latest

ଉଚ୍ଛେଦ ହେଲା ପ୍ରତିହାରୀ ଭବନ

Spread the News

ପୁରୀ, (ମୋ ଓଡ଼ିଶା): ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ଚାଲୁ ରହିଥିବା ଉଚ୍ଛେଦ ପ୍ରକ୍ରିୟାରେ ଗତକାଲି ପଶ୍ଚିମଦ୍ୱାର ନିକଟରେ ଥିବା ପ୍ରତିହାରୀ ଭବନକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଏହି କୋଠା ସହ ସଂଲଗ୍ନ ଥିବା ଅନ୍ୟ ଛୋଟ ଛୋଟ ଘରସବୁକୁ ମଧ୍ୟ ଭଙ୍ଗାଯାଇଛି । ପ୍ରତିହାରୀ ଭବନର ଉଚ୍ଛେଦ ପାଇଁ ଏକାଧିକ ଜେସିବିକୁ ଭଙ୍ଗା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାରିକେଡ୍‌ର ବାଡ଼ ପକାଯାଇଥିଲା । ଉଚ୍ଛେଦ କାର୍ଯ୍ୟକୁ ମାଜିଷ୍ଟ୍ରେଟ ନିଜେ ତଦାରଖ କରିଥିଲେ । ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ସଶସ୍ତ୍ର ପୁଲିସମାନେ ମୁତୟନ ରହିଥିଲେ । ସନ୍ଧ୍ୟା ସୁଦ୍ଧା ଏହି ବିଶାଳ କୋଠାର ଭଙ୍ଗା କାର୍ଯ୍ୟକୁ ଶେଷ କରିଛି ଜିଲ୍ଲା ପ୍ରଶାସନ । ଏଠାରେ ସୂଚନା ଥାଉକି, ପ୍ରତିହାରୀ ଭବନର ମାଲିକାନା ସତ୍ତ୍ୱ ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗର । ଏହି କୋଠାକୁ ଉଚ୍ଛେଦ କରିବା ନିମନ୍ତେ ପ୍ରତିହାରୀ ନିଯୋଗକୁ ସରକାରଙ୍କ ତରଫରୁ ୭କୋଟି ଟଙ୍କା ପ୍ରଦାନ କରାଯାଇଛି ।