latest

କ୍ରିସ୍ମସ୍ ଟ୍ରି ବା କ୍ରିସ୍ମସ୍ ଗଛ ବା ବଡ଼ଦିନ ଗଛ…

Spread the love

କ୍ରିସ୍ମସ୍ ଗଛ ବା ବଡ଼ଦିନ ଗଛ  ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍‍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା । ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍‍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ ପରେ ଏହି ପ୍ରଥାର ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଲ୍‍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ କ୍ରିସ୍ମସ୍ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା ।

ପାରମ୍ପରିକ ଭାବେ କ୍ରିସ୍ମସ୍ ଗଛକୁ କାଗଜର ଗୋଲାପ ଫୁଲ, ସେଓ ଫଳ, ୱେଫର୍, ଚକମକିଆ ଝରା ବା ଝାଲେରୀ ଓ ମିଷ୍ଟାନ୍ନ ଇତ୍ୟାଦିଦ୍ୱାରା ସଜାଇବାର ପ୍ରଥା ରହିଛି । ଅଷ୍ଟଦଶ ଶତାବ୍ଦୀରେ କ୍ରିସ୍ମସ୍ ଗଛକୁ ମହମବତୀ ଓ ଦୀପର ଆଲୋକମାଳାରେ ଏବଂ ଅଧୁନା ବିଦ୍ୟୁତ୍ ଆଲୋକମାଳାରେ ସୁସଜ୍ଜିତ କରାଯାଉଛି । ବର୍ତ୍ତମାନ ସମୟରେ ଏହି ଗଛଗୁଡ଼ିକୁ ନୂତନ ବଡ଼ଦିନ ମାଳା, ରଙ୍ଗବେରଙ୍ଗ ବଲ୍ ଓ ଚକୋଲେଟ୍ ଇତ୍ୟାଦିଦ୍ୱାରା ମଧ୍ୟ ସଜାଯାଉଛି । ଗଛର ସର୍ବୋଚ୍ଚ ଭାଗରେ ଏକ ପ୍ରଜ୍ଜ୍ୱଳମାନ ତାରକା ଖଚିତ ହୋଇଥାଏ, ଯାହା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ କାହାଣୀର ଜଣେ ଚରିତ୍ର ବେଥ୍ଲେହେମ୍ ତାରକାର ଦେବଦୂତ (ଏଞ୍ଜେଲ୍) ଗାବ୍ରିଏଲ୍‍ଙ୍କ ସୂଚକ । ରିବନ୍ ଫିତା ସାହାଯ୍ୟରେ କ୍ରିସ୍ମସ୍ ଗଛର ଡାଳରୁ ଜିଞ୍ଜର୍ ବ୍ରେଡ଼୍ (ଅଦା ପାଉଁରୁଟି), ଚକୋଲେଟ୍ ଓ ଅନ୍ୟାନ୍ୟ ମିଷ୍ଟାନ୍ନ ଇଦ୍ୟାଦି ଖାଦ୍ୟ ପଦାର୍ଥ ଝୁଲାଇ ଦିଆଯାଏ । ସେହିପରି ଆଗମନର ଦ୍ୱାଦଶ ଦିନ ରାତ୍ରରେ ବା ପ୍ରଭୁପ୍ରକାଶ ଋତୁର ଶେଷ ଦିନ (କ୍ୟାଣ୍ଡେଲ୍‍ମାସ୍) ଦିନ କ୍ରିସ୍ମସ୍ ଗଛ ହଟାଇ ଦିଆଯାଇଥାଏ । କ୍ରିସ୍ମସ୍ ଗଛକୁ କେହି କେହି “ୟୁଲ୍ ଗଛ” ବା “ୟୁଲ୍ ଟ୍ରି (Yule tree)” ସହ ତୁଳନା କରିଥାନ୍ତି ଯାହାର ଉଲ୍ଲେଖ ବିଭିନ୍ନ ଲୋକକଥାରେ ରହିଛି ।

Tags: