latest

ରୋଷେଇଘର ଜ୍ଞାନ

Spread the News

ଗୃହ ସଦସ୍ୟମାନଙ୍କର ଭୋଜନ ପ୍ରସ୍ତୁତ କରିବା ରୋଷେଇଘରେ ସର୍ବଦା ଜଣେ ଅଭିଜ୍ଞ ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ଥାଏ । ରନ୍ଧନଖାଦ୍ୟ ପ୍ରସ୍ତୁତ କରିବାରେ ଜଣେ ଯେତେ ପାରଙ୍ଗମ ହେଲେ ମଧ୍ୟ କେତେକ ସମୟରେ ଛୋଟ ଛୋଟ ତ୍ରୁଟି କରିଥାନ୍ତି । କେତେବେଳେ ଖାଇବାରେ ଲୁଣ ଅଧିକା ହେଇଯାଏ, ପୁଣି ଆଉ କେତେବେଳେ ମାତ୍ରାଧିକ ଲଙ୍କା ବା ଲଙ୍କାଗୁଣ୍ଡ ପାଇଁ ତରକାରୀ ରାଗ ହେଇଯାଇଥାଏ । ଦହି ଜମା କରିବାର ଅଛି, କିନ୍ତୁ ଘରେ କିଛି ଖଟା ଜିନିଷ ନାହିଁ । ସେହିଭଳି ଘରେ କେତେବେଳେ ରୁଟି ଭଲରେ ଫୁଲେନାହିଁ, କେତେବେଳେ ଭାତ ଅଠାଳିଆ ହେଇଯାଏ, ଏମିତି ବହୁତ ଗୁଡ଼ିଏ ରୋଷେଇଘର ସଂକ୍ରାନ୍ତୀୟ ସମସ୍ୟା ପାଇଁ କେତେକ ସହଜ ଉପାୟମାନ ଅଛି, ଆସନ୍ତୁ ଜାଣିବା…

୧. ଘରେ କିଛି ଖଟା ଜିନିଷ ନଥିଲେ ମଧ୍ୟ ଦହି ଜମେଇ ହେବ । ଏଥିପାଇଁ କ୍ଷୀରକୁ ଅଳ୍ପ ଗରମ କରିଦିଅନ୍ତୁ । ଏହି ଗରମ କ୍ଷୀରରେ ଦୁଇଟି କଞ୍ଚାଲଙ୍କା ଡେମ୍ଫସହିତ ପକେଇ ଭିଜେଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ଡେମ୍ଫସହିତ ହିଁ ଭିଜେଇବାକୁ ହୁଏ । ଏହିପରି ଆପଣ ଦୁଇଟି ଶୁଖିଲା ଲଙ୍କାକୁ ମଧ୍ୟ ଡେମ୍ଫସହିତ ଉପଯୋଗ କରିପାରିବେ । ଅଳ୍ପ ଉଷୁମ କ୍ଷୀରରେ କଞ୍ଚା ବା ଶୁଖିଲା ଲଙ୍କା ଡେମ୍ଫସହିତ କିମ୍ୱା ଲେମ୍ୱୁରସ ଅଳ୍ପ ପକାଇ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ପାତ୍ରରେ ଘୋଡ଼େଇ ରଖିଦିଅନ୍ତୁ । ୧୨ଘଣ୍ଟା ପରେ ଦେଖିବେ ଏକଦମ୍‌ ବହଳିଆ ଦହି ପ୍ରସ୍ତୁତ ହେଇସାରିଛି ।

୨. ଏବେ ଆସନ୍ତୁ ଜାଣିବା ଖାଇବାରେ ଅଧିକ ଲୁଣ ହେଇଗଲେ କ’ଣ କରିବା? ଏହି ଘଟଣା ଆମ ସମସ୍ତଙ୍କ ସହିତ ବହୁ ସମୟରେ ଘଟିଥାଏ । ଖାସ୍‌ କରି ସେଇମାନଙ୍କ ସହିତ ଯେଉଁମାନେ ନୂଆକରି ରନ୍ଧନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଏଥିପାଇଁ ଏକ ସହଜ ଉପାୟ ଅଛି । ଯଦି ତରକାରୀ କି ସୁପ୍‌ ଭଳି ଖାଦ୍ୟ ଅଧିକ ଲୁଣିଆ ହେଇଯାଇଛି ତେବେ ଏଥିରେ ଗୋଟେ ଆଳୁକୁ ଚୋପା ଛଡ଼େଇ ବ୍ୟବହାର କରିପାରିବେ । ଏଇ ଆଳୁ ଅଧିକା ଲୁଣର ମାତ୍ରାକୁ କମେଇବାରେ ସାହାଯ୍ୟ କରିବା ସହିତ ସ୍ୱାଦରେ ମଧ୍ୟ ଫରକ ଆଣିନଥାଏ । ଚକଟା ହେଇଥିବା ଅଟାକୁ ମଧ୍ୟ ଲୁଣିଆ ତରକାରୀରେ ବ୍ୟବହାର କରି ଲୁଣର ମାତ୍ରାକୁ କମାଇପାରିବେ । କିନ୍ତୁ ଧ୍ୟାନ ରଖିବା ଦରକାର ସେହି ତରକାରୀ ବା ସୁପ୍‌କୁ ଖାଇବା ସମୟରେ ଆଳୁ ବା ଚକଟା ଅଟାକୁ ସେଥିରୁ କାଢ଼ିଦେଇଥିବା ଦରକାର । ସେହିପରି ଶୁଖିଲା ଖାଦ୍ୟ ପ୍ରସ୍ତୁତ କଲାବେଳେ ଯଦି ଲୁଣର ମାତ୍ରା ଅଧିକା ହେଇଯାଇଛି ସେଥିରେ ବେସନ ବ୍ୟବହାର କରିପାରିବେ । ଏହିପରି କଲେ ଲୁଣର ମାତ୍ରା ହ୍ରାସ ପାଇଥାଏ ।

୩. ରସୁଣର ବ୍ୟବହାର କିପରି କରିବେ ଆସନ୍ତୁ ଜାଣିବା । କେତେଲୋକ ରସୁଣକୁ ଛୋଟ ଛୋଟ କରି କାଟି ବ୍ୟବହାର କରନ୍ତିତ, ଆଉ କେତେଲୋକ ଏହାକୁ ଛେଚି କରି ବ୍ୟବହାର କରନ୍ତି । ଏହି ଦୁଇଟା ପ୍ରଣାଳୀରେ ଫରକ ଅଛି । ଯଦି ଆପଣ ରସୁଣ ଛେଚାକୁ ବ୍ୟବହାର କରୁଛନ୍ତି ତାହାଲେ ଛେଚିଲା ବେଳେ ଏଥିରୁ କିଛି ଦରକାରୀ ତେଲ ବାହାରିଥାଏ । ଯାହାକି ଖାଇବାରେ ଷ୍ଟ୍ରଙ୍ଗ୍‌ ଫ୍ଲେଭର ଦେଇଥାଏ । ଯେତେ ଅଧିକ ଭଲଭାବରେ ଛେଚିବେ ତାହା ପ୍ରସ୍ତୁତ ବ୍ୟଞ୍ଜନରେ ସେତିକି ବାସନା ଓ ସ୍ୱାଦ ଭରିବ । ସେଥିପାଇଁ ଯଦି ଆପଣଙ୍କୁ ହାଲ୍‌କା ବାସନା ଦରକାର ତାହାଲେ ରସୁଣକୁ କାଟି ବ୍ୟବହାର କରିବେ ଓ ଯଦି ଷ୍ଟ୍ରଙ୍ଗ୍‌ ଫ୍ଲେଭର ଦରକାର ତାହାଲେ ଏହାକୁ ଛେଚି କିମ୍ୱା ପେଷ୍ଟ କରି ବ୍ୟବହାର କରିବେ ।

୪. ନରମ ଓ ଫୁଲା ରୁଟି କେମିତି କରିବେ । ଯଦି ଆପଣଙ୍କ ରୁଟି ନରମ ହେଉନାହିଁ ତାହାଲେ ଏହାର ସିଧା ସମ୍ପର୍କ ଆପଣଙ୍କ ଅଟା ଚକଟା ତଥା ଦଳିବାରେ ରହିଛି । ଆପଣ ଯେତେ ଅଧିକ ସମୟ ଧରି ଅଟାକୁ ଚକଟିବେ ତାହା ସେତେ ନରମ ଗୁଳା ତିଆରି କରିବାରେ ସହାୟ ହେବ । ଏହା ପରେ ଏହାକୁ ବେଲଣାକାଠିରେ ବେଲି ରୁଟି କଲେ ରୁଟି ମଧ୍ୟ ନରମ ଓ ଭଲଭାବେ ଫୁଲିବ । ଅଟା ଚକଟିଲା ସମୟରେ ପାଣି ପରିବର୍ତ୍ତେ କ୍ଷୀରକୁ ମିଶେଇ ଆପଣ ନରମ ରୁଟି ପ୍ରସ୍ତୁତ କରିପାରିବେ ।

୫. ଭାତ କରିବା ସମୟରେ ବହୁତ ଲୋକଙ୍କର ଅଭିଯୋଗ ଥାଏ ଯେ ସେମାନଙ୍କ ଦ୍ୱାରା ଭାତ ଗୋଟି ଗୋଟି ନହେଇ ମେଞ୍ଚା ହେଇଯାଉଛି । ଏଥିପାଇଁ ମଧ୍ୟ ବହୁତ ସହଜ ଉପାୟ ରହିଛି । ସବୁଠୁ ଭଲ ଉପାୟ ହେଲେ ଭାତ କରିବା ସମୟରେ ସବୁବେଳେ ଖୋଲାପାତ୍ରର ବ୍ୟବହାର କରନ୍ତୁ । ପ୍ରେସରକୁକର ବ୍ୟବହାର ନକରିବା ଭଲ । ଭାତ କରିବା ସମୟରେ ସେଥିରେ ଅଳ୍ପ ଲେମ୍ୱୁରସର ଉପଯୋଗ କରନ୍ତୁ, ଏପରି କଲେ ଭାତସବୁ ଗୋଟି ଗୋଟି ହେଇଯିବା ସହିତ ସ୍ୱାଦରେ ମଧ୍ୟ ଫରକ ଆସିବନି ବରଂ ଭାତର ରଙ୍ଗ ମଧ୍ୟ ଅଧିକା ଭଲ ଦେଖାଯିବ । ତେଣୁ ଏହି ପ୍ରୟୋଗକୁ ପରବର୍ତ୍ତୀ ସମୟରେ ଭାତ ରାନ୍ଧିଲା ସମୟରେ ନିଶ୍ଚୟ କାମରେ ଲଗାନ୍ତୁ ।

୬. ପାସ୍ତା ଓ ନୁଡଲ୍ସ ଯଦି ଲାଖି ରୁହେ ତେବେ କ’ଣ କରିବେ । ଯଦି ପାସ୍ତା ଓ ନୁଡଲ୍ସକୁ ଆବଶ୍ୟକତାଠାରୁ ଅଧିକ ଗରମ କରାଯାଏ ତେବେ ଏହା ଅଠାଳିଆ ହେଇ ଲାଖିଯାଏ । ଯଦି ଆପଣ ଅଟା ତିଆରି ନୁଡଲ୍ସ କି ପାସ୍ତାର ବ୍ୟବହାର କରୁଛନ୍ତି ତେବେ ଏପରି ସମ୍ଭାବନା ବହୁ ଅଧିକ । ମନେରଖିବେ ଯେତେବେଳେ ଆପଣ ଏହାକୁ ଗରମ ପାଣିରେ ଫୁଟେଇବେ ସେଥିରେ କିଛିମାତ୍ରାର ତେଲ ବ୍ୟବହାର କରିବେ, ପରେ ଏହି ପାସ୍ତା ତଥା ନୁଡଲ୍ସକୁ କାଢି ଥଣ୍ଡା ପାଣିରେ ଧୋଇଦେବେ । ଏପରି କଲେ ଉପରୋକ୍ତ ଲାଖି ରହିବାର ଅସୁବିଧାକୁ ଦୂର କରିପାରିବେ । ନୁଡଲ୍ସ ଓ ପାସ୍ତା ଗୋଟି ଗୋଟି ହେଇ ରହିବ ।

୭. ଏବେ ଆସନ୍ତୁ ଜାଣିବା ଖାଦ୍ୟରେ ରାଗର ମାତ୍ରା ଅଧିକ ହେଲେ କ’ଣ କରିବା । ଏହିଭଳି ବହୁଥର ଆମସହ ହେଇଥାଏ କି ଖାଇବାରେ ଆମେ ଲଙ୍କା ବା ଲଙ୍କାଗୁଣ୍ଡ କମ୍‌ ପକେଇଥିଲେ ମଧ୍ୟ ଏଥିରେ ଆମେ ଅଦା କିମ୍ୱା ଅଲଗା ମସଲାଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା ଏହି ପ୍ରସ୍ତୁତ ବ୍ୟଞ୍ଜନରେ ରାଗର ମାତ୍ରା ପୂରା ବଢ଼ିଯାଇଥାଏ । ଏହାକୁ ଠିକ୍‌ କରିବା ପାଇଁ ଗୋଟେ ସହଜ ଉପାୟ ହେଲା ଏଥିରେ ଡାଏରୀ ପ୍ରଡ଼କ୍ଟ ପକାଇ ଦିଅନ୍ତୁ । ଯେମିତିକି ଦହି ନହେଲେ କ୍ରିମ୍‌ । ଯଦି ଆପଣ କମ୍ୱିନେସନର ଠିକ୍‌ ଉପଯୋଗ କରନ୍ତି ତାହା ରାଗ କମେଇବାରେ ସଂପୂର୍ଣ୍ଣ ସାହାଯ୍ୟ କରେ । ଏହାସହିତ ଜାଣିବା ଦରକାର ଯେକୌଣସି ଡାଏରୀ ପ୍ରଡ଼କ୍ଟ ବ୍ୟବହାର କଲାପରେ ଏହାକୁ ଅଧିକ ସମୟ ଗରମ କରିବା ଅନୁଚିତ୍‌ । ଏପରି ହେଲେ ମିଶଯାଇଥିବା ଦହି ଛିଣ୍ଡିପାରେ ।

୮. ରସୁଣ ଚୋପା ଛଡ଼େଇବାର ସବୁଠାରୁ ସହଜ ଉପାୟ ସଂକ୍ରାନ୍ତରେ ଜାଣିବା । ଏଥିନିମନ୍ତେ ଗୋଟିଏ ପାତ୍ରରେ ପାଣି ନେଇ ରସୁଣକୁ ଏଥିରେ ଭିଜେଇ ଦିଅନ୍ତୁ । ଏକଘଣ୍ଟା ପରେ ଏହିପାତ୍ରରୁ ରସୁଣକୁ ବାହାର କରି ହାଲ୍‌କା ହାତରେ ଦବେଇଲେ ଏହାର ଚୋପା ଆପେ ବାହାରିଯିବ । ଯଦି ଆପଣ ଆହୁରି ଶୀଘ୍ର ରସୁଣ ଚୋପା ଛଡ଼େଇବାକୁ ଇଚ୍ଛୁକ ତେବେ ଏହାକୁ ତାଓ୍ୱାରେ ଗରମ କରି କିମ୍ବା ମାଇକ୍ରୋଓ୍ୱେଭ୍‌ରେ ରୋଷ୍ଟ କରି ଚୋପା ଛଡ଼େଇପାରିବେ ।

Tags: , ,