ସାଇ ପକ୍ଷରୁ ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ପ୍ରଦାନ କରାଯିବ ପକେଟ୍‌ ଭତ୍ତା

Spread the News

ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ (ସାଇ) ତରଫରୁ ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ପ୍ରଦାନ କରାଯିବ ପକେଟ୍‌ ଭତ୍ତା । ଏ ବାବଦରେ ମୋଟ ୮.୨୫କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ୨୭୪୯ଜଣ ଖେଲୋ ଇଣ୍ଡିଆ ଆଥଲେଟ୍‌ ଏହାଦ୍ୱାରା ଉପକୃତ ହେବେ ବୋଲି ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ ପ୍ରତ୍ୟେକ ଆଥଲେଟ୍‌ ୩୦,୦୦୦ ଟଙ୍କା ଲେଖାଏଁ ପାଇବେ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ରାଶି ପ୍ରେରଣ କରାଯିବ । ଆଥଲେଟ୍‌ମାନଙ୍କର ନିଜ ଗୃହରେ ଖାଦ୍ୟପେୟ ଏବଂ ଅନ୍ୟାନ୍ୟ ଟ୍ରେନିଂ ବାବଦର ଖର୍ଚ୍ଚକୁ ନଜରରେ ରଖି ଏହି ରାଶି ପ୍ରେରଣ କରାଯିବ । ସାଇ ତରଫରୁ ପ୍ରଦାନ କରାଯାଉଥିବା ଏହି ରାଶି ୨୦୨୦-୨୧ ବର୍ଷର ପ୍ରଥମ ୩ ମାସ ପାଇଁ ପକେଟ ଭତ୍ତା ବୋଲି କୁହାଯାଉଛି । ଏଠାରେ ଜାଣିବା ବିଧେୟ ଯେ, ଦେଶର ମୋଟ ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୨୧ଟି ଖେଳ ବିଭାଗର ଆଥଲେଟଙ୍କ ପାଇଁ ଏହି ସୁବିଧା ପ୍ରଦାନ କରାଯାଇଥାଏ । ଖେଲୋ ଇଣ୍ଡିଆ ମାଧ୍ୟମରେ ଯେଉଁ ଆଥ୍‌ଲେଟ୍‌ମାନେ ଯୋଗ୍ୟ ବିବେଚିତ ହୋଇଥାନ୍ତି ସେମାନଙ୍କୁ ବାର୍ଷିକ ୧.୨୦ ଲକ୍ଷ ଏବଂ ସମୁଦାୟ ୬.୨୮ ଲକ୍ଷ ଟଙ୍କା ପକେଟ ଭତ୍ତା ଦିଆଯାଇଥାଏ, ଯାହାଦ୍ୱାରା ଏହି ପ୍ରତିଭାବାନ୍‌ ଆଥ୍‌ଲେଟ୍‌ମାନଙ୍କର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବାରେ ଯେପରି ଆର୍ଥିକ ପ୍ରତିବନ୍ଧକ ରହିବନି ଏବଂ ସେମାନେ ବିଭିନ୍ନ ଖେଳରେ ଅଧିକରୁ ଅଧିକ ସଫଳତା ହାସଲ କରି ଦେଶପାଇଁ ସୁନାମ ଅର୍ଜନ କରିବେ ।