latest

ଆଇସକ୍ରିମ୍‌ ମସ୍ତିଷ୍କକୁ କ୍ରିୟାଶୀଳ କରିଥାଏ

Spread the News

ଋତୁ ଯାହାବି ହେଇଥାଉ ଆଇସକ୍ରିମ୍‌ ଖାଇବାର ମଜ୍ଜା ସବୁବେଳେ ନିଆରା । ଆଇସକ୍ରିମ୍‌ ବିଭିନ୍ନ ଫ୍ଲେଭର ହିସାବରେ ବଜାରରେ ଉପଲବ୍ଧ ହୁଏ ଯାହା ଅତ୍ୟନ୍ତ ସୁସ୍ୱାଦୁ ଅଟେ । ଏହାର ନାମ ଶୁଣିବା ମାତ୍ରକେ ଛୋଟ ଶିଶୁଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଲାଳ ଆସି ଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ପ୍ରକାଶ କରିବେ ଏହି ଆଇସକ୍ରିମ୍‌ ଶରୀର ପାଇଁ ଲାଭକାରୀ ମଧ୍ୟ ହୋଇଥାଏ । ଆଇସକ୍ରିମ୍‌ରେ କ୍ୟାଲସିୟମ୍‌, ଭିଟାମିନ୍‌ ଓ ପ୍ରୋଟିନ୍‌ର ଭରପୁର ମାତ୍ରା ରହିଥାଏ । ଏକ ଗବେଷଣା ହିସାବରେ ସକାଳୁ ସକାଳୁ ଜଳଖିଆରେ ଆଇସକ୍ରିମ୍‌ର ବ୍ୟବହାର ମସ୍ତିଷ୍କ ପାଇଁ ଅତ୍ୟନ୍ତ ଉପାଦେୟ ଅଟେ । ଏହାଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହି ଅଧ୍ୟୟନ କ୍ୟୋରିନ୍‌ ୟୁନିଭର୍ସିଟିର ପ୍ରଫେସର କୋଗାଙ୍କ ସହଯୋଗରେ କରାଯାଇଥିଲା । ଯେଉଁଥିରେ ପ୍ରକାଶ କରାଯାଇଥିଲା ସକାଳୁ ଶଯ୍ୟାତ୍ୟାଗ କରି ଜଳଖିଆରେ ଆଇସକ୍ରିମ୍‌ ଖାଇଲେ ମାନସିକ ସ୍ତରରେ ଉତ୍ତେଜନା ହ୍ରାସ ପାଇଥାଏ ।


ଉପରୋକ୍ତ ଅଧ୍ୟୟନରେ ଏମିତି ଏକ ବ୍ୟକ୍ତିର ମସ୍ତିଷ୍କର ସକ୍ରିୟତାକୁ ମପାଗଲା ଯାହାକୁ ସକାଳୁ ଶଯ୍ୟାତ୍ୟାଗ କରିବା ପରେ ଆଇସକ୍ରିମ୍‌ ଦିଆଯାଇଥିଲା । ଏହା ବ୍ୟତୀତ ଅନ୍ୟ ଏକ ବ୍ୟକ୍ତିର ମସ୍ତିଷ୍କର ଗତିବିଧି ଉପରେ ଦୃଷ୍ଟି ନିବିଦ୍ଧ କରାଗଲା ଯାହାଙ୍କୁ ସକାଳ ଜଳଖିଆରେ ଆଇସକ୍ରିମ୍‌ ଦିଆଯାଇ ନଥିଲା । ଏହି ଅଧ୍ୟୟନରୁ ଜଣାପଡ଼ିଲା ଯେଉଁ ବ୍ୟକ୍ତିଙ୍କୁ ଆଇସକ୍ରିମ୍‌ ଦିଆଯାଇଥିଲା ତୁଳନାତ୍ମକ ଭାବରେ ତାଙ୍କର ମସ୍ତିଷ୍କ ଅଧିକ ସକ୍ରିୟ ଥିଲା । ଆଇସକ୍ରିମ୍‌ରେ ପ୍ରୋଟିନ୍‌ର ଭରପୁର ମାତ୍ରା ଥାଏ, ଯାହା ଶରୀରର ପ୍ରତ୍ୟେକ ଅଂଶ ଯଥା ଅସ୍ଥି, ମାଂସପେଶୀ, ଚର୍ମ ଏବଂ ରକ୍ତପାଇଁ ଲାଭଦାୟକ ହେଇଥାଏ । ପ୍ରୋଟିନ୍‌ର ସେବନ ଦ୍ୱାରା ଆମର ମାଂସପେଶୀଗୁଡ଼ିକ ଶକ୍ତ ହୁଏ । ଆଇସକ୍ରିମ୍‌ରେ ଭିଟାମିନ୍‌ ଏ, ବି-୨ ଏବଂ ବି-୧୨ ଯଥେଷ୍ଟ ମାତ୍ରା ଥାଏ । ଭିଟାମିନ୍‌ ଏ ଚର୍ମ, ଅସ୍ଥିର ଯତ୍ନ ନେବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ଘଟାଇଥାଏ । ଭିଟାମିନ୍‌ ଏ ଦୃଷ୍ଟିଶକ୍ତି ବିକାଶ ନିମନ୍ତେ ଅତ୍ୟନ୍ତ ଉପକାରୀ ପୋଷକତତ୍ତ୍ୱ ଅଟେ । ଭିଟାମିନ୍‌ ଏ ଦ୍ୱାରା ଅସ୍ଥି, ଚର୍ମ, ଦାନ୍ତ, ଚକ୍ଷୁ ଏବଂ କେଶର ସଠିକ୍‌ ଯତ୍ନ ନିଆଯାଇ ଏଗୁଡ଼ିକୁ ସୁସ୍ଥ ରଖାଯାଇପାରେ । କିନ୍ତୁ, ଏହି ଭିଟାମିନ୍‌ ଏ ଶରୀରରେ ଏକ ସନ୍ତୁଳିତ ମାତ୍ରାରେ ରହିବା ଦରକାର । ଆଇସକ୍ରିମ୍‌ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ୍‌ର ମାତ୍ରା ହ୍ରାସ ହୋଇନଥାଏ । ଏହି କ୍ୟାଲସିୟମ୍‌ ଆମର ଅସ୍ଥିକୁ ଶକ୍ତ କରିବା ସହିତ ମୋଟାପଣକୁ ମଧ୍ୟ କମେଇଥାଏ ।