latest

ମୁଖ୍ୟମନ୍ତ୍ରୀଙ୍କୁ ଆର୍ଥିକ ସହାୟତା ଲୋଡିଲେ ରାଜ୍ୟର ୫୯୫ ଷ୍ଟାର୍ଟଅପ୍‌

Spread the News

କରୋନା ପାଇଁ ରାଜ୍ୟର ଷ୍ଟାଟଅପ୍ ବା ନୂଆ ଉଦ୍ୟୋଗୀଙ୍କ ଉପରେ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଛି । “ଷ୍ଟାଟଅପ୍ ଓଡ଼ିଶା”ରେ ପଞ୍ଜିକୃତ ହୋଇଥିବା ରାଜ୍ୟର ୫୯୫ଟି ଷ୍ଟାର୍ଟଅପ୍ ନିଜର ବ୍ୟବସାୟ ବନ୍ଦ କରିଦେଇଛନ୍ତି । ଯାହାଫଳରେ ସମସ୍ତ ଷ୍ଟାର୍ଟଅପ୍ ଙ୍କ ଉପରେ ଏହାର କୁପ୍ରଭାବ ଅଧିକ ହେବା ଆଶଙ୍କା ଦେଖାଦେଇଛି । ତେଣୁ ଜରୁରୀଭିତିରେ ଏହି ଷ୍ଟାର୍ଟଅପ୍ ଗୁଡିକୁ ସହାୟତା ଯୋଗାଇ ଦେବା କଥା ବିଚାର କରିବାକୁ ୫୯୫ଟି  ଷ୍ଟାର୍ଟଅପ୍ ପକ୍ଷରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖାଯାଇ ଅନୁରୋଧ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ  ନୂଆ ଉଦ୍ୟୋଗପତିମାନେ ଲେଖିଛନ୍ତି ଯେ ପଞ୍ଜିକୃତ ହୋଇଥିବା ୫୯୫ଟି ସଂସ୍ଥା  ମଧ୍ୟରେ ଇ-କମର୍ସ, କୃଷିଭିତିକ ବ୍ୟବସାୟ, କଳା ଓ ସଂସ୍କୃତି, ଆଇଟିଇଏସ୍, ଅଳଙ୍କାର, ଆଇଟି ଉତ୍ପାଦ ଏବଂ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ପ୍ରକାରର ପ୍ରତିଷ୍ଠାନ ରହିଛି । ରାଜ୍ୟର ବିଭିନ୍ନ ସହରରେ ପରିଚାଳିତ ଏହି ଷ୍ଟାର୍ଟଅପ୍ ଗୁଡ଼ିକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଛି । ଏହାଛଡ଼ା ଓଡ଼ିଶାକୁ “ଟ୍ରିଲିୟନ୍ ଡଲାର୍ ଇକୋନୋମି’ରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରାଇବାରେ ସହାୟତା ଏହି ନୂଆ ଷ୍ଟାର୍ଟଅପ୍ ସବୁ ପ୍ରତିବଦ୍ଧ ହୋଇଛନ୍ତି। ନୂଆ ଉଦ୍ୟୋଗମାନଙ୍କର ଇକୋ-ସିଷ୍ଟମ୍ ବା ନେଟୱାର୍କ ବିକଶିତ ହୋଇ ଫଳପ୍ରଦ ହେବାକୁ ୭ରୁ ୧୦ ବର୍ଷ ଲାଗେ । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ରାଜ୍ୟରେ ଗଢ଼ି ଉଠିଥିବା ଏହି ଷ୍ଟାର୍ଟଅପ୍ ସବୁ ପ୍ରାରମ୍ଭିକ ଅବସ୍ଥାରେ ରହିଛନ୍ତି । ତେଣୁ ସେମାନଙ୍କର ଉପଯୁକ୍ତ ଯତ୍ନ ଓ ତତ୍ୱାବଧାନ ଆବଶ୍ୟକ ।

ବର୍ତମାନ କୋଭିଡକୁ ନେଇ ଦେଖା ଦେଇଥିବା ସଂକଟକୁ ନେଇ ୫୯୫ଟି ନୂଆ ଷ୍ଟାର୍ଟଅପ୍ ର ସ୍ଥିତି ସୁଧାରିବା ଲାଗି ରାଜ୍ୟ ସରକାର ସହାୟତାର ହାତ ବଢ଼ାଇବା ଦରକାର। ମୁଖ୍ୟମନ୍ତ୍ରୀଙ୍କୁ ଏହି  ଉଦ୍ୟୋଗମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି କି ଓ୍ୱାନ୍ ଟାଇମ୍ ହେଲ୍ପ (ଏକକାଳୀନ ଅର୍ଥିକ  ସହାୟତା), ସ୍ୱଳ୍ପ ସୁଧରେ ଋଣ ବା (ସଫଟ୍ ଲୋନ୍) ଏବଂ  “କ୍ରେଡିଟ୍ ଗ୍ୟାରେଂଟି’ ଭଳି କେତେକ ବ୍ୟବସ୍ଥା ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ ଲାଗି ବିଚାର କରାଯାଉ। ଏହି ରିଲିଫ୍ ପ୍ୟାକେଜଗୁଡ଼ିକୁ ଯଥା ସମ୍ଭବ କମ୍ ଅନୁମୋଦନ ପ୍ରକ୍ରିୟା ମାଧ୍ୟମରେ ସଂକଟରେ ପଡ଼ିଥିବା ନୂଆ ଷ୍ଟାର୍ଟଅପ୍ ମାନଙ୍କୁ ଯୋଗାଇ ଦେବାକୁ ଉଦ୍ୟୋଗପତିମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।