latest

ପାଚନକ୍ରିୟାକୁ ସୁଦୃଢ଼ କରିଥାଏ ଏହିସବୁ ଖାଦ୍ୟ

Spread the News

ପାଚନକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ହେଲେ ଆମର ଖାଦ୍ୟନଳୀର ନିମ୍ନଭାଗରେ ଥିବା ଅନ୍ତନଳୀ ବା ଅନ୍ତୁବୁଜୁଳାକୁ ସୁସ୍ଥ ରଖିବାକୁ ପଡ଼ିବ । କାରଣ ଏହି ଅନ୍ତବୁଜୁଳା ବା ଅନ୍ତନଳୀର ପ୍ରାଥମିକ କାର୍ଯ୍ୟ ହେଲା ପୋଷକ ତତ୍ତ୍ୱଗୁଡ଼ିକୁ ଅବଶୋଷଣ କରିବା ଏବଂ ଅଦରକାରୀ ପଦାର୍ଥଗୁଡ଼ିକୁ ଶରୀରରୁ ନିଷ୍କାସନ କରିବା । ଏହି କାର୍ଯ୍ୟପ୍ରଣାଳୀରେ ଯଦି କୌଣସି ସମସ୍ୟା ସୃଷ୍ଟି ହୁଏ ତେବେ ସଂପୃକ୍ତ ବ୍ୟକ୍ତି କୋଷ୍ଠକାଠିନ୍ୟ ଓ ଅଜୀର୍ଣ୍ଣ ଭଳି ବ୍ୟାଧିର ସମ୍ମୁଖୀନ ହେଇଥାନ୍ତି । ଏମିତି ବହୁତ ଖାଦ୍ୟ ରହିଛି ଯାହା ଆମର ଅନ୍ତନଳୀ ବା ଅନ୍ତବୁଜୁଳାକୁ ସୁସ୍ଥ ରଖି ପାଚନକ୍ରିୟାକୁ ଅଧିକା କ୍ରିୟାଶୀଳ କରେ ।


ଗୋଟା ତଥା ପୂର୍ଣ୍ଣ ଶସ୍ୟ
ରାତ୍ର ସମୟରେ ଅଧିକ ଭୋଜନ କରିବା ପରେ ଏହାର ପରଦିନ ପେଟଗତ ସମସ୍ୟା ଦେଖାଦେଇଥାଏ । ଏଥିରୁ ମୁକ୍ତି ପାଇଁ ରାତ୍ର ସମୟରେ ଗୋଟା ତଥା ପୂର୍ଣ୍ଣ ଶସ୍ୟରେ ବ୍ୟଞ୍ଜନ ପ୍ରସ୍ତୁତ କରି ତାହାର ଭୋଜନ କରିବା ଉଚିତ୍‌ । ଏଥିରେ ଫାଇବର ଭରପୁର ମାତ୍ରାରେ ଥାଏ । ଏହି ଜାତୀୟ ଖାଦ୍ୟ ପେଟର କ୍ଷୁଧାର୍ତ୍ତକୁ ମଧ୍ୟ ଶାନ୍ତ କରେ । ଆପଣ ଏଥିରେ ପ୍ରୋଟିନ୍‌ ଏବଂ ଗୁଡ୍‌ ଫ୍ୟାଟ୍‌କୁ ମିଶେଇବା ପାଇଁ ବାଦାମ, ଲହୁଣୀ ସହିତ ଏହି ଗୋଟା ବା ପୂର୍ଣ୍ଣ ଶସ୍ୟଗୁଡ଼ିକର ରୁଟି ପ୍ରସ୍ତୁତ କରି ଭୋଜନ କରିପାରିବେ ।
ସେଓ
ସେଓରେ ପେକ୍ଟିନ୍‌ ନାମକ ଏକ ଫାଇବର ନିହିତ ଅଛି, ଯାହା ଆମର ଅନ୍ତନଳୀ ବା ଅନ୍ତବୁଜୁଳାରେ ପ୍ରୋବାୟୋଟିକ୍‌ ରୂପେ କାର୍ଯ୍ୟ କରିବାରେ ସକ୍ଷମ ଅଟେ । ଏହା ଅନ୍ତନଳୀରେ ମହତ୍ତ୍ୱପୂର୍ଣ୍ଣ ସର୍ଟ-ଚେନ୍‌ ଫ୍ୟାଟି ଏସିଡ୍‌ର ସ୍ତର ବଢ଼ାଇବାରେ ସାହାଯ୍ୟ କରେ । ଏହାଦ୍ୱାରା ପାଚନତନ୍ତ୍ର ଅଧିକ ସଶକ୍ତ ହୁଏ ।
ସପୁରୀ
ସପୁରୀରେ ବ୍ରାମେଲାଇନ୍‌ ନାମକ ଏକ ଏନଜାଇମ୍‌ ରହିଛି, ଯାହା ପ୍ରୋଟିନ୍‌କୁ ପାଚନ କରାଇବାରେ ବିଶେଷ ଗୁରୁତ୍ୱ ବହନ କରେ । ପ୍ରୋଟିନ୍‌କୁ ପଚାଇବା ପେଟ ପକ୍ଷେ ସହଜସାଧ୍ୟ ହୁଏନାହିଁ । ଏଥିପାଇଁ ଆମେ ହାଇ ପ୍ରୋଟିନ୍‌ ଡାଏଟ୍‌ କଲାପରେ ସପୁରୀ ଖାଇଲେ ଆମକୁ ପ୍ରୋଟିନ୍‌ର ଅଧିକ ଲାଭ ମିଳେ ।
କଦଳୀ
କଦଳୀକୁ ପୋଟାସିୟମ୍‌ର ସବୁଠାରୁ ଭଲ ଉତ୍ସ ରୂପେ ବିଚାର କରାଯାଏ । କଦଳୀରେ ଏମିଲେଜ୍‌ ଓ ମାଲ୍ଟେଜ୍‌ ପରି ଅନେକ ଏନଜାଇମ୍‌ ଅଛି, ଯାହା ଶରୀର ଭିତରେ ଥିବା କମ୍ପ୍ଲେକ୍ସ କାର୍ବ୍ସଗୁଡ଼ିକୁ ଭାଙ୍ଗି ପାଚନତନ୍ତ୍ରକୁ ସଠିକ୍‌ ରୂପେ ପରିଚାଳିତ କରେ । ଏଣୁ, ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ୧-୨ କଦଳୀ ଖାଇଲେ ଖାଦ୍ୟଗୁଡ଼ିକର ପଚନରେ ସମସ୍ୟା ସୃଷ୍ଟି ହେଇନଥାଏ ।


ଅମୃତଭଣ୍ଡା
ଅମୃତଭଣ୍ଡାରେ ପପାଇନ୍ ନାମକ ଏକ ଏନଜାଇମ୍‌ ରହିଛି, ଯାହା ପ୍ରୋଟିନ୍‌କୁ ଭାଙ୍ଗିବାରେ ସହାୟତା କରିଥାଏ । ଏହାଛଡ଼ା ଅମୃତଭଣ୍ଡାରେ ବହୁତ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ୍‌ସ ନିହିତ ଅଛି । ଏଣୁ, ଅମୃତଭଣ୍ଡା ଖାଇବା ଦ୍ୱାରା ଆମକୁ ବିଭିନ୍ନ ଜଟିଳ ରୋଗରୁ ରକ୍ଷା ମିଳିଥାଏ ।
ଅଦା
ପେଟ ସମସ୍ୟାରୁ ମୁକ୍ତି ପାଇଁ ଅଦାକୁ ଏକ ଭଲ ଆହାର ରୂପେ ବିବେଚନା କରାଯାଏ । ଖାଦ୍ୟ ପ୍ରସ୍ତୁତିରେ ଅଦାର ବ୍ୟବହାର କରିବା ଉଚିତ୍‌ । ଏହି ଅଦା ପ୍ରୋଟିନ୍‌କୁ ଭାଙ୍ଗିବାରେ ସାହାଯ୍ୟ କରେ । ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍‌ସ ମଧ୍ୟ ରହିଛି ।
ମହୁ
ମହୁରେ ଡାଇଷ୍ଟେସେସ, ଇନଭର୍ଟେସେସ୍‌ ଓ ପ୍ରୋଟିସେସ୍‌ ନାମକ ଏନ୍‌ଜାଇମଗୁଡ଼ିକ ରହିଛି, ଯାହା ସୁଗାର ଓ ପ୍ରୋଟିନ୍‌କୁ ଭାଙ୍ଗି ପାଚନକ୍ରିୟାକୁ ଅଧିକ କାର୍ଯ୍ୟକ୍ଷମ କରେ । ଏହି ଏନଜାଇମ୍‌ଗୁଡ଼ିକ ଅର୍ଗାନିକ୍‌ ମହୁରେ ଭଲ ମାତ୍ରାରେ ମିଳିଥାଏ । ଏହା ସହିତ ମହୁର ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ମଧ୍ୟ ଅଛି ।