latest

କରୋନା ପାଇଁ ସ୍ଥଗିତ ହୋଇପାରେ ‘ଓସ୍କାର ଆଓ୍ୱାର୍ଡ’

Spread the News

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କରୋନାର ପ୍ରକୋପରୁ ନିସ୍ତାର ବାହାର କରିବା ପାଇଁ ଲାଗିପଡ଼ିଛନ୍ତି ବିଶ୍ୱବାସୀ । ଏହି ଭୟଙ୍କର ଭାଇରସ୍‌ର ଚିକିତ୍ସା ପାଇଁ କିଛି ଦେଶ ଟିକା ବିକଶିତ କରିସାରିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଉପଲବ୍ଧ ହୋଇନାହିଁ । ଏଣୁ କରୋନା ସଂକ୍ରମଣ ଭୟରେ ସମଗ୍ର ବିଶ୍ୱବାସୀ ଏବେ ଆତଙ୍କିତ ହୋଇ ରହିଛନ୍ତି । ଏହି ଜଟିଳ ମୁହୂର୍ତ୍ତରେ ବାହାରକୁ କାର୍ଯ୍ୟ ନିମନ୍ତେ ବାହାରିବା ଅର୍ଥ କରୋନା ସଂକ୍ରମଣକୁ ସାଙ୍ଗରେ ନେଇ ଗୃହକୁ ଫେରିବା । ଖାସ୍‌ ଏଇଥିପାଇଁ ଅନୁକୂଳ ପରିସ୍ଥିତିର ଅଭାବରୁ କ୍ରୀଡ଼ା ଏବଂ ମନୋରଞ୍ଜନ ଜଗତର ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକୁ ସ୍ଥଗିତ କରାଯାଉଛି । ଆଉ ଏବେ ଏଥିରେ ସାମିଲ୍‌ ହୋଇଛି ବିଶ୍ୱରେ ଫିଲ୍ମ ଜଗତର ଶ୍ରେଷ୍ଠ ଆଓ୍ୱାର୍ଡ଼ ଭାବରେ ଜଣାଶୁଣା ‘ଓସ୍କାର ଆଓ୍ୱାର୍ଡ’ । ରିପୋର୍ଟ ଅନୁସାରେ, ୧୯୨୯ ମସିହାରୁ ଆରମ୍ଭ ହୋଇଥିବା ଓସ୍କାର ଆଓ୍ୱାର୍ଡ ସେରିମନିକୁ ଚଳିତ ଥର ସ୍ଥଗିତ ରଖାଯାଇପାରେ । ଏ ନେଇ ଏକାଡେମୀ ଅଫ୍‌ ମୋସନ ପିକ୍ଚର ଆର୍ଟସ ଆଣ୍ଡ ସାଇଂସେଜ୍‌ ଗଭୀର ଚିନ୍ତନ କରୁଥିବା ଜଣାପଡ଼ିଛି । ଏହି ଆଓ୍ୱାର୍ଡ ସେରିମନି ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ବର୍ତ୍ତମାନର କରୋନା ସଂକ୍ରମଣ ସ୍ଥିତି ପାଇଁ ଏହି ମେଗା ଇଭେଣ୍ଟର ଆୟୋଜନକୁ ନେଇ ଆଶଙ୍କା ଦେଖାଦେଇଛି । ଏ ନେଇ ଏକାଡେମୀ ଅଧ୍ୟକ୍ଷ ଡେଭିଡ ରୁବେନ କହିଛନ୍ତି, ବର୍ତ୍ତମାନ ସ୍ଥିତି ଆଓ୍ୱାର୍ଡ ସେରିମନି ପାଇଁ ଅନୁମତି ଦେଉନାହିଁ, ତେବେ ଆମେ ଏହି ମେଗା ଇଭେଣ୍ଟ୍‌ ଆୟୋଜନ କରିବା ନିମନ୍ତେ ଇଚ୍ଛୁକ ଅଛୁ । ମାତ୍ର, ବର୍ତ୍ତମାନ ସମୟରେ ଫିଲ୍ମଟିଏ ମଧ୍ୟ ରିଲିଜ୍‌ ହୋଇପାରୁ ନାହିଁ । ଏଣୁ, ଏପ୍ରିଲ୍‌ ମାସରେ ଓସ୍କାର ନୋମିନେସନ୍‌ ପାଇଁ ପ୍ରଚଳିତ ଅସ୍ଥାୟୀ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଥିଲା । ତେବେ କୋଭିଡ ୧୯ କାରଣରୁ ସ୍ଥିତି ଦିନକୁ ଦିନ ଅତି ଭୟଙ୍କର ହେଉଥିବାରୁ ଏହି ଆଓ୍ୱାର୍ଡ ସେରିମନିର ଆୟୋଜନ ସଂପର୍କରେ ତର୍ଜମା କରାଯାଇ ଏହାର ବିକଳ୍ପ ପରିଦୃଶ୍ୟ ପ୍ରସ୍ତୁତିରେ ସବୁପ୍ରକାର ପ୍ରଚେଷ୍ଟା କରାଯିବ । ତେବେ ଖୁବ୍‌ ଶୀଘ୍ର ଏ ସଂପର୍କରେ ବଡ଼ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି ଓସ୍କାର ଆଓ୍ୱର୍ଡ ସେରିମନୀ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏକାଡେମୀ ଅଫ୍‌ ମୋସନ ପିକ୍ଚର ଆର୍ଟସ ଆଣ୍ଡ ସାଇଂସେଜ୍‌ର ଅଧ୍ୟକ୍ଷ ଡେଭିଡ ରୁବେନ ।