latest

କମ୍ୟୁନିଷ୍ଟ ଶାସକ ଉତ୍ତରକୋରିଆର କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଳି ବ୍ୟବହାର କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ : ଗିରିରାଜ ସିଂହ

Spread the News

ନିଜର ଚର୍ଚ୍ଚିତ ମନ୍ତବ୍ୟ ପାଇଁ ସର୍ବଦା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥାନ୍ତି କଟ୍ଟର ହିନ୍ଦୁତ୍ୱବାଦୀ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଏବେ ପୁଣି ସେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାର କାରଣ ପାଲଟିଛନ୍ତି । ରିପୋର୍ଟ ଅନୁସାରେ, ଏହି ଫାୟାର୍‌ବ୍ରାଣ୍ଡ୍‌ ଟାଣୁଆ ବିଜେପି ନେତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କର କାର୍ଯ୍ୟକଳାପ ପାଇଁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ‌ ସହିତ ତୁଳନା କରିବାରୁ ବିବାଦ ସୃଷ୍ଟି ହୋଇଛି । ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ମମତାଙ୍କ ବିଷୟରେ ପ୍ରତିକ୍ରିୟା ଦେବାକୁ ଯାଇ ଏଭଳି ମତ ରଖିଛନ୍ତି ଗିରିରାଜ ସିଂହ । ସେ ଆହୁରି ମଧ୍ୟ କହିଛନ୍ତି, ମମତା ବାନାର୍ଜୀ ସମସ୍ତ ମର୍ଯ୍ୟାଦା ଭାଙ୍ଗି ଦେଇଛନ୍ତି ଏବଂ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍ ଉନ୍‌ ପାଲଟିଯାଇଛନ୍ତି । ମମତାଙ୍କର ଏଭଳି ଆଚ୍ଚରଣ ଗ୍ରହଣୀୟ ନୁହେଁ । ଯିଏ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲା ତାକୁ ପଶ୍ଚିମବଙ୍ଗରେ ମାରିଦିଆଯାଉଛି । ମମତା ଦେଶର ଫେଡେରାଲ୍‌ ଷ୍ଟ୍ରକ୍‌ଚର୍‌କୁ ଭାଙ୍ଗି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଗିରିରାଜ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ମମତା ମନେ ରଖିବା ଦରକାର ସେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ, ତାଙ୍କୁ ଜାଣିବାର ଆବଶ୍ୟକତା ରହିଛି ଯେ, ଫେଡେରାଲ୍‌ ଷ୍ଟ୍ରକଚର୍‌ରେ ରାଜ୍ୟ ସରକାରର ସୀମା ସୀମିତ, କେନ୍ଦ୍ର ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପଡ଼ିଥାଏ । ମମତା ନିଜକୁ ଭାରତର ପ୍ରଧାନମନ୍ତ୍ରୀ ବୋଲି ଭାବୁଛନ୍ତି, ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ । ଏଠାରେ ଉପସ୍ଥାପନାଯୋଗ୍ୟ ଯେ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ୨୦ ଲକ୍ଷ କୋଟି ଆତ୍ମନିର୍ଭର ଭାରତ ପ୍ୟାକେଜ୍‌କୁ କଟାକ୍ଷ କରି ଜିରୋ ନମ୍ୱର ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିରେ ସାଧାରଣ ଲୋକ ଓ କୃଷକଙ୍କ ପାଇଁ କିଛି ନାହିଁ ବୋଲି ଅଭିଯୋଗ କରିଥିଲେ ମମତା । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ସେ କହିଥିଲେ, ଲୋକମାନଙ୍କର ଆଶାଥିଲା ଯେ କରୋନା ଭଳି ବିପଦ ସମୟରେ ପ୍ରଧାନମନ୍ତ୍ରୀ କିଛି ଦେବେ, କିନ୍ତୁ ସେମାନଙ୍କ ସହିତ ଛଳନା କରାଗଲା । ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଘରୋଇ ଟିଭି ଚ୍ୟାନେଲ୍‌ର ସାକ୍ଷାତକାରରେ ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରକୋରିଆର ଏକଛତ୍ରାବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ତୁଳନା କରିଥିଲେ ।