latest

ରୋଟାରି କ୍ଲବ୍‌ ପକ୍ଷରୁ ଅଙ୍ଗଦାନ ନିମନ୍ତେ ସଚେତନତା

Spread the News

ପୁରୀ, (ମୋ ଓଡ଼ିଶା): ସ୍ଥାନୀୟ ରାଣୀସତୀ ମନ୍ଦିରରେ ରୋଟାରି କ୍ଲବ୍‌ ପୁରୀ ଶାଖା ପକ୍ଷରୁ ଶରୀର ଓ ଅଙ୍ଗଦାନ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରି ଇଣ୍ଟର୍‌ନ୍ୟାସନାଲ୍‌ର ୧୧୫ତମ ପ୍ରତିଷ୍ଠା ଦିବସ ଅବସରରେ ପୁରୀରେ ଶରୀର ଓ ଅଙ୍ଗଦାନ ଅଭିଯାନକୁ ବ୍ୟାପକ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ ଶରୀର ଓ ଅଙ୍ଗ ଦାନ ସଂଗଠନର ସଭାପତି ଡା. ପ୍ରଭାସ ଆଚାର୍ଯ୍ୟ ଏବଂ ଶ୍ରୀମନ୍ଦିର ଭିତରଚ୍ଛ ସେବାୟତ ଭବାନୀ ମହାପାତ୍ର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଡା. ଆଚାର୍ଯ୍ୟ କହିଥିଲେ ଯେ ଶରୀର ତଥା ଅଙ୍ଗଦାନ ନିମନ୍ତେ ସଚେତନତାର ଆବଶ୍ୟକତା ରହିଅଛି । ଅକାଳ ମୃତ୍ୟୁ କିମ୍ୱା ଦୁର୍ଘଟଣାଜନିତ ମସ୍ତିଷ୍କ ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ଦ୍ୱାରା ଜଣେ ରୋଗୀଙ୍କୁ ନୂଆ ଜୀବନ ମିଳିଥାଏ । ଏହି ଅଙ୍ଗ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଥାଏ । ତେଣୁ ପ୍ରତ୍ୟେକ ସଚେତନ ନାଗରିକ ଅଙ୍ଗ ଦାନ ପାଇଁ ଆଗେଇ ଆସି ସତ୍ୟପାଠ କରିବା ଉଚିତ ବୋଲି ଡା. ଆଚାର୍ଯ୍ୟ ଦୋହରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍‌ର ଅଧ୍ୟକ୍ଷ ହିମାଂଶୁ ମୋହନ ମହାନ୍ତି, ସଭାପତି ଅଶୋକ ପାତ୍ର, ସମ୍ପାଦକ ଧବଳେଶ ମହାପାତ୍ର ଏବଂ ଆସିଷ୍ଟାଣ୍ଡ ରୋଟାରି ଗଭର୍ଣ୍ଣର ମଙ୍ଗିଲାଲ୍‌ ବଳଦେଓ୍ୱା ପ୍ରମୁଖ ଯୋଗଦାନ କରିଥିଲେ । ସେହିପରି ଅଙ୍ଗଦାନ କରିବା ନିମନ୍ତେ ଘୋଷଣା କରିଥିବା ସ୍ନେହା ନନ୍ଦଙ୍କ ସମେତ ଆଇଏମ୍‌ଟି ଫାର୍ମାସି କଲେଜର ଛାତ୍ରଛାତ୍ରୀ, ହୋପ୍‌ ଇଜ୍‌ ଲାଇଫ୍‌, ଆଦିତ୍ୟ ବାହିନୀ, ସାହି ଭାଇ ଓ ପୁରୀ ଜିଲ୍ଲା ଓକିଲ ସଂଘ ଆଦି ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାକୁ ସଫଳ ମଣ୍ଡିତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଚନ୍ଦନ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସରୋଜ ପାଣିଗ୍ରାହୀ ।