latest

ରାଜ୍ୟରେ ଲକ୍‌ଡ଼ାଉନ୍ ଅବଧି ବୃଦ୍ଧି ନେଇ ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ପ୍ରଶଂସା

Spread the News

ଯେକୌଣସି ବିପର୍ଯ୍ୟୟ ହେଉ, ଏହାକୁ ପରିଚାଳନା କରିବାରେ ସିଦ୍ଧହସ୍ତ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ‘ଫନି’ର ସଫଳ ମୁକାବିଲା କରି ସବୁ ମହଲରୁ ପ୍ରଶଂସିତ ହୋଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ନେଇଥିବା ସମୟୋଚିତ୍ତ ତଥା ଦୁଃସାହସିକ ନିଷ୍ପତ୍ତି ପାଇଁ ଦେଶର ଜାତୀୟ ଗଣମାଧ୍ୟମର ପୁଣି ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି । ଏବେ କରୋନା ମହାମାରୀ ଯୋଗୁଁ ସମଗ୍ର ପୃଥିବୀରେ ଏକ ଭୟର ବାତାବରଣ ରହିଛି । ଆମ ଦେଶର ସମସ୍ତ ରାଜ୍ୟଗୁଡ଼ିକରେ ଏହି ମହାମାରୀ ଭୂତାଣୁର ସଂକ୍ରମଣ ରୋକିବା ଲାଗି ଲକ୍‌ଡ଼ାଉନ୍ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଘୋଷଣା କରିଥିଲେ ମଧ୍ୟ ଏହାକୁ ବୃଦ୍ଧି କରିବା ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ତଥା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଆଉ ପାଦେ ଆଗେଇଯାଇ ପୂର୍ବରୁ ନିଆଯାଇଥିବା ଲକ୍‌ଡାଉନ୍ ଅବଧିକୁ ଓଡ଼ିଶାରେ ଆସନ୍ତା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନବୀନଙ୍କ ଦ୍ୱାରା ନିଆଯାଇଥିବା ଏହି ସାହସିକ ପଦକ୍ଷେପକୁ ଦେଶର ଜାତୀୟ ଗଣମାଧ୍ୟମଗୁଡ଼ିକ ଉଚ୍ଚ ପ୍ରଶଂସା କରିବାରେ ହେଳା କରିନାହାଁନ୍ତି । ଦେଶର ଲୋକପ୍ରିୟ ତଥା ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ ‘ଆଜତକ୍‌’ ଏହାର ୱେବସାଇଟରେ ଗୁରୁବାର ଦିନ ନବୀନଙ୍କ ଏହି ଲକ୍‌ଡ଼ାଉନ ସମ୍ପର୍କରେ ରିପୋର୍ଟ ପ୍ରକାଶ କରି ଏଥିରେ ଉଲ୍ଲେଖ ରହିଛି ଯେ, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲକ୍‌ଡ଼ାଉନ୍ ଅବଧିକୁ ବୃଦ୍ଧି କରିଛି । ଖାଲି ସେତିକି ନୁହେଁ ଆଜତକ୍ ଏହାକୁ ତାହାର ମୁଖ୍ୟ ଖବର ରୂପେ ପ୍ରକାଶ କରିବାକୁ ପଛାଇନାହିଁ । ‘କରୋନା ଲାଗି ଓଡ଼ିଶା ବଢ଼ାଇଲା ଲକ୍‌ଡ଼ାଉନ୍ ଅବଧି, ୩୦ ଏପ୍ରିଲ୍ ଯାଏଁ ଏବେ ସବୁ ବନ୍ଦ’ ଏହି ଶୀର୍ଷକରେ ଆଜତକ୍ ମୁଖ୍ୟ ଖବର ପ୍ରକାଶ କରିଥିବାର ଜଣାପଡ଼ିଛି । ସେହିଭଳି ନିଜର ଚିରାଚରିତ ସମ୍ୱାଦ ପରିବେଷଣ ଶୈଳୀ ପାଇଁ ଜଣାଶୁଣା ପ୍ରସିଦ୍ଧ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଦ୍ୱାରା ପରିଚାଳିତ ‘ରିପବ୍ଲିକ୍‌’ ହିନ୍ଦୀ ଓ ଇଂରାଜୀ ଚ୍ୟାନେଲରେ ମଧ୍ୟ ନବୀନଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି । ଏହି ଚ୍ୟାନେଲରେ ଓଡ଼ିଶା ସରକାରଙ୍କ ଏହି ଲକ୍‌ଡାଉନ୍ ଘୋଷଣାକୁ ମୁଖ୍ୟ ଖବର ଭାବେ ପ୍ରସାରିତ କରାଯାଇଛି । ରିପବ୍ଲିକ୍ ଟିଭିରେ ଉଲ୍ଲେଖ ହୋଇଛି ଯେ, ଲକ୍‌ଡାଉନ୍ ଅବଧି ଏପ୍ରିଲ୍ ୩୦ ତାରିଖ ସହିତ ବୃଦ୍ଧି ହେବା ସହିତ ଓଡ଼ିଶାରେ ଜୁନ୍ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସମାନ ଭାବରେ ଦେଶର ଅନ୍ୟ ଏକ ଚର୍ଚ୍ଚିତ ଗଣମାଧ୍ୟମ ‘ଟାଇମ୍ସ ଅଫ ଇଣ୍ଡିଆ’ରେ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏହି ଲକ୍‌ଡ଼ାଉନକୁ ନେଇ ଖବର ପ୍ରକାଶିତ ହୋଇଛି ।