latest

ଶ୍ରୀମନ୍ଦିର ସେବାୟତ ପାଇବେ କରୋନା ସହାୟତା

Spread the News

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି । ଏହାର ଗଭୀର ପ୍ରଭାବ ପଡ଼ିଛି ଶ୍ରୀମନ୍ଦିର ସେବାୟତଙ୍କ ଉପରେ । ଦୂରଦୂରାନ୍ତରୁ ଆସୁଥିବା ଦର୍ଶନାର୍ଥୀମାନଙ୍କ ଦ୍ୱାରା ଦୁଇ ପଇସା ରୋଜଗାର କରି ପେଟପାଟଣା କରୁଥିବା ସେବାୟତମାନଙ୍କ ଆର୍ଥିକ ଅବସ୍ଥା ଏବେ ଶୋଚନୀୟ । ସ୍ଥିତିରେ କେବେ ସୁଧାର ଆସିବ ଏବଂ ଶ୍ରୀମନ୍ଦିରକୁ ପୁଣି ଭକ୍ତମାନଙ୍କ ମେଳି ଲାଗିବ ସେନେଇ କାହା ପାଖରେ ସୂଚନା ନାହିଁ । ଏଥିରେ ବ୍ୟଥିତ ହୋଇପଡ଼ିଛନ୍ତି ସେବାୟତମାନେ ।

ଅଧିକାଂଶ ସେବାୟତଙ୍କ ଏହି ଦୟନୀୟ ଅବସ୍ଥାକୁ ନଜରରେ ରଖି ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍‌ କୁମାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନିମନ୍ତେ ଏକ ଜରୁରୀ ବୈଠକ ଡକାଯିବ । ଏହି ଦାୟିତ୍ୱ ପୁରୀର ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେ ସେବାୟତମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଷ୍କର୍ଷ ବାହାର କରିବେ । ସେହି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍‌ କୁମାର । ଏଠାରେ ଉପସ୍ଥାପନା ଯୋଗ୍ୟ ଯେ, ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦୁଇ ହଜାରରୁ ଅଧିକ ସେବାୟତଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇସାରିଛି ।

Tags: