latest

୨୮ରେ ଷଣ୍ଢ ବିବାହୋତ୍ସବ

Spread the News

ପୁରୀ, (ମୋ ଓଡ଼ିଶା): ଆଳପୁରଠାରେ ଥିବା ସୂର୍ଯ୍ୟାୟନ ଗୋ’ ଆଶ୍ରମ ପକ୍ଷରୁ ଆସନ୍ତା ୨୮ ତାରିଖ ଦିନ ଷଣ୍ଢ ‘ନନ୍ଦୀ’ଙ୍କର ବ୍ରତୋପନୟନ ଓ ବିବାହ ମହୋତ୍ସବ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ଆଶ୍ରମର ପ୍ରତିଷ୍ଠାତା ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଶର୍ମା ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ଦିନ ନନ୍ଦୀଙ୍କର ବ୍ରତୋପନୟନ ସଂସ୍କାର କରାଯିବ । ସନ୍ଧ୍ୟାରେ ସ୍ଥାନୀୟ ଶରଧାବାଲିଠାରେ ଏକ ଭବ୍ୟ ବିବାହ ମଣ୍ଡପରେ ନନ୍ଦୀଙ୍କର ବିବାହ ଉତ୍ସବର ଆୟୋଜନ କରାଯିବ । ନନ୍ଦୀଙ୍କର ବିବାହ ହରିହରାନନ୍ଦ ଗୁରୁକୁଳ ଆଶ୍ରମସ୍ଥିତ ଗୋଶାଳାର ସୁରଭୀ ସହ ଏହି ବିବାହ ଉତ୍ସବ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ପରମହଂସ ପ୍ରଜ୍ଞାନାନନ୍ଦ ଗିରି କନ୍ୟା ପକ୍ଷ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଉକ୍ତ ଦିନ ବୈଦିକ ରୀତିନୀତିରେ ନନ୍ଦୀଙ୍କର ଚାରିକର୍ମ ସଂସ୍କାର କରାଯାଇ ପୂର୍ବାହ୍ନ ୧୧ଟା ସମୟରେ ଉପୋନୟନ କାର୍ଯ୍ୟ ସମାପ୍ତ କରାଯିବ । ସନ୍ଧ୍ୟାରେ ବିବାହ ନିମନ୍ତେ ନନ୍ଦୀଙ୍କୁ ପ୍ରସ୍ତୁତ କରାଯିବ । ମଥାରେ ମୁକୁଟ, କର୍ଣ୍ଣରେ କୁଣ୍ଡଳ ଦିଆଯାଇ ନନ୍ଦୀଙ୍କୁ ବର ବେଶରେ ସଜ୍ଜିତ କରାଯିବ । ଅପରାହ୍ନ ସମୟରେ ବରଯାତ୍ରୀମାନେ ଶୋଭଯାତ୍ରାରେ ବାହାରି ସିଂହଦ୍ୱାର ପର୍ଯ୍ୟନ୍ତ ଯାଇ ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରି ପୁଣି ଗୁଣ୍ଡିଚା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ବିବାହ ଓ ବ୍ରତୋପନୟନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଗୋ’ ଆଶ୍ରମର ଅଧ୍ୟକ୍ଷା ଶ୍ୟାମା ଶୁଭଦର୍ଶିନୀ ମିଶ୍ର ଓ ଗୁରୁ ପ୍ରସାଦାନନ୍ଦଜୀ ପ୍ରମୁଖ ଉପସ୍ଥିତ ଥିଲେ ।