କରୋନା ଟିକା ପ୍ରସ୍ତୁତି: ଭାରତୀୟ କମ୍ପାନି ନେବ ପ୍ରମୁଖ ଭୂମିକା, ଜାଣନ୍ତୁ କ’ଣ ପାଇଁ…

Spread the News

କରୋନା ସଂକ୍ରମଣର ସଫଳ ଚିକିତ୍ସା ପାଇଁ ବିଶ୍ୱ ତମାମ ସ୍ୱାସ୍ଥ୍ୟ ଗବେଷକମାନେ ଏହି ମହାମାରୀ ଭାଇରସ୍‌ର ପ୍ରତିରୋଧକ ଟିକାକୁ ବିକଶିତ କରିବାରେ ଦିନରାତି କାର୍ଯ୍ୟରତ ରହିଛନ୍ତି । ଧରାପୃଷ୍ଠରେ ମାନବ ସମାଜର ସ୍ଥିତି ପ୍ରତି ଆହ୍ୱାନ ସୃଷ୍ଟି କରିଥିବା ଏହି ଭୟଙ୍କର ଭାଇରସ୍‌ର ମୁକାବିଲା ନିମିତ୍ତ ଯଥାଶୀଘ୍ର କରୋନା ଟିକା ଉଦ୍ଭାବନ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶଙ୍କ ତରଫରୁ ଚିକିତ୍ସା କ୍ଷେତ୍ରରେ ପୂର୍ବରୁ ସଫଳତା ଅର୍ଜନ କରିଥିବା ଅନେକ ପ୍ରତିଷ୍ଠିତ ସଂସ୍ଥାଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଥିବାରୁ ସଂପୃକ୍ତ ସଂସ୍ଥାର ନାମୀ ବିଶେଷଜ୍ଞମାନେ ଉତ୍ସାହିତ ହୋଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନର ସୂଚନା ଅନୁସାରେ ସାରା ବିଶ୍ୱରେ ପ୍ରାୟ ଶହେରୁ ଅଧିକ କରୋନା ଟିକାର ପରୀକ୍ଷଣ ଚାଲୁ ରହିଛି । ତେବେ ଖୁସିର କଥା ହେଲା ଏଗୁଡ଼ିକ ମଧ୍ୟରୁ ପ୍ରାୟ ୮ଟି ଟିକାର ପ୍ରାଥମିକ ପର୍ଯ୍ୟାୟର ପରୀକ୍ଷଣରେ ସଫଳତା ମିଳିସାରିଛି । ଏହି ୮ଟି ଟିକାର ନୈଦାନିକ ପରୀକ୍ଷଣ ମଧ୍ୟ ଚାଲୁ ହୋଇଯାଇଥିବାର ବିଭିନ୍ନ ସୂତ୍ରରୁ ସୂଚନା ମିଳୁଛି । ଆହୁରି ମଧ୍ୟ କିଛି ଔଷଧ କମ୍ପାନି ଟିକାଗୁଡ଼ିକର ପରୀକ୍ଷଣରେ ସଫଳତା ପାଇବା ନିମନ୍ତେ ଦୃଢ ନିଶ୍ଚିତ ରହି ସେମାନଙ୍କ ଟିକାକୁ ଗଣବ୍ୟବହାର ପାଇଁ କେବେ ଉପଲବ୍ଧ କରାଯାଇ ପାରିବ ତାହାର ସମ୍ଭାବ୍ୟ ତାରିଖ ଘୋଷଣା କରିସାରିଲେଣି । ତେବେ ଯେକୌଣସି କମ୍ପାନୀ କରୋନା ଟିକା ବିକଶିତ କରନ୍ତୁ ତାହାର ପ୍ରସ୍ତୁତି ନିମନ୍ତେ ସେମାନଙ୍କୁ ପୁଣେ ସ୍ଥିତ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ସହିତ ପ୍ରଥମେ ଯୋଗଯୋଗ କରିବାକୁ ପଡ଼ିବ । ଏପରି ହେବାର କାରଣ ହେଉଛି ଏହି ଭାରତୀୟ କମ୍ପାନୀ ବିଶ୍ୱର ସର୍ବାଧିକ ଟିକା ପ୍ରସ୍ତୁକର୍ତ୍ତା ଔଷଧ କମ୍ପାନି । ବିଭିନ୍ନ ଦୁଃସାଧ୍ୟ ରୋଗର ଆବଶ୍ୟକ ପରିମାଣ ଅନୁଯାୟୀ ଟିକା ପ୍ରସ୍ତୁତକର୍ତ୍ତା କରିବାରେ ଏହି କମ୍ପାନିର ବିଶେଷ ଦକ୍ଷତା ପାଇଁ ଏହା ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ବର୍ତ୍ତମାନ ସ୍ଥିତିରେ ମଧ୍ୟ ଏହି ଭାରତୀୟ କମ୍ପାନି ଏକାଧିକ କୋଭିଡ୍-୧୯ ଟିକା ପ୍ରସ୍ତୁତିରେ ସହଯୋଗ କରୁଛି । ଏଠାରେ ଜାଣିବା ବିଧେୟ ଯେ, ବିଶ୍ୱ ସ୍ତରରେ ବିକ୍ରି ହେଉଥିବା ବିଭିନ୍ନ ଟିକାର ପ୍ରାୟ ୭୫ ପ୍ରତିଶତ ପ୍ରସ୍ତୁତି ଭାରତରେ ହିଁ ହୋଇଥାଏ । କେବଳ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଣ୍ଣାୟକ ଯୋଗଦାନ ପାଇଁ ଭାରତକୁ ଏହି ଶ୍ରେୟ ମିଳିଥାଏ ।