latest

ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବ ‘ହୁନର ହାଟ’

Spread the News

ଦେଶର ହସ୍ତଶିଳ୍ପୀଙ୍କ ପାଇଁ ଏକ ଖୁସି ଖବର । ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀଠାରେ ପୁଣି ଆରମ୍ଭ ହେବାକୁ ଯାଉଛି ହୁନର ହାଟ । କରୋନା ପାଇଁ ଏହି ହୁନର ହାଟକୁ ପ୍ରାୟ ୫ ମାସ ଧରି ବନ୍ଦ କରାଯାଇଥିଲା । ଏହି ହାଟରେ କାରିଗରମାନେ ନିଜର ଦକ୍ଷତା ଅନୁସାରେ ଆକର୍ଷିତ ହାତ ତିଆରି ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ କରି ବ୍ୟବସାୟ କରିବାର ସୁଯୋଗ ପାଇବେ । କିଛିବର୍ଷ ହେବ ଏହି ହୁନର ହାଟ ଦେଶର କୋଣ ଅନୁକୋଣରୁ କାରିଗର ଓ ଶିଳ୍ପୀଙ୍କୁ ଅକର୍ଷିତ କରିଆସୁଛି । ହସ୍ତଶିଳ୍ପ ବ୍ୟବସାୟରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଏମ୍ପାୱାରମେଣ୍ଟ ଏକ୍ସଚେଞ୍ଜ କହିଲେ ଅତ୍ୟକ୍ତୁ ହେବ ନାହିଁ । ଏ ସଂକ୍ରାନ୍ତରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାରମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଛନ୍ତି ଯେ, ଏହି ‘ହୁନର ହାଟ’ ଗତ ପାଞ୍ଚ ବର୍ଷ ମଧ୍ୟରେ ସମଗ୍ର ଦେଶର ପ୍ରାୟ ୫ ଲକ୍ଷରୁ ଅଧିକ କାରିଗର, ଶିଳ୍ପୀ ରୋଷେଇ ବିଶେଷଜ୍ଞ ଓ ଅନ୍ୟାନ୍ୟ ଲୋକଙ୍କୁ ନିଯୁକ୍ତି ଏବଂ ରୋଜଗାର ସୁଯୋଗ ଦେଇଛି । ସେ ଆହୁରି କହିଛନ୍ତି ଯେ, କରୋନା ସଂକ୍ରମଣରୁ ପ୍ରତିହତ ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ ଡାଉନ୍‌ ସମୟରେ କାରିଗର ଓ ଶିଳ୍ପୀମାନେ ସମୟର ସଦୁପଯୋଗ କରି ଘରେ ବେକାର ହୋଇ ନ ବସି ନିଜନିଜର ଅନୁପମ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରି ରଖିଛନ୍ତି । ଏହାସହିତ ଆଗାମୀ ହୁନର ହାଟରେ ସାମାଜିକ ଦୂରତ୍ୱ ରକ୍ଷା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବା ସହିତ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଭାବରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବ ବୋଲି ନକଭି ଗଣମାଧ୍ୟମକୁ ଜଣାଇଛନ୍ତି ।

Tags: