latest

୨୦୨୧ରେ ଆୟୋଜିତ ନହେଲେ ଟୋକିଓ ଅଲିମ୍ପିକ୍ସକୁ ବାତିଲ କରାଯିବ: ଥୋମାସ୍‌ ବାକ୍‌

Spread the News

ମହମାରୀ କରୋନା ଭାଇରସ୍‌ର ସଂକ୍ରମଣ ପାଇଁ କ୍ରୀଡ଼ା ଜଗତର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଛି । ଅଲିମ୍ପିକ୍ସ ଭଳି ବହୁ କ୍ରୀଡ଼ା ପ୍ରତିଯୋଗିତା ବି କରୋନା ପ୍ରକୋପରୁ ବାଦ୍‌ ପଡ଼ିନି । ବିଶ୍ୱର ଏହି ଲୋକପ୍ରିୟ ମେଗା କ୍ରୀଡ଼ା ପ୍ରତିଯୋଗିତା ଚଳିତବର୍ଷ ଜୁଲାଇରେ ଆୟୋଜିତ ହେବାର ଥିଲା । କିନ୍ତୁ, ବର୍ତ୍ତମାନର ସ୍ୱାସ୍ଥ୍ୟ ସଙ୍କଟ ପାଇଁ ଏହାକୁ ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୧ରେ ଆୟୋଜନ କରାଯିବା ନିମନ୍ତେ ସ୍ଥିର ରଖାଯାଇଛି । ତେବେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇଚାଲିଛି । ଏହିଭଳି ଦୟନୀୟ ପରିସ୍ଥିତିରେ ସୁଧାର ନଆସିଲେ ଆସନ୍ତାବର୍ଷ ମଧ୍ୟ ଅଲିମ୍ପିକ୍ସ ଆୟୋଜନ କରିବା ସମ୍ଭବପର ହୋଇ ନପାରେ । ଏପରି ହେଲେ ବିଶ୍ୱର ଏହି ସର୍ବାଧିକ ଲୋକପ୍ରିୟ ବହୁରାଷ୍ଟ୍ରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ବାତିଲ କରାଯିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି କହିଛନ୍ତି ଆନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି)ର ମୁଖ୍ୟ ଥୋମାସ୍‌ ବାକ୍‌ । ଆଇସି ମୁଖ୍ୟ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଯଦି କରୋନା ସଂକ୍ରମଣ କମି ନଥାଏ ତେବେ ଖେଳାଳିମାନଙ୍କୁ ସଂଗରୋଧରେ ରଖିବାକୁ ପଡ଼ିବ । ଅଲିମ୍ପିକ୍ସ ଗ୍ରାମଗୁଡ଼ିକରେ ଏଭଳି ଅସ୍ୱାଭାବିକ ବ୍ୟବସ୍ଥା କରିବା ଏକ ପ୍ରକାର ଦୂରୁହ ବ୍ୟାପାର । ସମକାଳୀନ ଭାବରେ ସୃଷ୍ଟି ହେବାକୁ ଥିବା ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଉପରେ ମଧ୍ୟ ବିଚାର ବିମର୍ଷ ଚାଲିଛି । ଏଣୁ ଆସନ୍ତାବର୍ଷ ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିଲେ ଅଲିମ୍ପିକ୍ସ ଆୟୋଜନ ନିମନ୍ତେ ଯାହାକିଛି ସକରାତ୍ମକ ପଦକ୍ଷେପ ତ୍ୱରିତ ଉପାୟରେ ଗ୍ରହଣ କରାଯାଇପାରିବ ବୋଲି କହିଛନ୍ତି ଆଇଓସି ମୁଖ୍ୟ ଥୋମାସ୍‌ ବାକ୍‌ ।

ଆଇଓସି ମୁଖ୍ୟଙ୍କ ଏପରି ମନ୍ତବ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଜାପାନ୍‌ର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ସେ କହିଛନ୍ତି, ଖୋଲାଖୋଲି ଭାବରେ କହିବାକୁ ଗଲେ ଆୟୋଜକ ସମିତିରେ ପ୍ରାୟ ୫ହଜାର ଲୋକ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ସବୁଦିନ ପାଇଁ ନିଯୁକ୍ତି ଦିଆଯାଇପାରିବ ନାହିଁ । ଏହାସହିତ ସମସ୍ତ କ୍ରୀଡ଼ାସଂଘଗୁଡ଼ିକର ପୂର୍ବରୁ ସ୍ଥିରୀକୃତ ହୋଇଥିବା କ୍ରୀଡ଼ାସୂଚୀକୁ ବାରମ୍ୱାର ପରିବର୍ତ୍ତନ କରାଯାଇପାରିବ ନାହିଁ କି ଖେଳାଳିମାନଙ୍କୁ ଦ୍ୱନ୍ଦ୍ୱ ଭିତରେ ରଖାଯାଇପାରିବ ନାହିଁ ।

Tags: ,