latest

ଭୋଗମଣ୍ଡପ ବିଳମ୍ୱରେ ଉଠୁଛି, ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି ଭକ୍ତ

Spread the News

ପୁରୀ, (ମୋ ଓଡ଼ିଶା): ଶ୍ରୀମନ୍ଦିରରେ ଭୋଗମଣ୍ଡପ ବିଳମ୍ୱରେ ଉଠୁଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ସ୍ଥାୟୀ ପ୍ରତିକାର ପାଇଁ ସର୍ବସାଧାରଣରେ ଦୃଢ଼ ଦାବି କରାଯାଉଛି । ପ୍ରକାଶଯୋଗ୍ୟ ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ଲାଗୁହେବା ପରେ ଭୋଗମଣ୍ଡପ ଧାର୍ଯ୍ୟ ସମୟରେ ସରୁଥିଲା ଏବଂ ଭକ୍ତମାନେ ମହାପ୍ରସାଦ ସଠିକ୍‌ ସମୟରେ ପାଇପାରୁଥିଲେ । କିନ୍ତୁ, ବିଗତ ଦୁଇ ମାସ ହେବ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଉଅଛି । ଶ୍ରୀମନ୍ଦିର ନୀତି ସ୍ଥିରୀକୃତ ସମୟଠାରୁ ଯଥେଷ୍ଟ ବିଳମ୍ୱରେ ସରୁଛି, ସେଥିପାଇଁ ଭୋଗମଣ୍ଡପ ଉଠିବାରେ ବିଳମ୍ୱ ହେଉଅଛି । ସରକାରଙ୍କ ପକ୍ଷରୁ ନିଯୁକ୍ତ ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀଜୀଉଙ୍କ ନୀତିକାନ୍ତିର ସଠିକ୍‌ ତଦାରଖ କରୁ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଭକ୍ତମହଲରେ ଆଲୋଚନା ହେଉଅଛି । ସୁପକାରମାନେ ଧାର୍ଯ୍ୟ ସମୟ ମଧ୍ୟରେ ଭୋଗ ରନ୍ଧା କାର୍ଯ୍ୟ ସାରୁଥିବା ସତ୍ତ୍ୱେ ଭୋଗମଣ୍ଡପ ଉଠିବାରେ ବିଳମ୍ୱ ଘଟୁଛି । ଏଣୁ, ଭକ୍ତମାନେ ସଠିକ୍‌ ସମୟରେ ମହାପ୍ରସାଦ ନପାଇ ନିରାଶ ମନରେ ଫେରୁଛନ୍ତି । ସାଧାରଣ ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ତଥା ଏହି ଭୋଗମଣ୍ଡପ ବିଭ୍ରାଟର ସ୍ଥାୟୀ ପ୍ରତିକାର ନିମନ୍ତେ ସୁଆର ମହାସୁଆର ନିଯୋଗ ତରଫରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଲିଖିତ ଅଭିଯୋଗ କରାଯାଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ନିବେଦନ କରାଯାଇଛି ।