latest

କରୋନା ଆକ୍ରାନ୍ତଙ୍କ ଭେଣ୍ଟିଲେଟର ଚିକିତ୍ସା

Spread the News

ସଂପ୍ରତି ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ତାର କାୟା ବିସ୍ତାର କରି କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ଏପର୍ଯ୍ୟନ୍ତ ଏଥିରୁ ଆରୋଗ୍ୟ କରିବା ନିମନ୍ତେ କୌଣସି ଔଷଧ ବାହାରି ପାରିନାହିଁ । ପୂରା ବିଶ୍ୱର ବୈଜ୍ଞାନିକମାନେ ଏନେଇ ଗବେଷଣା ଚାଲୁ ରଖିଛନ୍ତି । ଏପରିସ୍ଥଳେ କରୋନା ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରରେ ରଖି ସେମାନଙ୍କ ଶ୍ୱାସକ୍ରିୟାଜନିତ କଷ୍ଟକୁ ଲାଘବ କରାଯାଇ ଚିକିତ୍ସା କରାଯାଉଛି । ତେବେ ଆସନ୍ତୁ, ଏହି ଉପସ୍ଥାପନାରେ ଜାଣିବା କରୋନା ଆକ୍ରାନ୍ତଙ୍କ ପାଇଁ ଏହି ଭେଣ୍ଟିଲେଟର କିଭଳି କାର୍ଯ୍ୟ କରେ ?
ସାଧାରଣତଃ ନିଃଶ୍ଵାସ ପ୍ରଶ୍ଵାସ ନେବାକୁ ଅସମର୍ଥ ଥିବା ରୋଗୀମାନଙ୍କ ପାଇଁ ଭେଣ୍ଟିଲେଟର ତିଆରି କରାଯାଇଛି । ଏହି ଯନ୍ତ୍ର ଶରୀରର ଫୁସ୍‌ଫୁସ୍‌ ସହ କାମ କରିଥାଏ । ଫୁସ୍‌ଫୁସ୍‌ ଆମ ଶରୀରର ରକ୍ତ ଶିରା ସହିତ ଜଡ଼ିତ । ଶରୀରରେ ଅମ୍ଳଜାନ ପ୍ରବେଶ କରାଇବାରେ ଓ ଅଙ୍ଗାରକାମ୍ଳ ବାହାର କରିବାରେ ସହାୟକ ହୋଇଥାଏ ଫୁସ୍‌ଫୁସ୍‌ । ତେବେ ଏଥିରେ ବାଧା ଉପୁଜିଲେ ଭେଣ୍ଟିଲେଟର ବ୍ୟବହାର କରିବାକୁ ପଡ଼ିଥାଏ । ଭେଣ୍ଟିଲେଟରରେ ମୁଖ୍ୟତଃ ଏକ କମ୍ପ୍ୟୁଟରାଇଜଡ୍ ବାକ୍ସକୁ ନେଇ ଗଠିତ । ଏଥିରେ ଏକ ପମ୍ପ ମେସିନ୍ ରହିଥାଏ। ପମ୍ପ ମେସିନ ସହ ଏକ ଗ୍ୟାସ୍ ଟ୍ୟୁବ୍ ଲାଗି ରହିଥାଏ । ଏହି ଗ୍ୟାସ୍ ଟ୍ୟୁବ୍ ସାହାଯ୍ୟରେ ରୋଗୀ ଦେହକୁ ବାୟୁ ପଠାଇଯାଇଥାଏ । ଏହାସହ ଏଥିରେ ଏକ ଆରେ ସ୍କ୍ରିନ୍, ଏକ ଡାଏଲ ଓ ଏକ ପାଓ୍ଵାର କେବୁଲ ରହିଥାଏ । ଶରୀରରେ ଫୁସ୍‌ଫୁସ୍‌ କାମ କରିବା ବନ୍ଦ କରିଦେଲେ ଭେଣ୍ଟିଲେଟର ବ୍ୟବହାର କରିବାକୁ ପଡ଼ିଥାଏ । ଭେଣ୍ଟିଲେଟର ସାହାଯ୍ୟରେ ଜଣେ ରୋଗୀ କେତେ ମାତ୍ରାରେ, କେତେଥର ଓ କେତେ ସମୟ ନିଃଶ୍ୱାସ ପ୍ରଶ୍ୱାସ ନେଉଛି ଏବଂ ଭେଣ୍ଟିଲେରଟର ସାହାଯ୍ୟରେ ଶରୀର ଠିକ୍ ମାତ୍ରାରେ ଅମ୍ଲଜାନ ପହଞ୍ଚି ପାରୁଛିକି ନାହିଁ, ଶରୀରକୁ ଯାଉଥିବା ବାୟୁର ତାପମାତ୍ରା ଓ ଆର୍ଦ୍ରତା ଠିକ୍ ଅଛି ନା ନାହିଁ, ଏସବୁ ଜଟିଳ ଶାରୀରିକ ପ୍ରକ୍ରିୟାର ଭେଣ୍ଟିଲେଟର ସଠିକ୍‌ ସୂଚନା ଦେଇଥାଏ । ଯାହାଫଳରେ ଗୁରୁତର କରୋନା ଆକ୍ରାନ୍ତମାନଙ୍କୁ ସେମାନଙ୍କ ଶ୍ୱାସକ୍ରିୟାଜନିତ ହେଉଥିବା କଷ୍ଟକୁ ଲାଘବ କରିବା ପାଇଁ ଭେଣ୍ଟିଲେଟର ଲଗାଯାଇ କୃତ୍ରିମ ଉପାୟରେ ଅମ୍ଲଜାନ ଯୋଗାଇ ଦିଆଯାଇଥାଏ । ପ୍ରଥମେ ଭେଣ୍ଟିଲେଟରରେ ଥିବା ଫେସ୍ ମାସ୍କକୁ ରୋଗୀଙ୍କ ମୁହଁ କିମ୍ବା ନାକରେ ଲଗାଯାଇଥାଏ । ଏହାପରେ ଭେଣ୍ଟିଲେଟର ସହିତ ସଂଲଗ୍ନ ଗ୍ୟାସ ଟ୍ୟୁବ୍ ମାଧ୍ୟମରେ ବାୟୁ ଯୋଗାଇ ଦିଆଯାଇଥାଏ । ଭେଣ୍ଟିଲେଟରର ମୁଖ୍ୟ କାର୍ଯ୍ୟ ହେଉଛି ଫୁସଫୁସରେ ଅମ୍ଳଜାନ ଯୁକ୍ତ ବାୟୁକୁ ପମ୍ପ ଦ୍ଵାରା ଶରୀରର ଅନ୍ୟ ଅଂଶକୁ ପଠାଇବା । ଏଣୁ, ଭେଣ୍ଟିଲେଟର ବ୍ୟବହାର କରିବା ଦ୍ୱାରା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ ଆବଶ୍ୟକ ଅମ୍ଲଜାନ ପହଞ୍ଚି ପାରିଥାଏ । ଭେଣ୍ଟିଲେଟର ସାହାଯ୍ୟରେ ଫୁସଫୁସରୁ କାର୍ବନ ଡାଇଅକ୍ସାଇଡ୍ ଅପସାରଣ ମଧ୍ୟ ହୋଇଥାଏ । ଏହାକୁ “ଭେଣ୍ଟିଲେସନ୍” ପ୍ରକ୍ରିୟା କୁହାଯାଏ । ଭେଣ୍ଟିଲେଟର ଦ୍ଵାରା କରୋନା ରୋଗୀଙ୍କୁ ଭଲ କରାଯାଇ ପାରିବ ନାହିଁ । ଏହା କେବଳ ଜଣେ କରୋନା ଆକ୍ରାନ୍ତଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ସାହାଯ୍ୟ କରିଥାଏ ।