latest

ତରବରରେ ଧୋନିଙ୍କୁ ଛାଡ଼ନି, ରାହୁଲ ଦୀର୍ଘକାଳୀନ ୱିକେଟ୍‌ରକ୍ଷକ ବିକଳ୍ପ ନୁହଁନ୍ତି: ମହମ୍ମଦ କୈଫ୍‌

Spread the News

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଭାରତୀୟ ଦଳକୁ ଫେରିବା କଷ୍ଟ ସାଧ୍ୟ ହେବ ବୋଲି କିଛି ଲୋକ ଭାବୁଛନ୍ତି। ହେଲେ ତାଙ୍କ ପୂର୍ବତନ ଦଳୀୟ ସାଥୀ ମହମ୍ମଦ କୈଫ୍‌ଙ୍କ ଦୃଢ଼ ବିଶ୍ବାସ ଯେ ‌ଏପର୍ଯ୍ୟନ୍ତ ଧୋନିଙ୍କ ବିକଳ୍ପ ଭାରତୀୟ ଦଳକୁ ମିଳିନି। ଦେଓଧର ଟ୍ରଫିରେ ଖେଳିଲା ବେଳେ ଧୋନିଙ୍କୁ ଦେଖିଥିଲି। ମୁଁ କେନ୍ଦ୍ରାଞ୍ଚଳର ଅଧିନାୟକ ଥିଲି ସେ ପୂର୍ବାଞ୍ଚଳ ପକ୍ଷରୁ ଖେଳୁଥିଲେ। ଏହାର ଦୁଇ ବର୍ଷ ପରେ ଧୋନି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍‌ରେ ଆମେ ୩୬୦ ରନ୍‌ କରିଥିଲୁ। ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂକୁ ଆସି ଧୁଆଁଧାର ଖେଳି ୪୦-୫୦ ବଲ୍‌ରୁ ୮୦-୮୫ ରନ୍‌ ସଂଗ୍ରହ କରିଥିଲେ। ସେତେବେଳେ ମୁଁ ଅନୁଭବ କରିଥିଲି ତାଙ୍କ ପାଖରେ ନିଆରା ଶୈଳୀ ରହିଛି ଏବଂ ଖେଳକୁ ଭଲ ଭା‌ବରେ ବୁଝି ପାରୁଛନ୍ତି। ଏହାପୂର୍ବରୁ, ମୁଁ ଧୋନିଙ୍କ ବିଷୟରେ ପ୍ରଥମେ ଜଣେ ବନ୍ଧୁଙ୍କଠାରୁ ଶୁଣିଥିଲି। ‌ଧୋନି ଭାରତ-ଏ ପକ୍ଷରୁ ଖେଳୁଥିବାର ‌ସେ ଟିଭିରେ ଦେଖିଥିଲା। ଧୋନି ଲମ୍ବା ଚୁଟି ରଖିବା ସହ ଗଗଲ୍ସ ପିନ୍ଧି ୱିକେଟ୍‌ କିପିଂ କରୁଥିବା ନେଇ ସାଙ୍ଗ ମୋତେ କହିଥିଲା। ଏହା ପରେ ମୁଁ ଧୋନଙ୍କ ସହିତ ଖେଳିବାର ସୁଯୋଗ ପାଇଥିଲି ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କୈଫ୍‌ ପ୍ରକାଶ କରିଛନ୍ତି। ଧୋନିଙ୍କ ସ୍ଥାନରେ ଅନେକ ଖେଳାଳିଙ୍କୁ ଚେଷ୍ଟା କରାଯାଇଛି। ମୁଁ ଭାବୁନାହିଁ କେଏଲ୍ ରାହୁଲ ଦୀର୍ଘକାଳୀନ ବିକଳ୍ପ ‌ହେବେ। ସେ ସର୍ବଦା ଅତିରିକ୍ତ ୱିକେଟ୍‌ରକ୍ଷକ ଭାବେ ଦଳରେ ରହିବା ଉଚିତ। ୱିକେଟ୍‌ ରକ୍ଷକ ଆହତ ହେଲେ ରାହୁଲ କାମ ଚଳେଇ ନେବେ। ଏଥିପାଇଁ ଆଉ ଜଣେ ଭଲ ୱିକେଟ୍‌ ରକ୍ଷକ ବାହର କରିବା ଦରକାର। ଧୋନିଙ୍କ ସ୍ଥାନ ନେବା ଲାଗି ଋଷଭ ପନ୍ତ ଓ ସଞ୍ଜୁ ସାମସନ ସକ୍ଷମ ହୋଇ ନାହାଁନ୍ତି। ସଚିନ, ଦ୍ରାବିଡ଼ଙ୍କ ବିଷୟରେ ଚିନ୍ତା କଲା ବେଳେ ବିରାଟ କୋହଲି, ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା ସେମାନଙ୍କ ଶୂନ୍ୟସ୍ଥାନ ପ୍ରାୟ ପୂରଣ କରିଛନ୍ତି। କିନ୍ତୁ ଧୋନିଙ୍କ କ୍ଷେତ୍ରରେ ତାହା ହୋଇ ନାହିଁ। ତେଣୁ ମୁଁ ଭାବୁଛି ଧୋନି ଏବେ ମଧ୍ୟ ଏକ ନମ୍ବର ୱିକେଟ୍ ରକ୍ଷକ ଅଟନ୍ତି। ସେ ଆଶ୍ଚର୍ଯ୍ୟଜନକ ଭାବେ ଫିଟ୍ ଏବଂ ତାଙ୍କୁ ତରବର ଭାବେ ବାହାରେ ରଖିବା ଉଚିତ ନୁହେଁ ବୋଲି ବିଶ୍ବର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ଗଣାଯାଉଥିବା କୈଫ୍‌ କହିଛନ୍ତି। ଟ୍ରଫି ବିଜୟ ଏବଂ ଯୁବରାଜ ସିଂହଙ୍କ ସହ ମ୍ୟାଚ୍ ବିଜୟୀ ୧୨୧ ରନ୍‌ର ଭାଗୀଦାରିକୁ ସ୍ମରଣ କରି କୈଫ କହିଛନ୍ତି ଯେ ମୁଁ ଯୁବରାଜଙ୍କୁ ଆରମ୍ଭରୁ ଜାଣିଥିଲି ଯାହା ଏହି ବଡ଼ ଭାଗୀଦାରିର ଏକ ପ୍ରମୁଖ କାରଣ ଥିଲା। ମୁଁ ତାଙ୍କୁ ବହୁତ ଦିନରୁ ଜାଣିଥିଲି। ଆମେ ଆଗରୁ ଏକାଠି ଖେଳିଥିଲୁ। ଫଳରେ ବୁଝାମଣା ଭଲ ରହିଥିଲା। ଜାଣିଥିବା ବ୍ୟକ୍ତି ସହ ଖେଳିଲେ ଟିକେ ସହଜ ହୋଇଥାଏ। ଯାହା ଅନ୍ୟ ଖେଳାଳିଙ୍କ ସହ ଖେଳିଲା ବେଳେ ମିଳିଥାଏ। ଏଥି ସହ ଆମେ ବାମ-ଡାହାଣ ଯୋଡ଼ି ହୋଇଥିବାରୁ ବୋଲର୍‌ ଓ ଅଧିନାୟକଙ୍କୁ ବେଶି ଅଡ଼ୁଆରେ ପକାଉଥିଲୁ ବୋଲି ଏହି ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା କୈଫ୍‌ କହିଛନ୍ତି। ବିଜୟ ଲାଗି ଭାରତ ସମ୍ମୁଖରେ ୩୨୬ ରନ୍‌ର ଲକ୍ଷ୍ୟ ରହିଥିଲା। ଅଧିନାୟକ ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହବାଗ, ରାହୁଲ ଦ୍ରାବିଡ଼, ସଚିନ ତେନ୍ଦୁଲକରଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ଭାରତ ୧୪୬/୫ ସଂଘର୍ଷ କରୁଥିଲା। ୭ ନମ୍ବର ସ୍ଥାନରେ ବ୍ୟାଟିଂକୁ ଆସି ଯୁବରାଜ ସହ ମିଶି କୈଫ୍‌ ଭାରତକୁ ଅବିସ୍ମରଣୀୟ ବିଜୟ ଭେଟି ଦେଇଥିଲେ।

Tags: