇ ଅଭିବାଦନ ଗ୍ରହଣ କରିବାର ମହୂର୍ତ ଥିଲା ନିଆରା। ଉମେଶ ଯାଦବ ଏବଂ ମହମ୍ମଦ ସାମି ଅବଶିଷ୍ଟ ୫ ୱିକେଟ୍ ବାଣ୍ଟି ନେଇଥିଲେ। ଭାରତ ପାଇଁ ପିଙ୍କ୍ ବଲରେ ପ୍ରଥମ ୫ ୱିକେଟ୍‌ ସଫଳତା ନେବାର କୃତିତ୍ବ ଈଶାନ୍ତ ଶର୍ମାଙ୍କ ନାମରେ ରହିଲା। ସେହିଭଳି ପ୍ରଥମ ଅର୍ଧଶତକ ଗୌରବ ରହିଲା ଚେତେଶ୍ବର ପୂଜାରାଙ୍କ ନାମରେ, ପ୍ରଥମ ଛକା ‌ରୋହିତ ଶର୍ମା ଓ ପ୍ରଥମ‌ ଚୌକା ମୟଙ୍କ ଅଗ୍ରୱାଲଙ୍କ ଖାତାରେ ଲିପିବଦ୍ଧ ରହିଲା। ଭଲ ଆରମ୍ଭ ସତ୍ତ୍ବେ ମୟଙ୍କ ଅଗ୍ରୱାଲ (୧୪, ୨୧ ବଲ୍) ଏବଂ ରୋହିତ ଶର୍ମା (୨୧, ୩୫ ବଲ, ୨ ଚୌକା, ୧ ଛକା) ଆଗକୁ ବଢ଼ି ପାରିନଥିଲେ। ତେତେଶ୍ବର ପୂଜାରା (୫୫, ୧୦୫ ବଲ, ୮ ଚୌକା) ଏବଂ ବିରାଟ କୋହଲି (୫୯*, ୯୩ ବଲ, ୮ ଚୌକା) ଅର୍ଧଶତକ ହାସଲ କରି ନେଇଥିଲେ। ଇବାବତଙ୍କ ଦ୍ବିତୀୟ ଶିକାର ହୋଇଥିଲେ ପୂଜାରା। କୋହଲିଙ୍କ ସହିତ ପୂଜାରା ୯୪ ରନ୍‌ର ଭାଗୀଦାରି କରିବା ହିଁ ଭାରତକୁ ପ୍ରାରମ୍ଭିକ ବିପଦରୁ ବାହାର କରିଥିଲା। ପ୍ରଥମ ଦିନ ଖେଳ ବନ୍ଦ ବେଳକୁ କୋହଲିଙ୍କ ସହିତ ଅଜିଙ୍କ୍ୟ ରାହାଣେ (୨୩*, ୨୨ ବଲ୍‌, ୩‌ ଚୌକା) ବ୍ୟାଟିଂ କରୁଥିଲେ।

Tags: