latest

ଏଥର ବିନା ଭକ୍ତରେ ବଡଦାଣ୍ଡରେ ଗଡିବ ୩ ରଥ!

Spread the News

କୋରୋନା ମହାମାରୀ ବିଶ୍ୱବ୍ୟାପି ଚିନ୍ତାର କାରଣ ସୃଷ୍ଟି ହୋଇଥିବାବେଳେ ଏହାର ସମାଧାନର ଏକମାତ୍ର ରାସ୍ତା ହେଉଛି ସାମାଜିକ ଦୂରତା । ଲୋକଙ୍କ ମଧ୍ୟରେ ଦୂରତାକୁ ଦୃଷ୍ଟିରେ ରଖି ଏବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ସମାଗମ ନେଇ ପ୍ରଶ୍ନ ଉଠିଛି । ଏଥର ଜୁନ୍‍ ୨୩ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏହି ସମୟ ମଧ୍ୟରେ ଯଦି କୋରୋନା ପରିସ୍ଥିତିରେ ସୁଧାର ଆସି ନ ଥିବ, ତେବେ ପ୍ରଶାସନ ନିରାଡ଼ାମ୍ବର ଭାବେ ରଥଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଏବେଠାରୁ ଆଶଙ୍କା କରାଯାଉଛି । ସୂଚନା ମୁତାବକ ୩ରଥ ନିର୍ମାଣ ଲାଗି ୨ଟ୍ରିପ୍‍ କାଠ ପୁରୀରେ ପହଞ୍ଚି ସାରିଛି । ଗତ ବସନ୍ତ ପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ପୂଜା ମଧ୍ୟ ସମ୍ପନ୍ନ ହୋଇଛି । ତେଣୁ ଏପରି ସ୍ଥିତିରେ ସେତେବେଳର ପରିସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି କିଭଳି ରଥଯାତ୍ରା କରାଯାଇ ପାରିବ ସେନେଇ ସରକାର ପଦକ୍ଷେପ ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ରଥଯାତ୍ରାରେ ପ୍ରତିବର୍ଷ ୧୦ ରୁ ୧୨ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଓଡିଶାରେ କୋରୋନା ସଂକ୍ରମଣର ଅଧିକ ଆଶଂକା ଥିବାରୁ ସମ୍ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ କଟକଣା ଜାରୀ କରାଯାଇଛି। ଏବେ ବିମାନ, ରେଳ ଓ ବସ୍‍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହାଛଡା ଅନ୍ୟ ରାଜ୍ୟର ଲୋକମାନେ ଯେପରି ଆସି ନ ପାରିବେ ସେଥିଲାଗି ସେମାନଙ୍କ ଉପରେ କଡା ନଜର ରଖିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏଭଳି ସ୍ଥିତିରେ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ପୁରୀରେ ଏକତ୍ର ହେବାଲାଗି ଯେ ସରକାର ଅନୁମତି ଦେବେ ତାହା ଅନିଶ୍ଚିତ ଅବସ୍ଥାରେ ରହିଛି ।

ଯାହାକୁ ନେଇ ଏବେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା କରାଯାଇଛି। ଏଣୁ ଏଥର ମଧ୍ୟ କିଛି ଅସୁବିଧା ହେବନି ବୋଲି ସେବାୟତ ମାନେ କହୁଛନ୍ତି । ପରମ୍ପରା ଦୃଷ୍ଟିରୁ କୌଣସି ମତେ ରଥଯାତ୍ରାକୁ ବନ୍ଦ କରାଯାଇପାରିବ ନାହିଁ । ତେବେ ଏପରି ସ୍ଥିତିରେ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।