latest

ବିଜେଡି ସଂସଦୀୟ ଦଳ ବୈଠକ : ଜନଗଣନାରେ ବାଧ୍ୟତାମୂଳକ ହେବନି ବାପା-ମାଆଙ୍କ ଜନ୍ମସ୍ଥାନ ସମ୍ପର୍କିତ ତଥ୍ୟ

Spread the love

ଶୁକ୍ରବାରଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏଥିପାଇଁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସ୍ୱାର୍ଥ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେସବୁକୁ ସଂସଦରେ ଉଠାଇବାକୁ ନିଷ୍ପତ୍ତି ହୋଇଛି। ଜନଗଣନାରେ ଜାତି ସମ୍ପର୍କିତ ତଥ୍ୟ ଦେବା ପାଇଁ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଜନସାଧାରଣଙ୍କ ପରି ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ସ୍ବତନ୍ତ୍ର ସ୍ତମ୍ଭ ରଖିବା, କ୍ଲିନ ଏନର୍ଜି ସେସ ବ୍ୟବସ୍ଥା, ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ, କୋଇଲା ରୟାଲିଟି ବୃଦ୍ଧି, ରେଳବାଇ କ୍ଷେତ୍ରରେ ଅଧିକ ଅର୍ଥ ପ୍ରଦାନ, ନଦୀ ଜଳ ବିବାଦ ଏବଂ ବିଧାନ ପରିଷଦ ଗଠନ ନେଇ ଦଳର ସାଂସଦ ମାନେ ଦାବି ଉପସ୍ଥାପନ କରିବେ।  ସାଂସଦ ପିନାକୀ ମିଶ୍ର କହିଛନ୍ତି, ଜନଗଣନା ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଜନଗଣନାରେ ଓଡ଼ିଶାରେ ବାପା ମାଆଙ୍କ ଜନ୍ମସ୍ଥାନ ସମ୍ପର୍କିତ ତଥ୍ୟ ବାଧ୍ୟତାମୂଳକ ହେବ ନାହିଁ।

ଏ ନେଇ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଆପତ୍ତି କରିବା ପରେ ଜନଗଣନାରେ ୧୩(୨) ସ୍ତମ୍ଭକୁ ଓଡ଼ିଶା ପାଇଁ ଇଚ୍ଛାଧୀନ କରାଯାଇଛି। କେନ୍ଦ୍ର ସରକାର ଏଥିନେଇ ରାଜ୍ୟକୁ ଅବଗତ କରାଇଛନ୍ତି। ସେହିପରି ଓଡ଼ିଶାରେ ପଛୁଆବର୍ଗଙ୍କ ସଂଖ୍ୟା ଗଣନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗଙ୍କ ପାଇଁ ସ୍ତମ୍ଭ ରହିଛି। ପଛୁଆବର୍ଗଙ୍କ ପାଇଁ ସ୍ତମ୍ଭ ରଖିବାକୁ ଦାବି କରାଯିବ। ୨୦୧୧ରେ ଜାତିଗତ ଗଣନାରେ କେନ୍ଦ୍ର ପଛୁଆବର୍ଗଙ୍କ ପାଇଁ ବ୍ୟବସ୍ଥା କରିନଥିଲେ। ଏହାହେଲେ ପଛୁଆ ବର୍ଗଙ୍କ ସଂଖ୍ୟା ଜଣାପଡ଼ିବ। ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯିବ।

ରାଜ୍ୟ ସରକାର ରେଳ ପ୍ରକଳ୍ପ ପାଇଁ ଜମି ଏବଂ ଅର୍ଥ ବ୍ୟୟ କରୁଛନ୍ତି। ଅଥଚ ରେଳବାଇ ଯେଉଁ ପରିମାଣର ରାଜସ୍ବ ଆଦାୟ କରୁଛି ସେ ତୁଳନାରେ ଅନୁଦାନ ଆଶାଜନକ ହେଉନାହିଁ। ଅନେକ ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି। ଏହି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଅଧିକ ଅର୍ଥ ପ୍ରଦାନକୁ ଦଳ ପ୍ରସଙ୍ଗ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସଂସଦରେ କ୍ଲିନ ଏନର୍ଜି ସେସ ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ରହିବ। ଖଣି ଖାଦାନ ଦ୍ବାରା ରାଜ୍ୟ ପ୍ରଦୂଷଣ ଦ୍ବାରା କ୍ଷତିଗ୍ରସ୍ତ ହେଉଛି। ଏହା ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

Tags: