ଲଦାଖରେ ଡ୍ରାଗନ୍‌ର ଅନୁପ୍ରବେଶ: ସାର୍ବଭୌମତ୍ୱର ରକ୍ଷା ପାଇଁ ପ୍ରସ୍ତୁତ ହେଉଛି ଭାରତ

Spread the News

ଚୀନ୍‌ର ବିସ୍ତାରବାଦୀ ନୀତିରେ ବିଶ୍ୱର ଅନେକ ଦେଶ ପ୍ରଭାବିତ ହେଉଛନ୍ତି । ବିଶେଷ କରି ଚୀନ୍‌ ତାର ପଡ଼ୋଶୀମାନଙ୍କୁ ନାଲି ଆଖି ଦେଖାଇ ତାଙ୍କର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିବାର ଅପଚେଷ୍ଟା ଜାରି ରଖିଛି । ଏଭଳି ଆଚ୍ଚରଣରେ ଅତିଷ୍ଠ ହୋଇ ଅନେକ ସମୟରେ ଡ୍ରାଗନ୍‌ ତା’ର ପଡ଼ୋଶୀମାନଙ୍କ ସହିତ ମୁହାଁମୁହିଁ ହୋଇଛି । ପଡ଼ୋଶୀମାନେ ଡ୍ରାଗନ୍‌ର ଅକଳ୍ପନୀୟ କ୍ଷତି ଘଟାଇବାରେ ସମର୍ଥ ମଧ୍ୟ ହୋଇଛନ୍ତି । କହିବାର ତାତ୍ପର୍ଯ୍ୟ ହେଉଛି ଡ୍ରାଗନ୍‌, ଜାପାନ୍‌ ଓ ଭିଏତନାମ୍‌ ପରି ଛୋଟ ଦେଶଠାରୁ ଅତୀତରେ ଯୁଦ୍ଧ କରି ପରାଜୟର ସ୍ୱାଦ ଚାଖିସାରିଛି । ଏହା ସତ୍ତ୍ୱେ ଚୀନ ତା’ର ବିସ୍ତାରବାଦୀ ନୀତିକୁ ଅନୁସରଣ କରି ପଡ଼ୋଶୀମାନଙ୍କୁ ହନ୍ତସନ୍ତ କରି ସେମାନଙ୍କର ସଂସାଧନକୁ କବ୍‌ଜା କରିବାର ପ୍ରଥା ଜାରି ରଖିଛି । ବର୍ତ୍ତମାନର ସ୍ଥିତିକୁ ଆକଳନ କଲେ ଏହା ଜାଣିହେବ ଯେ, ଚୀନ୍‌ର ସୀମାକୁ ଲାଗିଥିବା ଉତ୍ତର କୋରିଆକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ ସହିତ ଚୀନ୍‌ର ମଧୁର ସମ୍ପର୍କ ନାହିଁ । ସ୍ୱାଭାବିକ ଭାବରେ ଏହା ପଛର କାରଣ ହେଉଛି ଅନ୍ୟ ଦେଶର ସଂସାଧନକୁ ଡ୍ରାଗନ୍‌ର କବ୍‌ଜା କରିବାର ମାନସିକତା । ଦୁର୍ଭାଗ୍ୟଜନକ ଭାବରେ ଏହି ଡ୍ରାଗନ୍‌ର ପଡ଼ୋଶୀ ଭାବରେ ଭାରତ ମଧ୍ୟ ସମଦଶା ଭୋଗୁଛି । ଭାରତର ଦୁର୍ବଳ ବୈଦେଶିକ ନୀତି ଯୋଗୁଁ କିଛି ଦଶନ୍ଧିର ଅନ୍ତରାଳରେ ଶକ୍ତିଶାଳୀ ହୋଇପାରିଛି ଚୀନ୍‌ । ଜାତିସଂଘର ସ୍ଥାୟୀ ସଦସ୍ୟ ପଦବୀ ହେଉ କି ପଡ଼ୋଶୀ ଦେଶଗୁଡ଼ିକର ଭାରତରେ ମିଶ୍ରଣ ନକରାଇବାର ଫଳ ହେଉ, ସବୁଥିରେ ଆମ ଦେଶର ସେତେବେଳର ବୈଦେଶିକ ନୀତିର ନିଷ୍କ୍ରିୟତାରେ ଚୀନ୍‌ ଯଥୋଚିତ୍ତ ଫାଇଦା ହାସଲ କରିବାରେ ସମର୍ଥ ହୋଇପାରିଛି । ବର୍ତ୍ତମାନ ଏଭଳି ସ୍ଥିତି ହୋଇଛି ଯେ ଏକଦା ଏସିଆର ପାଓ୍ୱାରହାଉସ୍‌ ଥିବା ଭାରତକୁ ଏବେ ଚୀନ୍‌ ନାଲି ଆଖି ଦେଖାଇବାର ଦୁଃସାହସ କରୁଛି । ତେବେ ଏବେକାର ଭାରତ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ । ନିଜର ଡିଫେନ୍‌ସିଭ୍‌ ଆପ୍ରୋଚ୍‌କୁ ଦୂରେଇ ବର୍ତ୍ତମାନ ଆକ୍ରାତ୍ମକ ସ୍ୱଭାବ ଆପଣେଇଛି ଭାରତ । ଚୋରକୁ ଭୟ ନ୍ୟାୟରେ ଡ୍ରାଗନ୍‌ ଏବେ ଏଥିଲାଗି ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଏଭଳି ବିସ୍ଫୋରକ ସ୍ଥିତିରେ ଚୀନ୍‌ର ପ୍ରାୟ ୨୦ରୁ ଅଧିକ ଅସନ୍ତୁଷ୍ଟ ପଡ଼ୋଶୀ ଦେଶ ଭାରତର ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଡ୍ରାଗନ୍‌କୁ ତାର ଅହଂକାର ଭଙ୍ଗ କରିବା ପାଇଁ ଭାରତକୁ କଠୋର ପଦକ୍ଷେପ ନେବା ପାଇଁ ସେମାନେ ସତେ ଯେପରି ଆକୁଳତାର ସହିତ ପ୍ରତୀକ୍ଷା କରିଛନ୍ତି । ତେବେ ଡ୍ରାଗନ୍‌କୁ ଉଚିତ୍‌ ଶିକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଭାରତୀୟ ସେନା ତା’ର ଶ୍ରେଷ୍ଠ ବିକଳ୍ପ ପାଇଁ ପ୍ରସ୍ତୁତ ହେଉଥିବା ସବୁଆଡ଼େ ଆଲୋଚନା ଜୋର୍‌ ଧରିଛି । ପାଠକବନ୍ଧୁ ! ଏଭଳି ବିସ୍ତୃତ ଉପସ୍ଥାପନା ପଛର କାରଣ ହେଉଛି ଲଦାଖ୍‌ରେ ଚୀନ୍‌ ତରଫରୁ ଲଗାତାର୍‌ ଅନୁପ୍ରବେଶ ଉଦ୍ୟମ । ସଦ୍ୟ ସୂଚନା ଅନୁସାରେ, ଡ୍ରାଗନ୍‌ ସେନା ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ନିଜର ସୈନିକ ସଂଖ୍ୟା ବଢ଼ାଇ ଭାରତର ଧୈର୍ଯ୍ୟ ପରୀକ୍ଷା କରୁଛି । ଏଥିରୁ ସ୍ପଷ୍ଟ ଯେ, ଭାରତୀୟ ସେନା ସହ ଚାଲିଥିବା ଅଘୋଷିତ ସଂଘର୍ଷକୁ ଜାରି ରଖିବାକୁ ଚାହୁଁଛି ଚୀନ୍‌ । ଏଠାରେ ଗତ ୨ ସପ୍ତାହ ମଧ୍ୟରେ ୧୦୦ରୁ ଅଧିକ ତମ୍ବୁ ଚୀନ୍‌ ସେନା ନିର୍ମାଣ କରିଛି । ରିପୋର୍ଟ ଅନୁସାରେ ଚୀନ୍‌ ସୈନିକମାନେ ବଙ୍କର ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । କିନ୍ତୁ ଭାରତୀୟ ସେନା ଏସବୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଏସବୁ ଭିତରେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ୧୪ କର୍ପ୍ସର ଲେହସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଗସ୍ତ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଏଲଏସି ଉପରେ ବିବାଦୀୟସ୍ଥଳ ସମେତ ପୂରା ଅଞ୍ଚଳର ସୁରକ୍ଷାସ୍ଥିତିକୁ ସମୀକ୍ଷା କରିଛନ୍ତି । ସେନା ସୂତ୍ର ଅନୁସାରେ ଭାରତୀୟ ସେନା ମଧ୍ୟ ଲଦାଖ୍‌ର ଉତ୍ତେଜନା ସ୍ଥଳରେ ନିଜର ସୈନିକମାନଙ୍କ ମୁତୟନକୁ ବହୁଗୁଣିତ କରିଛି । ସୂତ୍ର ଅନୁସାରେ ଏହି ଅଞ୍ଚଳର ଅନେକ ସମ୍ବେଦନଶୀଳ ସ୍ଥାନରେ ଭାରତର ସ୍ଥିତି ଭୌଗୋଳିକ ଦୃଷ୍ଟିରୁ ଚୀନ୍‌ ତୁଳନାରେ ଭଲ ରହିଛି । ଯଦି ଚୀନ୍‌ ତରଫରୁ ଭାରତର ସାର୍ବଭୌମତ୍ୱ କ୍ଷୁର୍ଣ୍ଣ ହେଲା ଭଳି କୌଣସି ଆଚ୍ଚରଣ କରାଯାଏ, ତେବେ ଡ୍ରାଗନ୍‌ର ଏଭଳି କ୍ଷତ ସୃଷ୍ଟି କରାଯିବ ଯେ ଏହାକୁ ନିକଟ ଭବିଷ୍ୟତରେ କେହି ଭରଣା କରିପାରିବେ ନାହିଁ ବୋଲି ଭାରତୀର ସେନା ପକ୍ଷରୁ କୁହାଯାଇଛି ।