ଜେଲରୁ ମୁକୁଳିବେ ଦୁର୍ନୀତିଗ୍ରସ୍ଥ ନେତା ପି. ଚିଦାମ୍ୱରମ୍, ସୁପ୍ରିମକୋର୍ଟ ଦେଲେ ଜାମିନ୍

Spread the love

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମ ଜେଲରୁ ମୁକୁଳିବେ । ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିଛି।  ଜାମିନ ଦେବା ବେଳେ ସର୍ବୋଚ୍ଚ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ଓ ପ୍ରମାଣ ନଷ୍ଟ ପାଇଁ ପ୍ରୟାସ ନ କରିବାକୁ କୋର୍ଟ ତାଙ୍କୁ କଡ଼ା ତାଗିଦ୍ କରିଛନ୍ତି। ଏମିତିକି ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ଚିଦାମ୍ୱରମ କୌଣସି ସାର୍ବଜନୀନ ମତ ରଖିପାରିବେ ନାହିଁ କି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟଙ୍କ ବିନା ଅନୁମତିରେ ସେ ବିଦେଶ ଗସ୍ତରେ ଯାଇପାରିବେ ନାହିଁ ।  ପୂର୍ବରୁ ଏହି ମାମଲାରେ ସିବିଆଇ ଦ୍ୱାରା ଦାଏର ହୋଇଥିବା ମାମଲାରେ ଚିଦାମ୍ୱରମ ଜାମିନ୍ ପାଇସାରିଛନ୍ତି ।

ଅଗଷ୍ଟ 21 ରେ ସିବିଆଇ ଦ୍ୱାରା ସେ ଏହି ଦୁର୍ନୀତି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ। ଜେଲ୍‌ରେ ଥିବା ବେଳେ ହିଁ ମନି ଲଣ୍ଡରିଂ ମାମଲାରେ ଅକ୍ଚୋବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିଲେ। ଗତ ଗୁରୁବାର ସୁପ୍ରିମକୋର୍ଟ ଇଡି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ ଇଡି ମାମଲାରେ ହାଇକୋର୍ଟ କିନ୍ତୁ ଚିଦାମ୍ୱରମଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଥିଲେ। ଏହାପରେ ସେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଇଏନଏକ୍ସ ମିଡିଆ 2007ରେ 305 କୋଟି ଟଙ୍କାର ବିଦେଶୀ ପୁଞ୍ଜି ପାଇଥିଲା। ଏହି ଟଙ୍କା ବେଆଇନ ଉପାୟରେ ନିବେଶ ହୋଇଥିଲା।  ଏହାପରେ ସିବିଆଇ ମେ 2017ରେ ଚିଦାମ୍ୱରମଙ୍କ ବିରୋଧରେ ଏତଲା ଦେଇଥିଲା।

Tags: