latest

ସାଉଦୀ ରାଜପରିବାରର ୧୫୦ଜଣ କରୋନା ସଂକ୍ରମିତ ହୋଇଥିବାର ଆଶଙ୍କା

Spread the News

ସାଉଦୀ ଆରବରେ କରୋନା ସଂକ୍ରମଣ ଯୋଗୁ ଅଦ୍ୟାବଧି ୪୧ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ପାଖାପାଖି ୩ ହଜାର ଲୋକ ସଂକ୍ରମିତ ହୋଇସାରିଲେଣି । କରୋନା ପାଇଁ ସାଉଦୀ ସରକାର ଦେଶସାରା ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସଂକ୍ରମଣର ମୁକାବିଲା ପାଇଁ ରାଜଧାନୀ ରିଆଦରେ ମଧ୍ୟ ୨୪ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଛି । ଏସବୁ ସତ୍ତ୍ୱେ କରୋନା ଏବେ ସାଉଦୀ ରାଜମହଲରେ ପହଞ୍ଚି ସାରିଥିବା ଜଣାପଡିଛି । ରାଜପରିବାରର ପ୍ରାୟ ୧୫୦ ଜଣ ସଦସ୍ୟ ଏବେ କରୋନା ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ଚିକିତ୍ସା ଲାଗି ତୁରନ୍ତ ସ୍ୱତନ୍ତ୍ର ହସ୍ପିଟାଲ ସ୍ଥାପନା ନିମନ୍ତେ କିଙ୍ଗ ଫୈସଲ ସ୍ପେସିଆଲିଷ୍ଟ ହସ୍ପିଟାଲ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜପରିବାରର ଯେଉଁମାନେ କରୋନା ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି ସେମାନେ କିଛିଦିନ ପୂର୍ବରୁ ୟୁରୋପରୁ ଫେରିଛନ୍ତି । ଏଣୁ ତୁରନ୍ତ ଅତିବିଶିଷ୍ଟ ଲୋକଙ୍କ ଚିକିତ୍ସା ନିମନ୍ତେ ୫୦୦ ଶଯ୍ୟାର ଅତ୍ୟାଧୁନିକ ହସ୍ପିଟାଲ ସ୍ଥାପନା ଲାଗି ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଅନୁସାରେ ରିଆଦ ଗଭର୍ଣ୍ଣର ଏବେ କିଙ୍ଗ ଫୈସଲ ହସ୍ପିଟାଲର ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ଦେଶରେ କରୋନା ସଂକ୍ରମଣ ପରଠାରୁ ବାଦଶାହ ସଲମାନ ଜେଦା ନିକଟସ୍ଥ ତାଙ୍କ ମହଲରେ ନିଜକୁ ପୃଥକ କରି ରଖିଛନ୍ତି । ସେହିପରି ପ୍ରିନ୍ସ ମହମ୍ମଦ ବିନ ସଲମାନ ତାଙ୍କର ମନ୍ତ୍ରୀମାନଙ୍କୁ ଦୂରାନ୍ତ ଅଞ୍ଚଳକୁ ଚାଲିଯିବାକୁ କହିଛନ୍ତି ।