latest

ଡ୍ରାଗନ୍‌କୁ ଘେରିବା ପାଇଁ ଦୀର୍ଘମିଆଦି ରଣନୀତି ପ୍ରସ୍ତୁତ କରୁଛି ଭାରତ

Spread the News

ସୀମାନ୍ତରେ ଚାଲିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ତା’ର ସଂପ୍ରଭୁତା ରକ୍ଷା କରିବା ପାଇଁ ଆବଶ୍ୟକସ୍ଥଳେ ଯେକୌଣସି ପଦକ୍ଷେପ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଦେଇଛି । ଭାରତର ଏକ ଇଞ୍ଚ ଜମିରେ ମଧ୍ୟ ବିଦେଶୀ ଅନୁପ୍ରବେଶକୁ ସହ୍ୟ କରାଯିବ ନାହିଁ । ହାତୀର ଏହି ପରିବର୍ତ୍ତିତ ଆକ୍ରାତ୍ମକ ସ୍ୱଭାବରେ ବିଚଳିତ ହୋଇଛି ଡ୍ରାଗନ୍‌ । ପଛଘୁଞ୍ଚା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି ଜାଣିସାରିଛି ଡ୍ରାଗନ୍‌ । କାରଣ ସାମ୍ପ୍ରତିକ ସ୍ଥିତିରେ ଯଦି ଯୁଦ୍ଧ ଆରମ୍ଭ ହୋଇଯାଏ ତେବେ ଡ୍ରାଗନ୍‌ ଚିତ୍‌ପଟାଙ୍ଗ ହେବା ଏକପ୍ରକାର ନିଶ୍ଚିତ । କରୋନା ସଂକ୍ରମଣ ପାଇଁ ସମ୍ପୂର୍ଣ୍ଣ ଭାବରେ ଏକ ଘରକିଆ ହୋଇଯାଇଥିବା ଡ୍ରାଗନ୍‌ ବିରୁଦ୍ଧରେ ହାତୀ ବର୍ତ୍ତମାନ ଯୁଦ୍ଧ ଦେହିଂ ଡାକରା ଦେଲେ ତା’ର ଅପୂରଣୀୟ କ୍ଷତ ସୃଷ୍ଟି ହେବ ଏକଥା ଚୀନ୍‌ ନିଜେ ବୁଝିସାରିଛି । ଖାସ୍‌ ସେଇଥିପାଇଁ ସମସ୍ତ ସମ୍ଭାବନୀୟ ସ୍ଥିତିକୁ ଅନୁଶୀଳନ କଲା ପରେ ଚୀନ୍‌ର ଭାରତରେ ଅବସ୍ଥାପିତ ରାଜଦୂତ କହିଲେ ଯେ ଡ୍ରାଗନ୍‌ ଓ ହାତୀ ପରସ୍ପର ଧରାଧରି ହୋଇ ନାଚିପାରିବେ । ତେବେ ଚୀନ୍‌ର ସମସ୍ତ ଚାଲାକି ବିଷୟରେ ମଧ୍ୟ ଭାରତ ଭଲ ଭାବରେ ଅବଗତ ଅଛି । ଏବେ ନରମିଲେ ମଧ୍ୟ ପରବର୍ତ୍ତୀ ସମୟରେ ଡ୍ରାଗନ୍‌ ଯେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ ଏହା ଅବଶ୍ୟମ୍ଭାବୀ । ଏହିସବୁ ଦୃଷ୍ଟିରୁ ଡ୍ରାଗନ୍‌କୁ ଚେକ୍‌ ମେଟ୍‌ ଦେବା ପାଇଁ ଦୀର୍ଘକାଳୀନ ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଛି ଭାରତ । ବିଶେଷକରି ଚୀନ୍‌ ସଂଲଗ୍ନ ସୀମାନ୍ତଗୁଡ଼ିକରେ ଭାରତ ଏହାର ସଂସାଧନ ବିକାଶ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ନିବିଦ୍ଧ କରୁଛି । ଏହି କ୍ରମରେ ଲଦାଖ୍‌ରେ ଦୌଲତ ବେଗ୍‌ ଓଲ୍‌ଡି(ଡିବିଓ) ସେକ୍ଟରରେ ଭାରତର ସୀମା ଭିତ୍ତିଭୂମି କାର୍ଯ୍ୟ ଆଗେଇ ଚାଲିଛି । ଭାରତ ତା’ର ନିଜ ସୀମା ଭିତରେ ଭିତ୍ତିଭୂମିକୁ ବିକଶିତ କରୁଥିବା ବେଳେ ଚୀନ୍‌ ପକ୍ଷରୁ ଅଯଥାରେ ଉତ୍ତେଜନା ସୃଷ୍ଟି କରାଯାଉଛି । ଏହି ଉତ୍ତେଜନାମୂଳକ ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି ଏବଂ ଏଥିରେ ଚୀନ୍‌କୁ ଘେରିବାକୁ ରଣନୀତି ଚୂଡ଼ାନ୍ତ ହୋଇଛି ।

ବୈଠକ ପରେ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଚୀନ୍‌ ଏବେ ସମଗ୍ର ବିଶ୍ୱରେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି । ସେଇଥିଲାଗି ଚୀନ୍‌ ତା’ର ପଡ଼ୋଶୀ ଦେଶମାନଙ୍କୁ ନାଲିଆଖି ଦେଖାଉଛି । କିନ୍ତୁ ଚୀନ୍‌ର ଏଭଳି ଦାଦାଗିରିକୁ ପ୍ରତିଟି କ୍ଷେତ୍ରରେ ଭାରତ ତରଫରୁ ଜୋର୍‌ଦାର ବିରୋଧ କରାଯିବ । ଦରକାର ପଡ଼ିଲେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ମାତ୍ର କୌଣସି ପରିସ୍ଥିତିରେ ଭାରତ ସୀମାରେ ଚୀନ୍‌କୁ ଇଞ୍ଚେ ମଧ୍ୟ ଆଗକୁ ବଢ଼ିବାକୁ ଦିଆଯିବ ନାହିଁ ବୋଲି ଏହି ବରିଷ୍ଠ ଅଧିକାରୀ ଜଣଙ୍କ କହିଛନ୍ତି । ଏଠାରେ ଜାଣିବା ବିଧେୟ ଯେ, ଡୋକ୍‌ଲାମ ବିବାଦରେ ଭାରତର ସୁଚିନ୍ତିତ ରଣନୀତି ଏବଂ ସଫଳ କୂଟନୀତି ପାଇଁ ଡ୍ରାଗନ୍‌କୁ ପଛକୁ ହଟିବାକୁ ପଡ଼ିଥିଲା । ଡ୍ରାଗନ୍‌ ବିରୁଦ୍ଧରେ ଭାରତର ଏହି କୂଟନୈତିକ ବିଜୟକୁ ସେତେବେଳେ ସାରା ବିଶ୍ୱରେ ପ୍ରଶଂସା କରାଯାଇଥିଲା । ତେବେ ଭାରତର ଏହି କୂଟନୈତିକ ବିଜୟକୁ ଶାଣିତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡେଭାଲ୍‌, ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର । ଏହି ଚର୍ଚ୍ଚିତ ଟିମ୍‌ ଡୋକ୍‌ଲାମରେ ଚୀନ୍‌କୁ ମାତ୍‌ ଦେବାପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିଥିଲେ ଏବଂ ଭାରତ ସଫଳତାର ସ୍ୱାଦ ଚାଖିଥିଲା । ଏବେ ମୋଦୀଙ୍କ ଡୋକ୍‌ଲାମ ଟିମ୍‌ ପୁଣି ଚଳଚଞ୍ଚଳ ହୋଇଉଠିଛି । ଡ୍ରାଗନ୍‌ ବିରୋଧରେ କୂଟନୈତିକ ଓ ସାମରିକ ଚାପ ପ୍ରୟୋଗ କରିବା ପାଇଁ ସମସ୍ତ ବିକଳ୍ପଗୁଡ଼ିକୁ ସନ୍ଧାନ କରାଯାଇ ଏହାକୁ ସଠିକ୍‌ ସମୟରେ ଉପଯୋଗ କରିବା ପାଇଁ ଏକ ଦୀର୍ଘସୂତ୍ରୀ ରଣନୀତି ଚୂଡ଼ାନ୍ତ କରିସାରିଛି ଏହି ଟିମ୍‌ । ଏବେ କେବଳ ଡ୍ରାଗନ୍‌ ସେନାର ସୀମା ଅତିକ୍ରମଣକୁ ପ୍ରତୀକ୍ଷା କରିଛି ଭାରତ । ଏହାପରେ ଡ୍ରାଗନ୍‌ ବିରୁଦ୍ଧରେ ଭାରତ ଯାହା ପଦକ୍ଷେପ ଗ୍ରହଣ କରିବ ସେଥିରେ ସମଗ୍ର ବିଶ୍ୱ ଆଶ୍ୱସ୍ତି ଲାଭ କରିବ ବୋଲି ଦୃଢତାର ସହ କହିଛନ୍ତି ଉପରୋକ୍ତ ଟିମ୍‌ରେ ସାମିଲ୍‌ ଥିବା କେନ୍ଦ୍ର ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ।

Tags: , ,