ମାଆ ଓ ମମତା : ଗାଈ ପାଖକୁ ନିଇତି ସ୍ନେହ ପାଇବା ପାଇଁ ଆସୁଛି ବାଘ

Spread the News

ମାଆର ମମତା ପାଖରେ ଦୁନିଆର ସବୁ ଜିନିଷ ତୁଚ୍ଛ। ମାଆର ମମତା ପାଇଲେ ଶତ୍ରୁ ବି ମିତ୍ର ହୋଇଯାଏ। ଏମିତି ଏକ ଅବିଶ୍ୱନିୟ ଘଟଣା ଦେଖିବାକୁ ମିଳିଛି।  କଥାରେ ଅଛି ଶିକାରୀ ଯଦି ଶିକାର ସହିତ ବନ୍ଧୁତା କରିବ ତେବେ ଖାଇବ କ’ଣ? ଏହାର ଅର୍ଥ ଜୀବ ଯଦି ନିଜ ଖାଦ୍ୟ ସହିତ ବନ୍ଧୁତା କରିବ ତେବେ ସେ ତ ଭୋକିଲା ରହିଯିବ। କିନ୍ତୁ ଏହି ଉକ୍ତିର ଏକ ଓଲଟା ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। 

ସୋସିଆଲ ମିଡିଆରେ ଏଇ କିଛିଦିନ ହେବ ଗାଈ ଓ ଚିତାବାଘର ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଗାଈ ଓ ଚିତାବାଘ ପରସ୍ପରକୁ ସ୍ନେହ କରୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖି କିଛି ବ୍ୟବହାରକାରୀ କହୁଛନ୍ତି, ଘନ ଅନ୍ଧାର ରାତିରେ ଗାଈଟି ଚିତାବାଘକୁ ନିଜର ବାଛୁରୀ ଭାବି ମା’ ଭଳି ସ୍ନେହ କରିବାକୁ ଲାଗୁଛି। ଏହି ସ୍ନେହ ଟିିକକ ପାଇଁ ଚିତାବାଘର ଛୁଆ ପ୍ରତିଦିନ ରାତିରେ ଏହି ଗାଈକୁ ଭେଟିବା ପାଇଁ ଦୌଡ଼ି  ଆସୁଛି। କେବଳ ଏତିକି ନୁହେଁ ଗାଈ ସହିତ ଲାଗି ରହି ଟିକେ ସ୍ନେହ ପାଇବା ପାଇଁ ବ୍ୟାକୁଳ ହୋଇ ପଡ଼ୁଛି ଚିତାବାଘ। ଆଶ୍ଚର୍ଯ୍ୟର କଥା ହେଉଛି ଚିତାବାଘଟି ଗାଈର ଆଖପାଖରେ ବୁଲୁଥିଲେ ବି ଗାଈ କୌଣସି ପ୍ରକାର ଭୟ ନକରି ଓଲଟି ତାକୁ ସ୍ନେହ ଓଜାଡି ଦେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଗାଈ ଓ ଚିତାବାଘର ଫଟୋକୁ ଆଇଏଫଏସ୍‌ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି।

ସୁଶାନ୍ତ ନନ୍ଦ ଏହି ଫଟୋ ସେୟାର କରିବା ସହିତ ଲେଖିଛନ୍ତି, ଶିକାର ଓ ଶିକାରୀ ସାଥୀରେ ଅଛନ୍ତି। ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ ବି କରୁଛନ୍ତି। ଅନେକ ରାତି ହେବ ଏହି ଚିତାବାଘ ଛୁଆଟି ଗାଈ ପାଖକୁ ଦୌଡ଼ି ଚାଲି ଆସୁଛି। ତେବେ ଗାଈ ପାଖକୁ ଚିତାବାଘ ଆସିବା ଦେଖି କୁକୁରମାନେ ଭୋକିବା ଆରମ୍ଭ କରି ଦେଇ ଥାଆନ୍ତି। କିନ୍ତୁ ଚିତାବାଘଟି କାହାକୁ କିଛି କ୍ଷତି ନପହଞ୍ଚାଇ ଗାଈ ପାଖକୁ ଆସିଥାଏ। ଯେମିତି ତାକୁ କୌଣସି ମନୁଷ୍ୟ ଆସିବାର ଅନୁଭବ ହୁଏ, ସେ ପୁଣିଥରେ ଜଙ୍ଗଲ ଭିତରକୁ ଚାଲି ଯାଇଥାଏ।