ଯୋଗୀଙ୍କୁ ହତ୍ୟା ଧମକ ଦେଇ ୨୫ ବର୍ଷିୟ ଯୁବକ ଗିରଫ

Spread the News

କିଛିଦିନ ତଳେ ଲ‌କ୍ଷ୍ନୌ ପୁଲିସ ମୁଖ୍ୟାଳୟର ସାମାଜିକ ଗଣମାଧ୍ୟମ ହେଲ୍‌ପ୍‌ଲାଇନ୍‌କୁ ଏକ ହ୍ୱାଟ୍ସଆପ୍ ମେସେଜ୍‌ ଆସିଥିଲା । ଏହାକୁ ନେଇ ସାରା ଉତ୍ତର ପ୍ରଦେଶ ହୁଲ୍‌ସ୍ତୁଲ୍‌ ହୋଇଥିଲା । କାରଣ ଏହି ମେସେଜ୍‌ରେ ଲେଖା ହୋଇଥିଲା ଯେ ବହୁତ ଜଲ୍‌ଦି ଉତ୍ତର ପ୍ରଦେଶର ‌ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ବିସ୍ଫୋରଣ କରି ହତ୍ୟା କରାଯିବ । ଏଭଳି ଅସ୍ୱାଭାବିକ ମେସେଜ ଦ୍ୱାରା ଭୟର ବାତାବରଣ ସୃଷ୍ଟି କରୁଥିବା ଅପରାଧୀକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ପରେ ସଂପୃକ୍ତ ଅପରାଧୀକୁ ଧରିବା ପାଇଁ ମହାରାଷ୍ଟ୍ର ଆଣ୍ଟି-ଟେରରିଜମ୍‌ ସ୍କ୍ୱାର୍ଡ(ATS)ର ସହଯୋଗ ଲୋଡ଼ିଥିଲା ଉତ୍ତର ପ୍ରଦେଶ ପୁଲିସ । ତେବେ ଉପରୋକ୍ତ ଧମକପୂର୍ଣ୍ଣ ମେସେଜ ପଠାଇ ଉତ୍ତର ପ୍ରଦେଶ ପୁଲିସର ନିଦ ହଜାଇ ଦେଇଥିବା ଏହି ଅପରାଧୀକୁ ଧରିବାରେ ଇତିମଧ୍ୟରେ ମହାରାଷ୍ଟ୍ର ATS ସଫଳତା ହାସଲ କରିଥିବା ଜଣାପଡ଼ିଛି । ଏହି ଅପରାଧୀ ହେଉଛି ୨୫ ବର୍ଷୀୟ କମ୍‌ରାନ୍ ଅମିନ୍ ଖାଁ ଏବଂ ମୁମ୍ବାଇର ଚୁନଭାଟି ଅଞ୍ଚଳରୁ ଏହାକୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛି ମହାରାଷ୍ଟ୍ର ATS । ଏଠାରେ ସୂଚନାଯୋଗ୍ୟ ଯେ, ଭାରତୀୟ ପିଙ୍ଗଳ କୋଡ୍ ଏବଂ ଆଇଟି ଆକ୍ଟ୍ ମୁତାବକ ଉତ୍ତର ପ୍ରଦେଶ ପୁଲିସ ଏହି ଅପରାଧୀ ବିରୋଧରେ ପୂର୍ବରୁ ଏଫ୍‌ଆଇଆର୍ ଫାଇଲ୍ କରିଥିଲା । ବର୍ତ୍ତମାନ ଟ୍ରାନ୍‌ଜିଟ୍ ରିମାଣ୍ଡ୍ ନିମନ୍ତେ ତାକୁ ମୁମ୍ବାଇ କୋର୍ଟରେ ହାଜର କରାଯିବ । ପରେ ତାକୁ ଉତ୍ତର ପ୍ରଦେଶର ସ୍ପେସାଲ୍ ଟାସ୍କ୍‌ ଫୋର୍ସକୁ ହସ୍ତାନ୍ତର କରାଯାଇ ଉତ୍ତର ପ୍ରଦେଶ ଅଣାଯିବ ବୋଲି ସୂଚନା ଦେଇଛି ଉତ୍ତର ପ୍ରଦେଶ ପୁଲିସ ।

Tags: