latest

ଆସ ବୁଲିଯିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଭୀମକୁଣ୍ଡ

Spread the love

କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକର ଡୁମୁରିଆ ପଞ୍ଚାୟତର ବାଲିଯୋଡି ଗାଁ ଦେଇ ବହିଯାଇଛି ପୁଣ୍ୟତୟା ବୈତରଣୀ। ଆଉ ଏହାର ପାଦ ଦେଶରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଭୀମକୁଣ୍ଡ । ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ ।

କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ପାଣ୍ଡବ ଭ୍ରାତାଗଣ ବନବାସ ସମୟରେ ଏଠି ରହିଥିବା ନେଇ ବିଶ୍ୱାସ ରହିଛି । ମଧ୍ୟମ ପାଣ୍ଡମ ଭୀମ ଏହି ବୈତରଣୀର କ୍ଷୀଣ ଜଳଧାରାରେ ଶୋଇରହି ସ୍ନାନ କରିବା ସମୟରେ ଭୀମଙ୍କ ପ୍ରକାଣ୍ଡ ଶରୀରରେ ବୈତରଣୀ କ୍ଷୀଣ ହୋଇଯାଇଥିଲା । ଫଳରେ ଜଳାଧାର ବାଧାପ୍ରାପ୍ତ ହୋଇ ଜଳରାଶି ନିମ୍ନଗାମୀ ହେବାରୁ ଏଠାରେ ଏକ ଗଣ୍ଡ ସୃଷ୍ଟି ହୋଇଥିଲା । ଯାହା ଭୀମକୁଣ୍ଡ ନାଁରେ ନାମିତ ।

ଗଙ୍ଗା ସଦୃଶ ପବିତ୍ର ଏ ନଦୀଜଳରେ ମକର ସଂକ୍ରାନ୍ତିରେ ସ୍ନାନକଲେ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଛି । ପାଣ୍ଡବ ଭ୍ରାତାଙ୍କର ଅନେକ ବାହନ ଏବେ ଏଠାରେ ପଥର ହୋଇଯାଇଥିବା ଦେଖିବାକୁ ମିଳେ।

ଏଠାରେ କଳା ପଥରରେ ଏକ ରାସ୍ତା ଲମ୍ବି ଯାଇଛି । ତାହା ପାଣ୍ଡବ ମାନଙ୍କର ରାସ୍ତା ଥିଲା ବୋଲି କିମ୍ବଦନ୍ତୀ କହେ । ଏହା ସହ ପାଣ୍ଡବ ମାନଙ୍କର ପଥରରେ ପାଦଚିହ୍ନ, ଖାଇବା ଥାଳ ଏବେ ବି ଦେଖିବାକୁ ମିଳିଥାଏ ।

ଏହି ସ୍ଥାନଟି ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସୀମା ନିର୍ଦ୍ଧାରଣ କରୁଥିବା ବେଳେ କେନ୍ଦୁଝର ସୀମାନ୍ତରେ ପର୍ଯ୍ୟଟକଙ୍କ ପାଇଁ ଡାକ ବଙ୍ଗଳା ସମେତ ଭୋଜି କରିବା ପାଇଁ ପୀଣ୍ଡି, ଓ୍ଵାଚ ଟାଓ୍ଵାର ଓ ପାନୀୟ ଜଳ ବ୍ୟବସ୍ଥା କରଯାଇଛି । ଅନ୍ୟପଟେ ମୟୂରଭଞ୍ଜ ସିମାନ୍ତରେ ଶିବ ମନ୍ଦିର, ଭୀମଙ୍କ ବିଶାଳ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଛି ।

Tags: