latest

ଟ୍ୱେଣ୍ଟି-୨୦ ଫର୍ମାଟ୍‌ରେ ଦେଶ ପକ୍ଷରୁ ପ୍ରତିନିଧିତ୍ତ୍ୱ କରିବାକୁ ପ୍ରସ୍ତୁତ : ହରଭଜନ୍‌ ସିଂହ

Spread the News

କ୍ରିକେଟ୍‌ର ସବୁଠାରୁ ଛୋଟ ଫର୍ମାଟ୍‌ ଟ୍ୱେଣ୍ଟି-୨୦ରେ ଭାରତୀୟ ଦଳରୁ ପ୍ରତିନିଧିତ୍ତ୍ୱ କରିବାକୁ ମାନସିକ ଓ ଶାରୀରିକ ଭାବରେ ସମ୍ପୂର୍ଣ୍ଣ ଫିଟ୍‌ ରହିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭଜି ନାମରେ ପରିଚିତ ହରଭଜନ ସିଂହ । ହରଭଜନ୍‌ ଦେଶର ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି ଯେ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ର ବିଗତ ସଂସ୍କରଣ ଗୁଡ଼ିକରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ରହିଛି । ଏହାକୁ ନଜରରେ ରଖି ଆଗାମୀ ଦିନରେ ସେ ଭାରତ ପକ୍ଷରୁ ଟ୍ୱେଣ୍ଟି୨୦ ଫର୍ମାଟ୍‌ରେ ପ୍ରତିନିଧିତ୍ତ୍ୱ କରିବାକୁ ସମ୍ପୂର୍ଣ୍ଣ ଆଶା ରଖିଛନ୍ତି । ଏହି ଚର୍ଚ୍ଚିତ ସାକ୍ଷାତକାରରେ ହରଭଜନ ଆହୁରି ମଧ୍ୟ କହିଥିଲେ ଯେ, ଆଇପିଏଲ୍‌ରେ ବୋଲିଂ କରିବା ବିଶ୍ୱର ସମସ୍ତ ସ୍ପିନରଙ୍କ ପାଇଁ କଷ୍ଟକର । ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଉଥିବା ଅଧିକାଂଶ ପଡ଼ିଆ ଛୋଟ ହୋଇଥିବାରୁ ବ୍ୟାଟ୍ସମ୍ୟାନ୍‌ମାନେ ସ୍ପିନର୍‌ମାନଙ୍କୁ ସର୍ବଦା ଟାର୍ଗେଟ୍‌ କରିଥାନ୍ତି । ଏଭଳି ପରିସ୍ଥିତିରେ ସେ ନିୟମିତ ଭଲ ପ୍ରଦର୍ଶନ କରି ଆସୁଥିବାରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଧ୍ୟ ଭାରତୀୟ ଦଳ ପକ୍ଷରୁ ଭଲ ପ୍ରଦର୍ଶନ କରିପାରିବେ ବୋଲି ପ୍ରକାଶ କରିଛନ୍ତି । ଆଇପିଏଲ୍‌ରେ ତାଙ୍କର ଉତ୍ତମ ପ୍ରଦର୍ଶନ ସତ୍ତ୍ୱେ ଜାତୀୟ ଦଳରେ ତାଙ୍କୁ ସାମିଲ୍‌ କରାଯାଉ ନଥିବାରୁ ସେ ମନୋନୟନକାରୀମାନଙ୍କ ଉପରେ ଅସନ୍ତୁଷ୍ଟ ଥିବା ଏହି ସାକ୍ଷାତକାରରେ କହିଛନ୍ତି । ତେବେ ଭଗବାନଙ୍କର ଆଶୀର୍ବାଦ ରହିଲେ ସେ ଯଥାଶୀଘ୍ର ଭାରତୀୟ ଦଳରେ ପୁନଃ ଖେଳିବାର ସୁଯୋଗ ପାଇବେ ଏବଂ ଚମତ୍କାର ବୋଲିଂ ପ୍ରଦର୍ଶନ କରି କ୍ରିକେଟପ୍ରେମୀମାନଙ୍କ ହୃଦୟ ଜିତିପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଏହି ୩୯ବର୍ଷ ବୟସ୍କ ଭାରତୀୟ ଦଳର ପୂର୍ବତନ ପ୍ରଖ୍ୟାତ ଅଫସ୍ପିନର । ସୂଚନାଯୋଗ୍ୟ ଯେ, ହରଭଜନ୍‌ ଆଇପିଏଲ୍‌ରେ ବର୍ତ୍ତମାନ ସୁଦ୍ଧା ୧୫୦ଟି ୱିକେଟ୍ ହାସଲ କରିସାରିଲେଣି । ଶେଷଥର ପାଇଁ ସେ ୨୦୧୬ରେ ଭାରତୀୟ ଦଳ ତରଫରୁ ଏସିଆ କପ୍‌ରେ ଅଂଶଗ୍ରହଣ କରିଥିଲେ ।