latest

ଭଗବାନ ଶ୍ରୀକୃଷ୍ଣଙ୍କ ବଂଶୀର କାହାଣୀ…

Spread the News

କାଲି ଦିପହର-ବେଳେ ଘରପଛ ଖଳାରେ ଖଟ ଟିଏ ପକେଇ ଖରାରେ ଗଡୁଥିଲି.. ମୁଣ୍ଡ ପଟେ ବାଉଁଶ ଗଛ ଥିଲା.. ଆଖି ଲାଗି ଆସିଲା ବେଳେ ହଠାତ କାହାର ପଦ-ଚାପରେ ମୋ ଆଖି ଖୋଲିଗଲା। ଦେଖିଲି କୃଷ୍ଣ ଆସି ଚିଡ଼ା ହେଇଚନ୍ତି। ତାଙ୍କୁ ନତ-ମସ୍ତକ ହୋଇ ପଚାରିଲି ତାଙ୍କ ଆସିବା ଅଭିପ୍ରାୟ। କହିଲେ, “ବଂଶୀଟା ପୁରୁଣା ହେଇ ଗଲାଣି। ଏଣୁ ନୂଆ ବଂଶୀଟିଏ ବିନେଇବି ବୋଲି ବାଉଁଶଟିଏ ନେବାକୁ ଆସିଛି।” ଏତିକି କହି ସେ ବାଉଁଶ ଗଛକୁ ଦେଖୁଥାନ୍ତି। ମୁଁ କହିଲି, “ଏସବୁ ତ ଆପଣଙ୍କର। ଯୋଉଟା ଇଛା ସେଇଟା ନେଇ ଯାଆନ୍ତୁ।” କହିଲେ, “ହଁ ଯେ ! ସଵୁ ବାଉଁଶରୁ ତ ସ୍ବର ବାହାରିବନି ; ଏଣୁ ବାଛି କି ନେବାକୁ ପଡିବ… ତଥାପି ଗୋଟିଏ ବାଉଁଶର ମୂଲ୍ୟ କେତେ କି?” କୃଷ୍ଣଙ୍କ ଏପରି ପ୍ରଶ୍ନ ଶୁଣି ମୁଁ ଅବାକ ହେଇ ଚାହିଁଥଏ… ଘର କବାଟ ଫାଙ୍କରୁ ଶ୍ରୀମତୀ ଆରାଧନା ଦେବି କହିଲେ, “ବାଉଁଶ ଗଛର ମୂଲ୍ୟ ସେ କିପରି କହିବେ? ଗଛ ତ ମୁ ଲଗେଇଚି ; ତା ଯତ୍ନ ବି ମୁ ନେଇଚି ; ଏଣୁ ମୁଁ କହିବି ; ଏହାର ମୂଲ୍ୟ କେତେ।” ମୁ ଆରାଧନାଙ୍କୁ ଚୁପ୍ ରହିବାକୁ ଇସାରା କରୁଥାଏ ; କିନ୍ତୁ ଆରା ମୋ ଆଡେ ଦେଖିଲେ ତ..
କୃଷ୍ଣଙ୍କ ଅଧରରେ ସ୍ମିତ ହାସ୍ୟ ଥାଏ ; ଆଉ ସେ ଆରାଧନାଙ୍କ ଆଡେ ଚାହୁଁଥାନ୍ତି। ଆରାଧନା ବାହାରକୁ ଆସି କୃଷ୍ଣଙ୍କ ପାଦ ତଳେ ମୁଣ୍ଡିଆଟିଏ ମାରି କହିଲେ, “ହେ ଗିରିଧାରୀ ! ଆମେ ଗରିବ ଲୋକ ଠିକ ; ମୂଲ୍ୟରେ ନ ବିକିଲେ ଆମ ପରିବାର ଚଳିବ କେମିତି ? କୃଷ୍ଣ କହିଲେ, “ତୁମେ ଯେତିକି ମାଗିବ ;ମୁ ସେତିକି ଟଙ୍କା ଦେବି ; ଚିନ୍ତା କରନି। ଆରାଧନା କହିଲେ, “ଯେତିକି ଟଂକା ନୁହେଁ ; କୁହନ୍ତୁ, ଯାହା ମାଗିଲେ ତାହା ଦେବି। ତା ପରେ ବାଉଁଶ ବାଛି କି ନିଅନ୍ତୁ। କୃଷ୍ଣ ଟିକେ ଚୁପଚାପ ହସିଲେ। ତା ପରେ କହିଲେ, “ହଉ ଠିକ ଅଛି… ତୁମେ ଯାହା ମାଗିବ ; ମୁଁ ତାହା ଦେବି।” ଏତିକି କହି ବାଉଁଶ ବଣକୁ ଯାଇ ଖୋଜିବାରେ ଲାଗିଲେ। ମୁଁ ଆରାଙ୍କ ପାଖକୁ ଯାଇ କହିଲି, “ତମେ ଏଇଟା କଣ କରୁଚ? ସ୍ୱୟଂ କୃଷ୍ଣ ଆସିଛନ୍ତି ଘରକୁ ; ବାଉଁଶଟିଏ ନେବାକୁ ; ଯେ ତାଙ୍କୁ ବାଉଁଶର ମୂଲ୍ୟ ମାଗୁଛ? କେମିତି ନେଇପାରିବ ତାଙ୍କଠୁ ମୂଲ୍ୟ?”
“ତୁମେ ଚୁପଚାପ ଯାଇ ଖଟରେ ବସ ; ଜମା ପାଟି ଫିଟାଅ ନି।” ମୁଁ ଚୁପଚାପ ଯାଇ ମନ କଷ୍ଟରେ ଖଟରେ ବସିଲି। ଅଳ୍ପ ସମୟ ପରେ କୃଷ୍ଣ ଗୋଟିଏ ପତଳା ବାଉଁଶ ଖଣ୍ଡେ ଧରି କି ଆସିଲେ।
କୃଷ୍ଣ ଆମ ଦୁହିଁଙ୍କୁ ଚାହିଁ ଖୁସିରେ କହିଲେ…, “ପାଇଲି, ମୋ ନୂଆ ବଂଶୀ ପାଇଁ ଭଲ ବାଉଁଶଟିଏ। ପୁଣି ଆରାଙ୍କୁ ଚାହିଁ କହିଲେ, “କହ ! ତୁମକୁ କଣ ଦରକାର ? ଏଇ ବାଉଁଶ ବଦଳରେ…” ଆରା କହିଲେ, “ନା ଆଜି ମାଗିବିନି.. ଆପଣ ପ୍ରଥମେ ସେଇ ବାଉଁଶ ଖଣ୍ଡକୁ ବଂଶୀରେ ରୂପାନ୍ତର କଲାପରେ ମୁଁ ମାଗିବି.. କାରଣ ମୁଁ ଏଵେ କିଛି ମାଗିନେବି ; ଆଉ ପରେ ଏଇ ବାଉଁଶରେ ବଂଶୀ ବନେଇ ନ ହେଲେ ମତେ ବହୁତ ଖରାପ ଲାଗିବ।”
ଆରାଙ୍କ ଏହି କଥା ଶୁଣି କୃଷ୍ଣ କହିଲେ.. “ତା ହେଲେ ମୁଁ କଣ କରିବି ଏଵେ?” ଆରା କହିଲେ, ହେ ମଧୁସୂଦନ! ଆପଣ ଏଵେ ସେଇ ବାଉଁଶଟିକୁ ନେଇ ଯାଆନ୍ତୁ। ସେଇଟା ବଂଶୀ ହେଲା ପରେ ତାକୁ ନେଇ ଆସିବେ। ଓଠରେ ସ୍ମିତ ହାସ୍ୟ ଦେଇ କୃଷ୍ଣ କହିଲେ, “ହଉ ଠିକ ଅଛି..” ମୋ ଆଡେ ଚାହିଁ କହିଲେ, “ମୁଁ ଆସୁଚି ତେବେ।” ମୁଁ କୃଷ୍ଣଙ୍କୁ ହାତ ଯୋଡି ଦେଖୁଥାଏ କେବଳ।
କୃଷ୍ଣ ଗଲା ପରେ ଆରାଙ୍କୁ ବହୁତ ବୁଝେଇଲି ଯେ, ଖଣ୍ଡେ ବାଉଁଶ ପାଈଁ ଆମେ କଣ କାହାକୁ କିଛି ମାଗି ପାରିବା? କେତେ ବାଉଁଶ ନଷ୍ଟ ହେଇ ଯାଉଚି…. କୃଷ୍ଣ ଯଦି ଖଣ୍ଡେ ନେଲେ ; ତେବେ କଣ ଖୁସିରେ ଦେଇପାରିବାନି? ଏହା କଣ ଆମ ସୌଭାଗ୍ୟ ନୁହେଁ ଯେ, କୃଷ୍ଣ ଆମ ବାରିର ବାଉଁଶ ନେବାକୁ ଆସିଲେ.. ସେ ଚାହିଁଥିଲେ ଜଙ୍ଗଲରୁ କଣ ତାଙ୍କ ମନ ମୁତାବକ ବାଉଁଶ ଟିଏ ନେଇପାରି ନଥାନ୍ତେ?”
ଆରା ମୋତେ ବିଭିନ୍ନ କଥା କହି ମୋ ମୁହଁ ଚୁପ କରେଇ ଦେଲେ.. ଆରାଙ୍କ ଯୁକ୍ତି ଥିଲା ଯେ.. “ସେ କୃଷ୍ଣ ହୁଅନ୍ତୁ ବା ଅନ୍ୟ ଯେ କେହିବି.. କୌଣସି ଜିନିଷକୁ ଖାଲିଟାରେ ଦାନ କଲେ ; ସେଇ ଵସ୍ତୁର ମୂଲ୍ୟ ସେ ବ୍ୟକ୍ତି ଜାଣି ନଥାଏ।”
ଦି ଦିନ ପରେ ମୁଁ ଓ ଆରା ଅଗଣାରେ ବସି କଥା ହେଉଥିଲୁ। ଠିକ ଏତିକି ବେଳେ କୃଷ୍ଣ ଆସିଲେ। ହସି ହସି.. ହାତରେ ତାଙ୍କର ଏକ ନୂଆ ବଂଶୀ ଥିଲା। ବଂଶୀ ବହୁତ ସୁନ୍ଦର ଦେଖା ଯାଉଥିଲା। ଆମେ ଦୁହେଁ ନମସ୍କାର ହୋଇ ଛିଡା ହେଲୁ। କୃଷ୍ଣ ଆରାଙ୍କୁ ଚାହିଁ କହିଲେ, “ଦେଖ.. ତୁମେ ଦେଇଥିବା ବାଉଁଶ ଏକ ସୁନ୍ଦର ବଂଶୀର ରୂପ ନେଇ ସାରିଛି..” ଏତିକି କହି ହାତରେ ଧରିଥିବା ବଂଶୀ ଦେଖେଇଲେ। ଆରା ଖୁସି ହେଇ କହିଲେ, “ହଁ , ପୁରା ବଂଶୀ ଭଳିଆ ଦିଶୁଚି… ହେଲେ କେମିତି ଜାଣିବି ଏଇଟା ବଂଶୀ ବୋଲି… ବାଜୁଚି ତ ?”
ଆରାଙ୍କ କଥା ଶୁଣି କୃଷ୍ଣ ନିଜ ହସକୁ ଚାପି ପାରିଲେନି। ଆଉ ହସି ହସି କହିଲେ, “ହଁ, ହଁ ବାଜୁଚି.. ସୁନ୍ଦର ବାଜୁଚି।” ଏତିକି କହି ବଂଶୀ ନେଇ ମୁହଁରେ ଲଗେଇଲେ। ତାପରେ ଏକ ସୁନ୍ଦର ଧ୍ୱନି। ଆହା… କିଛି ସମୟ ପାଇଁ ମୁଁ ପହଁଚି ଯାଇଥିଲି ଗୋପପୁରରେ.. ଆହା କି ମନୋରମ ଦୃଶ୍ୟ !କି ସୁନ୍ଦର ନଦୀ, ଜଙ୍ଗଲ, ପାହାଡ଼….!! ସମସ୍ତେ ଯେମିତି ନାଚୁଥାନ୍ତି ବଂଶୀର ତାଳେ ତାଳେ….!!!
ମୁଁ ଭୁଲି ଯାଇଥିଲି ମୁଁ କିଏ ବୋଲି..!!!! ପରମ ଶାନ୍ତିରେ ନିଜକୁ ଉତ୍ସର୍ଗ କରିଦେଇଥିଲି…!!!!!
ହଠାତ ବଂଶୀ ସ୍ବର ବନ୍ଦ ହେଇଗଲା… ମୁଁ ନିଜ ଅବସ୍ଥାକୁ ଫେରିଆସିଲି ଓ ଆଖି ଖୋଲି ଚାହିଁଲି ସାମ୍ନାରେ କୃଷ୍ଣ ଛିଡା ହେଇ ମତେ ଓ ଆରା ଙ୍କୁ ଦେଖି ହସୁଛନ୍ତି..।ଆରାଙ୍କ ଆଡେ ଚାହିଁଲି। ଆରା ତଳେ ବସି ହାତ ଯୋଡି ଆଖିବନ୍ଦ କରି ଚୁପଚାପ ବସିଚନ୍ତି..।ଆରା ବି ଉଠିଲେ ହେଲେ ଆରାଙ୍କ ଆଖିରେ ଥିଲା ଅଶ୍ରୁ…। ଲୁହ କାନିରେ ପୋଛି ଆରା ଛିଡା ହେଲେ..। କୃଷ୍ଣ ଆରାଙ୍କୁ ପଚାରିଲେ.. “କଣ ମୋ ବଂଶୀ ବାଦନ ଠିକ୍ ନଥିଲା କି? ଯଦି ଠିକ୍ ଥିଲା ; ତେବେ ଆଖିରେ ଅଶ୍ରୁ କଣ ପାଇଁ?” ଆରାଙ୍କ ଆଖିରୁ ପୁଣି ଦି-ଧାର ଲୁହ ବୋହି ଗଲା.. କାନିରେ ପୋଛୁ ପୋଛୁ କହିଲେ, “ନା ମାଧବ ! ମୋ ଆଖିର ଅଶ୍ରୁ ଆନନ୍ଦର..। ବଂଶୀ ପୁଣି ଆପଣ ଭୁଲ୍ ବଜେଇବେ !!! କୃଷ୍ଣ ଅଳ୍ପ ହସି କହିଲେ, “ହେଲା ହେଲା… ଆଖିରୁ ଆଉ ଅଶ୍ରୁ ଟୋପାଏ ବି ଝରାନା..। କଣ ମାଗୁଚ ମାଗ।”
ଆରା କହିଲେ, “ହେ ପ୍ରଭୂ ! ମୁଁ ତ ଯାହା ଚାହିଁଲେ ; ଆପଣ ଦେବାକୁ ରାଜି ଥିଲେ। କଣ ଦେଇପାରିବେ ;ଯାହା ମାଗିବି???”
ମନେ ମନେ ମୁଁ ଭାବୁଥାଏ ଆରା ବାଉଁଶ ବଦଳରେ କିଛିବି ନ ମାଗନ୍ତୁ..।
କୃଷ୍ଣ କହିଲେ, “ଶୁଣ.. ମୁଁ ପ୍ରତିଶୃତି ଦେଇଛି ; ଯେତେବେଳେ ଅବଶ୍ୟ ଦେବି..।
ଆରା ଵିଳମ୍ବ ନକରି ନିଜ ଶାଢ଼ୀ-କାନିକୁ କୃଷ୍ଣଙ୍କ ଆଗକୁ କରି କହିଲେ, “ହେ ଦାମୋଦର ! ଏତିକି ମୋ କାନିରେ ଦିଅନ୍ତୁ ଯେ.. ଯେବେ ବି ଆମ ମନରେ ଦୁଃଖ ଆସିବ ; ବା ଆମକୁ ଅହଙ୍କାର ତା ବଶୀଭୂତ କରିବାର ଚେଷ୍ଟା କରିବ… ତା ପୂର୍ବରୁ ; ଆମ କାନରେ ଆପଣଙ୍କ ବଂଶୀ ସ୍ବର ନିରନ୍ତର ଶୁଭୁ ଥାଉ ; ପ୍ରଭୂ….” ଆରାଙ୍କ ଏହି ସଉଦା ମୋ ମନ ଜିଣିନେଲା..। ମୁଁ ଉତ୍କଣ୍ଠା ସହ ଅପେକ୍ଷା କରିଥିଲି ; କଣ ଉତ୍ତର ଦେଉଛନ୍ତି କୃଷ୍ଣ..। କୃଷ୍ଣ କେବଳ ହସି ଦେଇ ବଂଶୀ ବଜେଇ ବଜେଇ ଚାଲି ଗଲେ..। ଆଜି ବି କୃଷ୍ଣଙ୍କ ବଂଶୀ-ସ୍ବର ଶୁଣିପାରୁଛୁ ଆମେ ଦୁହେଁ…।