latest

ଆସନ୍ତାକାଲି ମଧ୍ୟପ୍ରଦେଶରେ ଆସ୍ଥା ଭୋଟ୍

Spread the News

ସୋମବାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ମଧ୍ୟପ୍ରଦେଶର କମଲନାଥ ସରକାର। ବିଳମ୍ୱିତ ରାତ୍ରିରେ ରାଜ୍ୟପାଳ ଲାଲାଜି ଟଣ୍ଡନ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ସହିତ ରାଜ୍ୟପାଳ ଟଣ୍ଡନ ୧୬ ମାର୍ଚ୍ଚ ୨୦୨୦ ସକାଳ ୧୧ଟା ବେଳକୁ ବିଧାନସଭା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ରାଜ୍ୟପାଳ ଅଭିଭାଷଣ ରଖିବେ। ଏହାପରେ ଆସ୍ଥା ଭୋଟ୍ ଦେବେ କମଲନାଥ ସରକାର। ସୋମବାର ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଆସ୍ଥା ଭୋଟ ବେଳେ ସମସ୍ତ ପ୍ରକ୍ରିୟା ଭିଡିଓ ରେକର୍ଡିଂ ହେବ ବୋଲି ନିର୍ଦ୍ଦେଶ ରହିଛି। ଏଥିସହ କମଲନାଥ ସରକାରଙ୍କ ୬ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ପ୍ରସ୍ତାବ କ୍ରମେ ବହିଷ୍କାର କରାଯାଇଛି ବୋଲି ରାଜ୍ୟପାଳଙ୍କ ତରଫରୁ ବାଚସ୍ପତିଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି।
ତେବେ ରାଜ୍ୟରେ ଘୋଡ଼ା ବେପାର ହେବାର ସମ୍ଭାବନା ରହିଛି। ବିଜେପି କଂଗ୍ରେସ ବିଧାୟକଙ୍କୁ ବାଙ୍ଗାଲୋରର ଏକ ହୋଟେଲରେ ଅଟକ ରଖିଛି ବୋଲି ମୁଖ୍ୟମନ୍ତ୍ରୀ କମଲନାଥ ନିକଟରେ ରାଜ୍ୟପାଳଙ୍କୁ ଭେଟି କହିଥିଲେ। ଏହାପରେ ଶନିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟି ସମାନ କଥା ଦୋହରାଇଛନ୍ତି। ବାଙ୍ଗାଲୋରରେ ଅଟକ ଥିବା ବିଧାୟକଙ୍କୁ ମଧ୍ୟପ୍ରଦେଶରେ ପହଞ୍ଚାଇବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଯଦି ବାଙ୍ଗାଲୋରରେ ଅଟକ ଥିବା ୨୨ ବିଧାୟକ ରାଜ୍ୟକୁ ଫେରିବେ ତାହେଲେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ତାଙ୍କୁ ଯୋଗାଇ ଦିଆଯିବ ବୋଲି କମଲନାଥ ଅମିତ ଶାହଙ୍କୁ ଆଶ୍ୱାସନା ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ସିନ୍ଧିଆ ଦଳ ଛାଡ଼ିବା ପରେ କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ତେବେ ବାଚସ୍ପତି ଏଯାଏ ଇସ୍ତଫା ପତ୍ର ଗ୍ରହଣ କରି ନାହାନ୍ତି।

Tags: