latest

ବାତ୍ୟା ପୀଡ଼ିତଙ୍କ ପାଇଁ ପ୍ରାର୍ଥନା କଲେ ବିରାଟ କୋହଲି

Spread the News

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ପୀଡ଼ିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଏନେଇ କୋହଲି ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ସେ ପଶ୍ଚିମବଙ୍ଗ ଓ ଓଡ଼ିଶାର ବାତ୍ୟା ପୀଡ଼ିତଙ୍କୁ ଭଗବାନ ସୁରକ୍ଷିତ ରଖନ୍ତୁ । ଏଥିସହିତ ବାତ୍ୟା ଖଣ୍ଡପ୍ରଳୟ ସୃଷ୍ଟି କରିଥିବା ଅଞ୍ଚଳରେ ଯଥାଶୀଘ୍ର ସ୍ଥିତି ପୁନଃ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବ ବୋଲି କୋହଲି ଆଶା କରିଛନ୍ତି ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ଏହି ଟ୍ୱିଟ୍‌ରେ କୋହଲି ଏକ ଯୋଡ଼ି ହସ୍ତର ଇମୋଜି ରଖିଥିବା ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖରେ ବାତ୍ୟା ‘ଅମ୍ଫାନ’ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରଚି ଅସଂଖ୍ୟ କୋଠାବାଡ଼ି, ବିଲ-ବଗିଚା ସବୁକିଛି ଛିନ୍‌ଭିନ୍‌ କରିଦେଇଥିଲା । ତେବେ କେନ୍ଦ୍ର ସରକାରଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାରମାନେ ଯଥେଷ୍ଟ ପୂର୍ବରୁ ସତର୍କତା ଅବଲମ୍ୱନା କରିଥିବାରୁ କ୍ଷୟକ୍ଷତିକୁ ଅନେକ ପରିମାଣରେ କମାଯାଇପାରିଥିଲା । ସୂଚନା ମୁତାବକ, ‘ଅମ୍ଫାନ’ ବାତ୍ୟାର ପ୍ରକୋପକୁ ନଜରରେ ରଖି ପଶ୍ଚିମବଙ୍ଗ ସରକାର ସେଠାରେ ୫ଲକ୍ଷରୁ ଅଧିକ ଓ ଓଡ଼ିଶା ସରକାର ଏଠାରେ ୧୫୮୬୪୦ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଯାହାଫଳରେ ବହୁଲୋକଙ୍କ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିଲା ।