latest

କେନ୍ଦୁଝରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ

Spread the News

କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକର ଡୁମୁରିଆ ପଞ୍ଚାୟତର ବାଲିଯୋଡି ଗାଁ ଦେଇ ବହିଯାଇଛି ପୁଣ୍ୟତୟା ବୈତରଣୀ। ଆଉ ଏହାର ପାଦ ଦେଶରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଭୀମକୁଣ୍ଡ । ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ ।କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ପାଣ୍ଡବ ଭ୍ରାତାଗଣ ବନବାସ ସମୟରେ ଏଠି ରହିଥିବା ନେଇ ବିଶ୍ୱାସ ରହିଛି । ମଧ୍ୟମ ପାଣ୍ଡମ ଭୀମ ଏହି ବୈତରଣୀର କ୍ଷୀଣ ଜଳଧାରାରେ ଶୋଇରହି ସ୍ନାନ କରିବା ସମୟରେ ଭୀମଙ୍କ ପ୍ରକାଣ୍ଡ ଶରୀରରେ ବୈତରଣୀ କ୍ଷୀଣ ହୋଇଯାଇଥିଲା । ଫଳରେ ଜଳାଧାର ବାଧାପ୍ରାପ୍ତ ହୋଇ ଜଳରାଶି ନିମ୍ନଗାମୀ ହେବାରୁ ଏଠାରେ ଏକ ଗଣ୍ଡ ସୃଷ୍ଟି ହୋଇଥିଲା । ଯାହା ଭୀମକୁଣ୍ଡ ନାଁରେ ନାମିତ । ଗଙ୍ଗା ସଦୃଶ ପବିତ୍ର ଏ ନଦୀଜଳରେ ମକର ସଂକ୍ରାନ୍ତିରେ ସ୍ନାନକଲେ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଛି । ପାଣ୍ଡବ ଭ୍ରାତାଙ୍କର ଅନେକ ବାହନ ଏବେ ଏଠାରେ ପଥର ହୋଇଯାଇଥିବା ଦେଖିବାକୁ ମିଳେ। ଏଠାରେ କଳା ପଥରରେ ଏକ ରାସ୍ତା ଲମ୍ବି ଯାଇଛି । ତାହା ପାଣ୍ଡବ ମାନଙ୍କର ରାସ୍ତା ଥିଲା ବୋଲି କିମ୍ବଦନ୍ତୀ କହେ । ଏହା ସହ ପାଣ୍ଡବ ମାନଙ୍କର ପଥରରେ ପାଦଚିହ୍ନ, ଖାଇବା ଥାଳ ଏବେ ବି ଦେଖିବାକୁ ମିଳିଥାଏ । ଏହି ସ୍ଥାନଟି ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସୀମା ନିର୍ଦ୍ଧାରଣ କରୁଥିବା ବେଳେ କେନ୍ଦୁଝର ସୀମାନ୍ତରେ ପର୍ଯ୍ୟଟକଙ୍କ ପାଇଁ ଡାକ ବଙ୍ଗଳା ସମେତ ଭୋଜି କରିବା ପାଇଁ ପୀଣ୍ଡି, ଓ୍ଵାଚ ଟାଓ୍ଵାର ଓ ପାନୀୟ ଜଳ ବ୍ୟବସ୍ଥା କରଯାଇଛି । ଅନ୍ୟପଟେ ମୟୂରଭଞ୍ଜ ସିମାନ୍ତରେ ଶିବ ମନ୍ଦିର, ଭୀମଙ୍କ ବିଶାଳ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଛି ।

Tags: